କଟକ: ହାଇକୋର୍ଟରେ ଜୁନିଅର ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଆଜି ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ଜିଲ୍ଲା ୱାରୀ ଲିଷ୍ଟ ପ୍ରକାଶ ପାଇଥିବା ନେଇ ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରିଛନ୍ତି । ମାମଲାର ଶୁଣାଣି କରି ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି କୋର୍ଟ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଜୁନିଅର ଶିକ୍ଷକ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଛନ୍ତି ଓଡିଶା ହାଇକୋର୍ଟ ।
ଚୟନ ପ୍ରକ୍ରିୟା ଜାରି ରହିଲେ ମଧ୍ୟ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି କୋର୍ଟ । ଆସନ୍ତା ୩୦ ତାରିଖ ଯାଏଁ ନିଯୁକ୍ତି ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଡକ୍ୟୁମେଣ୍ଟ ଭେରିଫିକେସନ ପ୍ରକ୍ରିୟା ଜାରି ରହିବ । ମାତ୍ର ଚୂଡ଼ାନ୍ତ ଚୟନ ତାଲିକା କିମ୍ବା ଉକ୍ତ ପଦରେ କାହାରିକୁ ନିଯୁକ୍ତି ଦିଆ ଯାଇପାରିବ ନାହିଁ ବୋଲି କୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, EdCIL ଦେଲା ସ୍ପଷ୍ଟୀକରଣ
ଆବେଦନକାରୀ ଚିନ୍ତାମଣି ଭୂୟାଁ ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଓସେପା ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକ ପଦରେ ଶିକ୍ଷକଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତବର୍ଷ ସେପ୍ଟେମ୍ବର ୧୩ ରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୨୦୨୩ ଅକ୍ଟୋବର ୧୦ ତାରିଖ ଆବେଦନର ଶେଷ ତାରିଖ ଥିଲା । ତେବେ ସମସ୍ତ ପରୀକ୍ଷା ଶେଷ ହୋଇଥିବା ବେଳେ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ତେବେ ଏହି ପ୍ରକ୍ରିୟା ରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଥିଲେ ଆଶାୟୀ ଛାତ୍ରଛାତ୍ରୀ । ଏପରିକି ନିଯୁକ୍ତି ବିଜ୍ଞପ୍ତିର ନିୟମ ଆଧାରରେ ଚୂଡାନ୍ତ ମେଧା ତାଲିକା ବା ମେରିଟ ଲିଷ୍ଟ ପ୍ରକାଶ କରାଯାଇନଥିବା ଯୋଗୁ ଅନେକ ଆବେଦନକାରୀ ବାଦ ପଡିଥିବା ନେଇ ଅଭିଯୋଗ ଆଣିଥିଲେ ଆଶାୟୀ ଛାତ୍ରଛାତ୍ରୀ । ତେଣୁ ଏହା ବେଆଇନ ବୋଲି ଦର୍ଶାଇ ଏହି ବିଜ୍ଞପ୍ତିକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଆବେଦନକାରୀ । ଏହି ମାମଲାର ପ୍ରାଥମିକ ଶୁଣାଣି କରି ଜବାବ ଦାଖଲ କରିବାକୁ ରାଜ୍ୟ ସରକାର ଏବଂ ଓସେପାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଥିବା ବେଳେ କୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ନଦେବା ପର୍ଯ୍ୟନ୍ତ ଚୂଡାନ୍ତ ଚୟନ ତାଲିକା କିମ୍ବା ଉକ୍ତ ପଦବୀରେ କାହାରିକୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, କଟକ