ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ଓଡିଶା ସାର୍ବଜନୀନ ବିଲ 2024 । ପରୀକ୍ଷା ହେରଫେର ରୋକିବା ପାଇଁ ସରକାର ଆଣିଲେ ନୂଆ ବିଲ । ନୂଆ ବିଲରେ ରହିଛି କଠୋର ଦଣ୍ଡ ବିଧାନ ବ୍ୟବସ୍ଥା । ବିଲ୍ ପାରିତ ପୂର୍ବରୁ ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପରୀକ୍ଷା ହେରଫେର କଲେ କଣ ରହିଛି ଦଣ୍ଡ ବ୍ୟବସ୍ଥା ?
ଯଦି କୌଣସି ବ୍ୟକ୍ତି ବା ବ୍ୟକ୍ତିମାନେ ଏହି ଅଧିନିୟମ ଅଧୀନରେ ଅନୁଚିତ ସାଧନ ଏବଂ ଅପରାଧ କରନ୍ତି । ତେବେ ସେ ଅତି କମରେ ତିନି ବର୍ଷ ଠାରୁ ଆରମ୍ଭ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାବାସ ଏବଂ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ ହେବେ । ଜୋରିମାନା ପ୍ରଦାନରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, 2023ର ବ୍ୟବସ୍ଥା ଅନୁସାରେ ଅତିରିକ୍ତ କାରାବାସରେ ଦଣ୍ଡିତ କରାଯିବ ।
ଏପରି ମାମଲାର କିଏ କରିବ ତଦନ୍ତ ?
ଏଭଳି ମାମଲା ନଜରକୁ ଆସିଲେ ଜଣେ ଡିଏସପି କିମ୍ବା ଏସିପି ରାଙ୍କର ଅଧିକାରୀ ତଦନ୍ତ କରିବେ । ରାଜ୍ୟ ସରକାର ଚାହିଁଲେ ତଦନ୍ତ ପାଇଁ ରାଜ୍ୟ ଅନୁସନ୍ଧାନକାରୀ ସଂସ୍ଥାକୁ ପଠାଇପାରିବେ । ସେବା ଯୋଗାଣକାରୀ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ ହେବାକୁ ଦାୟୀ ରହିବେ ଏବଂ ସେହି ସେବା ଯୋଗାଣକାରୀଙ୍କ ଠାରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ । ତାଙ୍କୁ ଚାରି ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପରୀକ୍ଷା ସଂଚାଳନ ପାଇଁ କୌଣସି ଦାୟିତ୍ବ ପ୍ରଦାନ କରିବାରୁ ମଧ୍ୟ ପ୍ରତିବନ୍ଧିତ କରାଯିବ ।
- ନିଯୁକ୍ତି ପରୀକ୍ଷାରେ ହେରଫେର କଲେ 5ରୁ 10 ବର୍ଷ କାରାଦଣ୍ଡ ଭୋଗିବେ
- 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବେ
- ସମସ୍ତ ଦଣ୍ଡବିଧାନ ଜାମିନ ବିହୀନ ରହିବ
- ଏହି ମାମଲାର କୌଣସି ସମାଧାନ କରାଯିବନି
- ସେବା ଯୋଗାଣକାରୀ ଦୋଷୀ ସାବ୍ୟସ୍ତ ହେଲେ ଏକ କୋଟି ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ ହେବେ
- କୌଣସି ଅନୁଷ୍ଠାନ ଅପରାଧରେ ସଂଶ୍ଲିଷ୍ଟ ଥିଲେ ସମ୍ପତ୍ତି ବାଜ୍ୟାପ୍ତ କରାଯିବ
- ସେଥିରୁ ପରୀକ୍ଷା ଖର୍ଚ୍ଚ ଭରଣା କରାଯିବ
କଣ ରହିଛି ଦଣ୍ଡବିଧାନ:
ଯଦି କୌଣସି ଅନୁଷ୍ଠାନ ସଂଗଠିତ ଅପରାଧ କରିବାରେ ସମ୍ପୃକ୍ତ ଥିବ, ତା'ହେଲେ ତା'ର ସମ୍ପତ୍ତି ଜବତ କରାଯିବ ଓ ବାଜ୍ୟାପ୍ତ କରାଯିବ । ସେଥିରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ । ଯଦି ଅନୁସନ୍ଧାନ ସମୟରେ ଏହା ପ୍ରମାଣିତ ହୁଏ ଯେ ଏହି ଅଧିନିୟମ ଅଧୀନରେ କୌଣସି ନିର୍ଦ୍ଦେଶକ, ବରିଷ୍ଠ ପରିଚାଳନା କିମ୍ବା ସେବା ଯୋଗାଣକାରୀ ସଂସ୍ଥାର ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ସହମତି କିମ୍ବା ସହଯୋଗରେ ଅପରାଧ ଘଟିଛି, ତେବେ ସେ ଅତି କମରେ ତିନିବର୍ଷ ଠାରୁ ଆରମ୍ଭ କରି ଦଶବର୍ଷ ପର୍ଯ୍ୟନ୍ତ କାରାବାସ ଏବଂ ଏକ କୋଟି ଟଙ୍କା ଜୋରିମାନାରେ ଦଣ୍ଡିତ ହେବେ । ଜୋରିମାନା ପୈଠରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, 2023ର ବ୍ୟବସ୍ଥା ଅନୁଯାୟୀ ଅତିରିକ୍ତ କାରାବାସରେ ଦଣ୍ଡିତ କରାଯିବ ।
ଏହି ଧାରାରେ ଥିବା କୌଣସି ବିଷୟ ସେପରି କୌଣସି ବ୍ୟକ୍ତିଙ୍କୁ ଏହି ନିୟମ ଅନୁଯାୟୀ କୌଣସି ଦଣ୍ଡ ପାଇଁ ଦାୟୀ କରିବ ନାହିଁ । ଯଦି ସେ ପ୍ରମାଣ କରନ୍ତି ଯେ ସେହି ଅପରାଧ ତାଙ୍କ ଅଜାଣତରେ କରାଯାଇଥିଲା ଏବଂ ସେ ଏଭଳି ଅପରାଧକୁ ରୋକିବା ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିଥିଲେ । ଯଦି କୌଣସି ବ୍ୟକ୍ତି ବା ବ୍ୟକ୍ତିମାନଙ୍କ ସମୂହ ତଥା ପରୀକ୍ଷା ସେବା ଯୋଗାଣକାରୀ କିମ୍ବା ଅନ୍ୟ କୌଣସି ଅନୁଷ୍ଠାନ କୌଣସି ସଂଗଠିତ ଅପରାଧ କରନ୍ତି ତେବେ ସେ ଅତି କମରେ ପାଞ୍ଚବର୍ଷ ଠାରୁ ଆରମ୍ଭ କରି ଦଶବର୍ଷ ପର୍ଯ୍ୟନ୍ତ କାରାବାସ ଏବଂ ଅନ୍ୟାନ୍ୟ ଏକ କୋଟି ଟଙ୍କା ଜୋରିମାନାରେ ଦଣ୍ଡିତ ହେବେ ।
ଏହା ମଧ୍ୟ ପଢନ୍ତୁ: ନିଯୁକ୍ତି ଚଞ୍ଚକତା ନେଇ ବର୍ଷିଲେ ମୋହନ ମାଝୀ, 'ପୂର୍ବ ସରକାରରେ ହୋଇଥିଲା ASO ସିଟ୍ ବିକ୍ରି' ବିଧାନସଭାରେ ପୋଲାଭରାମ ତାତି; ଲଢେଇ ଜାରି ରହିବ କହିଲେ ନବୀନ, 4 ଟା ଯାଏ ଗୃହ ମୁଲତବୀ |
ଇଟିଭି ଭାରତ, ଭୁବନେଶ୍ବର