ଭୁବନେଶ୍ବର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଭୋଟ ଦେବାକୁ ସଭିଏ ଉତ୍ସାହିତ । ବିଶେଷ କରି ଯୁବ ଭୋଟରଙ୍କ ମଧ୍ୟରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି । ନୁଆ ଭୋଟର ଲିଷ୍ଟରେ ସ୍ଥାନ ପାଇ ପ୍ରଥମ ଥର ମତ ସାବ୍ୟସ୍ତ କରିଛନ୍ତି ନୂତନ ଭୋଟର । ଏହାରି ଭିତର ରାଜଧାନୀର ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟରେ ସଖି ବୁଥରେ ଭୋଟରଙ୍କ ଆକୃଷ୍ଟ ପାଇଁ କ୍ଲାସିକ ବୁଥ ପ୍ରସ୍ତୁତ ହୋଇଛି । ଅର୍ଥାତ ଭୋଟରଙ୍କ ମନୋରଞ୍ଜନ ଏବଂ ସ୍ମରଣୀୟ କରିବା ପାଇଁ ବୁଥ ବାହାରେ ରହିଛି ସେଲଫି ଜୋନ୍ । ଯେଉଁଠି ପ୍ରସ୍ତୁତ ହୋଇଛି ଚେସ୍ ଆକାରର ସେଲଫି ଜୋନ୍ । ଭୋଟର ମତ ସାବ୍ୟସ୍ତ ପରେ ଚେସ୍ ସେଲଫି ଜୋନକୁ ଆସି ଫଟୋ ଉଠାଉଥିବା ଦେଖିବାକୁ ମିଳିଛି ।
ଏନେଇ ଜଣେ ନୂଆ ଭୋଟର ଜିଜ୍ଞାସା ମିଶ୍ର କହିଛନ୍ତି, ‘ସେ ସବୁବେଳେ ଉତ୍ସାହିତ ଥିଲେ ଭୋଟ ଦେବା ପାଇଁ କାରଣ ତାଙ୍କ ପରିବାରରେ ସମସ୍ତ ଏକତ୍ରିତ ହୋଇ ଭୋଟ ଦେବାକୁ ଯାଇଥାନ୍ତି । ସେଥିପାଇଁ ସେ ମଧ୍ୟ ୧୮ ବର୍ଷ ହେବା ପାଇଁ ଉତ୍ସାହିତ ଥିଲେ । ପ୍ରଥମ ଭୋଟ ସବୁଠୁ ନିଆର ଥିଲା । ସବୁ କିଛି ସଠିକ୍ ଭାବେ ସଠିକ ଢଙ୍ଗରେ ସବୁ ବ୍ୟବସ୍ଥା ହୋଇଥିଲା । ତେଣୁ ଭଲ ଲାଗିଲା ଦେଖିକି ଏବଂ ଭୋଟ ଦେଇ ଖୁସି ହେଲି । ଏହା ଏକ ମହାପର୍ବର ମାହୋଲ ତେଣୁ ଭୋଟ ଦେଇ ଖୁସି ଅଛି । ୬୦ ବର୍ଷରୁ ଊର୍ଦ୍ଧ୍ବ ଲୋକ ମଧ୍ୟ ବହୁତ ଉତ୍ସାହିତ ହୋଇ ଭୋଟ ଦେବାକୁ ଆସିଛନ୍ତି । ଏହା ହିଁ ପ୍ରତିପାତିଦ କରୁଛି ଆମର ଗଣତନ୍ତ୍ର ସଫଳ ହେଉଛି । ସମସ୍ତେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବା ଦରକାର । ନେତା ବାଛିବା ଆମର ଅଧିକାର ।’
ସେହିପରି ଅନ୍ୟ ଜଣେ ନୂଆ ଭୋଟର ଉପାସନା ମହାପାତ୍ର କହିଛନ୍ତି, ‘ଭୋଟ ଦେବା ପାଇଁ ଉତ୍ସାହିତ ଥିଲି । ଭୋଟ ଦେଲା ବେଳେ ଗଡବଡ କରି ଦେଇଥିଲି କିନ୍ତୁ ଠିକ୍ ଅଛି । ଜଣେ ଯୁବକ ଭୋଟର ହିସାବରେ ଏହା ମୋର ପ୍ରଥମ ଭୋଟ । ସେଲଫି ଜୋନରେ ଫଟୋ ଉଠାଇ ସେଲଫିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବି । ଏହା ଦ୍ବାରା ସାଙ୍ଗମାନେ ଅନ୍ୟମାନେ ମଧ୍ୟ ଜାଣିବେ ଆମେ ଭୋଟ ଦେଇଛୁ । ସମସ୍ତେ ମଧ୍ୟ ଆସି ଭୋଟ ଦେବା ଦରକାର କାରଣ ଏହା ତାଙ୍କର ଅଧିକାର ।’
ବିଶେଷ କରି ଯୁବ ଭୋଟର ଠାରୁ ଆରମ୍ଭ କରି ବୟସ୍କ ଏବଂ ଧନୀ ଠାରୁ ଆରମ୍ଭ କରି ଗରିବ ସମସ୍ତେ ଗୋଟିଏ ସ୍ଥାନରେ ଏକାଠିି ହୋଇଛନ୍ତି । ନିଜେ ବିଚାର କରି ନିଜର ମନପସନ୍ଦ ନେତାଙ୍କୁ ଚୟନ କରୁଛନ୍ତି । ଯାହା କି ଗଣତନ୍ତ୍ରର ମହାନ ପର୍ବର ସଫଳତାକୁ ବୟାନ କରୁଛି ।
ଇଟିଭି ଭାରତ, ଭୁବନେଶ୍ବର