ଭୁବନେଶ୍ୱର: ରାଜ୍ୟର ଯୁବକ ଯୁବତୀମାନଙ୍କୁ ମିଳିବ ବିମାନ ଚଳାଚଳ ସମ୍ବନ୍ଧୀୟ ଦକ୍ଷତା । ଯୁବପିଢ଼ିଙ୍କୁ ଆହୁରି ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଆରମ୍ଭ ହୋଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଜିଏମଆର ଏରୋ ଏକାଡେମୀ(ଜିଏମଆରଏଏ) ସହ ମିଶି ଏହି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ତେବେ ଏନେଇ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦ୍ଦେଶାଳୟ ଏବଂ ଜିଏମଆର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ବିମାନ ଚଳାଚଳରେ ଦକ୍ଷ ହେବେ ରାଜ୍ୟର ଯୁବକ ଯୁବତୀ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ସହ ହୋଇଥିବା ଏହି ବୁଝାମଣାପତ୍ରରେ ସାର୍ଟିଫିକେସନ ଇନ ଏୟାରପୋର୍ଟ ଅପରେସନ (ସିଏଓ), ବେସିକ ଫାୟାର ଫାଇଟର୍ସ କୋର୍ସ (ବିଏଫଏଫସି) ଏବଂ ଏୟାର କାର୍ଗୋ ମ୍ୟାନେଜମେଣ୍ଟ ଏକଜିକ୍ୟୁଟିଭ (ଏସିଏମଇ) ଭଳି ସ୍ୱତନ୍ତ୍ର ପାଠ୍ୟକ୍ରମରେ ୩୦୦ରୁ ଅଧିକ ଓଡ଼ିଆ ଯୁବକଙ୍କୁ ଦକ୍ଷ ତାଲିମ ପ୍ରଦାନ କରାଯିବ ।
ସେହିପରି ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ର (ବିପିଏସି) ଜରିଆରେ ବାଣିଜ୍ୟ ଓ ପରିବହନ ବିଭାଗ ସହ ହୋଇଥିବା ବୁଝାମଣାପତ୍ର ଓଡ଼ିଆ ଯୁବକମାନଙ୍କ ପାଇଁ ବିମାନ ଚଳାଚଳଭିତ୍ତିକ ପାଠ୍ୟକ୍ରମରେ ନିଜକୁ ଉନ୍ନତ କରିବାର ସୁଯୋଗ ସୃଷ୍ଟି କରିବ । ଏହି ଭାଗିଦାରୀ ଏନ.ୟୁ.ଏ ଓଡ଼ିଶା ଯୋଜନା ଅଧୀନରେ ଦିଆଯାଇଛି । ଏହା ଓଡ଼ିଆ ଯୁବକମାନଙ୍କ ପାଇଁ ଭବିଷ୍ୟତ ଓ ବାଣିଜ୍ୟରେ ଦକ୍ଷତା ପାଠ୍ୟକ୍ରମର ଲାଭ ଉଠାଇବା ପାଇଁ ପଥ ଖୋଲିଥିବା କୁହାଯାଉଛି ।
ଏହାମଧ୍ୟ ପଢନ୍ତୁ... ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନରେ UPSC କୋଚିଂ, ଉପକୃତ ହେବେ ଛାତ୍ରଛାତ୍ରୀ
ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏବଂ 5T ଢାଞ୍ଚାରେ ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଏହି ପରିବର୍ତ୍ତନ କେବଳ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁନାହିଁ ବରଂ ଏକ ନୂଆ ଓଡ଼ିଶା ଗଠନରେ ମଧ୍ୟ ସହାୟକ ହେଉଛି ।
ସେହିଭଳି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡେଇ କହିଛନ୍ତି, "ଓଡ଼ିଶା ଆଜି ବିଶ୍ୱସ୍ତରରେ ନିଜର ଉପସ୍ଥିତି ହାସଲ କରିପାରିଛି । ଏଭଳି ପଦକ୍ଷେପ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ । ଯୁବପିଢ଼ିଙ୍କ ପାଇଁ ଅତୁଳନୀୟ ଦକ୍ଷତା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।" ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ନୂଆ ଯୁଗର ଅର୍ଥନୀତିରେ ବିମାନ ଚଳାଚଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି, "ଏହା ବିମାନ ଚଳାଚଳ କ୍ଷେତ୍ରରେ ଆମର ଯୁବକମାନଙ୍କୁ ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ ।"
ଜିଏମଆରଏଏର ମୁଖ୍ୟ ତଥା ଉପାଧ୍ୟକ୍ଷ ଏୟାର ମାର୍ଶାଲ କେ. ଅନନ୍ତରମଣ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଏହି ପଦକ୍ଷେପର ପରିବର୍ତ୍ତନକାରୀ ପ୍ରଭାବ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ବିମାନ ଚଳାଚଳ କ୍ଷେତ୍ରର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ ପଦକ୍ଷେପ ଏକ ଗେମ ଚେଞ୍ଜର ହେବ । ଯାହା ବିମାନ ବନ୍ଦର କ୍ଷେତ୍ରରେ ଯୁବକମାନଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି କରିବ । ଜିଏମଆରଏଏରେ ପ୍ରଶିକ୍ଷଣ ବିଶ୍ୱ ମାନଦଣ୍ଡକୁ ଅନୁସରଣ କରିବ । ଗ୍ରାଜୁଏଟମାନେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବିମାନ ଚଳାଚଳ ଶିଳ୍ପରେ ଯୋଗଦାନ କରିବାକୁ ଉତ୍ସାହିତ ହେବେ ।
ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମନୋଜ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ଦେବଦତ୍ତ ସୁରଞ୍ଜିତା ଜେନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଗଙ୍ଗାଧର ସାହୁ, ଜିଏମଆର ଏରୋ ଏକାଡେମିର ମୁଖ୍ୟ ପାରୁଲ କୁଳଶ୍ରେଷ୍ଠ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଜିଏମଆର ଏରୋ ଏକାଡେମୀ, ଏହାର ମୂଳ ସଂସ୍ଥା ଜିଏମଆର ଏୟାରପୋର୍ଟ ଲିମିଟେଡ ପାଇଁ ସ୍ୱୀକୃତିପ୍ରାପ୍ତ, ଏକ ବିଶ୍ୱସ୍ତରୀୟ ବିକାଶକାରୀ ଏବଂ ବିମାନବନ୍ଦରର ଅପରେଟର, ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର, ଜିଏମଆର ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ତର୍ଜାତୀୟ ଏୟାରପୋର୍ଟ ସମେତ ଏକ ସମ୍ମାନଜନକ ପୋର୍ଟଫୋଲିଓ ପରିଚାଳନା କରେ ।
ଇଟିଭି ଭାରତ, ଭୁବନେଶ୍ୱର