ଭୁବନେଶ୍ବର: ମୋହନ ସରକାର 2024-25 ଆର୍ଥିକ ବର୍ଷ ଲାଗି ବଜେଟ ଆଗତ କରିଛନ୍ତି । ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଏହାକୁ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ବଜେଟ ବୋଲି କହିଛନ୍ତି । ଡବଲ ଇଞ୍ଜିନ ସରକାରରେ ଡବଲ ନିରାଶ ବୋଲି କହିଛନ୍ତି ନବୀନ । ସେପଟେ ବିଜେଡି ବରିଷ୍ଠ ଦଳ ନେତା ମଧ୍ୟ ବଜେଟକୁ ନୈରାଶ୍ୟଜନକ କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ବଜେଟକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଡବଲ ଇଞ୍ଜିନ ସରକାରରେ ଡବଲ ନୈରାଶ୍ୟ ବଜେଟ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ମୋ ସରକାରର 40ରୁ ଊର୍ଦ୍ଧ୍ବ ଯୋଜନାର ନାମ ପରିବର୍ତ୍ତନ କରାଯାଇ ଏହାକୁ ନୂଆ ନାଁ ଦିଆଯାଇଛି । ସେପଟେ ରାଜ୍ୟ ବଜେଟରେ କୌଣସି ନୂତନତ୍ବ ନାହିଁ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା ପ୍ରତାପ ଜେନା । ନବୀନ ସରକାରଙ୍କ 40ରୁ ଊର୍ଦ୍ଧ୍ବ ଲୋକପ୍ରିୟ ଯୋଜନାର କପି ପେଷ୍ଟ ହୋଇଥିବା ସେ କହିଛନ୍ତି । ପ୍ରତିଶ୍ରୁତି ପାଳନ ଚୁଲିକୁ ଗଲା, କେବଳ ନାଁ ବଦଳିଲା ବୋଲି ପ୍ରତାପ କହିଛନ୍ତି । ସେହିପରି ଏହା କେବଳ ନାମ କରଣ ବଦଳି ବଜେଟ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ମୋହନ ସରକାରଙ୍କ ଦ୍ବାରା ଆଜି ପ୍ରସ୍ତୁତ କରାଯାଇଥିବା 2024-25 ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବରିଷ୍ଠ ମିଡିଆ ସଂଯୋଜକ ପ୍ରତାପ ଜେନା କହିଛନ୍ତି, ମୋହନ ସରକାରର ପ୍ରଥମ ବଜେଟ ସମ୍ପୂର୍ଣ୍ଣ ନୈରାଶ୍ୟଜନକ । ମୋହନ ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବଜେଟରେ କୌଣସି ନୂତନତ୍ବ ନାହିଁ । ଏହା ନବୀନ ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ପ୍ରାୟ 40ରୁ ଉର୍ଦ୍ଧ୍ଵ ଲୋକପ୍ରିୟ ଯୋଜନା ଗୁଡିକର କପି ପେଷ୍ଟ କରାଯାଇଛି । ନବୀନ ସରକାରଙ୍କ ଯୋଜନାର କେବଳ ଏହାର ନାମ ପରିବର୍ତ୍ତନ କରାଯାଇଛି । ବହୁ ପ୍ରଚାରିତ ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାମାନେ ଲାଭବାନ ହେବେ ବୋଲି ଆଶା ବାନ୍ଧି ବସିଥିଲେ । ଏଥିପାଇଁ ମାତ୍ର 10ହଜାର କୋଟି ଟଙ୍କା ଘୋଷିତ ହୋଇଛି । ତେଣୁ ଅତି ବେଶୀରେ ରାଜ୍ୟର କୋଡିଏ ଲକ୍ଷ ମହିଳା ଏଥିରୁ ଲାଭ ପାଇବେ ।
ସେହିପରି ମଧୁବାବୁ ପେନଶନ ଯୋଜନାରେ ହିତାଧିକାରୀଙ୍କ ଭତ୍ତା 3 ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବିଜେପି ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ କେବଳ 80 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପେନଶନ ବୃଦ୍ଧି କରାଯାଇଛି । ଯାହା ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ନିରାଶ କରିଛି । ଅପରପକ୍ଷରେ ଅର୍ଥନୈତିକ ଦୂରଦୃଷ୍ଟୀ, ଶିଳ୍ପ, ରୋଜଗାର, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ଆଦି ବିଷୟରେ ଏ ବଜେଟ ସଂପୂର୍ଣ୍ଣ ନିରବ । ଡବଲ ଇଂଜିନ ସରକାର ହେଲେ ରାଜ୍ୟରେ ବିକାଶର ତ୍ବରାନ୍ବିତ ହେବ ବୋଲି ବିଜେପି ଡିଣ୍ଡିମ ପିଟୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟର ବଜେଟ ରାଜ୍ୟବାସୀଙ୍କୁ ଡବଲ ନିରାଶ କରିଛି ।
ଏହା ବି ପଢନ୍ତୁ- ରାଜ୍ୟରେ ବନ୍ଦ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବଦଳିଲା ‘କାଳିଆ’
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ଆଗତ ନୂତନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରୁ ଓଡିଶାବାସୀ ଅନେକ କିଛି ଆଶା କରିଥିଲେ। କିନ୍ତୁ, ଅଳ୍ପକିଛି ନୂଆ ଘୋଷଣାକୁ ବାଦ୍ ଦେଲେ, ସେମିତି କିଛି ଆଖିଦୃଶିଆ ଯୋଜନା ନାହିଁ।
— Ranendra Pratap Swain (@rajaaswain) July 25, 2024
କୃଷକ, ମହିଳା, ଯୁବବର୍ଗ, ଗରିବ, ମୁଲିଆ ଓ ଖଟିଖିଆଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ…
ସେହିପରି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ Xରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଆଗତ ନୂତନ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରୁ ଓଡିଶାବାସୀ ଅନେକ କିଛି ଆଶା କରିଥିଲେ । କିନ୍ତୁ, ଅଳ୍ପକିଛି ନୂଆ ଘୋଷଣାକୁ ବାଦ ଦେଲେ, ସେମିତି କିଛି ଆଖିଦୃଶିଆ ଯୋଜନା ନାହିଁ । କୃଷକ, ମହିଳା, ଯୁବବର୍ଗ, ଗରିବ, ମୁଲିଆ ଓ ଖଟିଖିଆଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଏହି ବଜେଟ ବିଫଳ ହେଲା ପରି ମନେ ହେଉଛି । ମୋଟାମୋଟି କହିବାକୁ ଗଲେ ନାଁ ପରିବର୍ତ୍ତନ କରି ପୂର୍ବ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ସାରାଂଶରେ କହିବାକୁ ଗଲେ ଏହା କେବଳ ନାମକରଣ ବଦଳି ବଜେଟ । ଆଶା କରୁଛି ଆଗାମୀ ଦିନରେ ଯାହା ବି ଘୋଷଣା ହୋଇଛି ତାହା ସାଧାରଣ ଜନତା ଓ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ।
ଇଟିଭି ଭାରତ, ଭୁବନେଶ୍ବର