ମାଲକାନଗିରି/ହାଇଦ୍ରାବାଦ: 'ବଣ ମଲ୍ଲୀ ବଣରେ ଫୁଟି ବଣରେ ହିଁ ମଉଳି ଯାଏ' । ତେବେ ମଲ୍ଲୀର ବାସ୍ନା ଯେ ଆଖପାଖକୁ ମହକାଇଥାଏ, ଏକଥା ମଧ୍ୟ ସ୍ବୀକାରଯୋଗ୍ୟ । ଏମତି ଏକ ବଣ ମଲ୍ଲୀ ଯିଏ ସୁଦୁର ମାଲକାନଗିରିର ଉପାନ୍ତ ଅଞ୍ଚଳରେ ଫୁଟି, କେବଳ ନିଜ ଜିଲ୍ଲା ନୁହେଁ ସାରା ରାଜ୍ୟକୁ ମହକାଇ ଦେଇଛନ୍ତି । ଆମେ କହୁଛି ମାଲକାନଗିରି ଖଇରପୁଟ ବ୍ଲକ ଗୋବିନ୍ଦପଲ୍ଲୀର ଖୋମାଗୁଡ଼ାର ଜଣେ ବଣ୍ଡା ଝିଅଙ୍କ କଥା । କିଏ ଏହି ଝିଅ ? କାହିଁକି ଚର୍ଚ୍ଚାରେ ତାଙ୍କ ନାଁ ? କଣ ପାଇଁ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି ? ଆସନ୍ତୁ ଜାଣିବା ।
ବଣ୍ଡା ଘାଟିର ଗର୍ବ ଓ ଗୌରବ:
ମାଲକାନଗିରି ଖଇରପୁଟ ବ୍ଲକ ଗୋବିନ୍ଦପଲ୍ଲୀର ଖୋମାଗୁଡ଼ା ଗାଁ । ଗାଁର ଝିଅ ବିନି ମୁଦୁଲି । ଓଡ଼ିଶା ପ୍ରଶାସନିକ ସେବା କମିଶନ (OPSC) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବିନି । ସେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ- OASରେ ୫୯୫ ରାଙ୍କ ପାଇଛନ୍ତି । ଆୟୁର୍ବେଦିକ ଆସିଷ୍ଟାଣ୍ଟ ଭାବେ ଚାକିରି କରି ଆସୁଥିବା ବିନି ଓଏଏସ ପାଇବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଚର୍ଚ୍ଚା ଏଥିପାଇଁ ଯେ, ବିନି ହେଉଛନ୍ତି, ଆଦିମ ଜନଜାତି ବଣ୍ଡା ଘଟିର ପ୍ରଥମ ଝିଅ, ଯିଏ ଓଏଏସ ପାଇଛନ୍ତି । ଏହି ସଫଳତା ସହ ସେ ଇତିହାସ ସୃଷ୍ଟି କରିଛନ୍ତି ।
ବଣ୍ଡା ଘାଟିରୁ ବଡ଼ ଚାକିରି :
ବଣ୍ଡା ଘାଟିର ମଲ୍ଲୀ ବିନି ମୁଦୁଲି । ବିନିଙ୍କ ପିଲା ଦିନ ଏବଂ ପାଠପଢ଼ା ଆରମ୍ଭ ହୁଏ ନିହାତି ସାଧାରଣ ପରିବେଶରେ । ତାଙ୍କ ପ୍ରାଥମିକ ଶିକ୍ଷା ବଣ୍ଡା ଘାଟି ସରକାରୀ ସ୍କୁଲରୁ ଆରମ୍ଭ ହୋଇଥିଲା । ଷଷ୍ଠରୁ ଦଶମ ଜବାହର ନବୋଦୟ ବିଦ୍ୟାଳୟ ମାଲକାନଗିରିରେ ପଢ଼ିଥିଲେ । ସ୍ନାତକ ଏବଂ ସ୍ନାତକୋତ୍ତର ବିକ୍ରମ ସ୍ବୟଂଶାସିତ କଲେଜରେ ପଢ଼ିଥିଲେ ।
ବାପା ରୋଷେୟା, ମାଆ ଅଙ୍ଗନବାଡ଼ି କର୍ମୀ:
ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟ ଗାଁ ଭାବେ ଜଣାଶୁଣା ଖେମାଗୁଡାର ମୁଦୁଲି ପରିବାର । ଗାଁର ରାମ ମୁଦୁଲିଙ୍କ ଝିଅ ବିନି । ବାପା ରାମ ମୁଦୁଲି ବଣ୍ଡା ଘାଟି ମୁଦୁଲିପଡା ହାଇସ୍କୁଲର ରୋଷେୟା( Cook) ଭାବେ କାମ କରନ୍ତି । ମାଆ ସୁନାମଣୀ କିରସାନି ଅଙ୍ଗନବାଡ଼ି କର୍ମୀ । ଏମିତି ଏକ ସାଧାରଣ ପରିବାରୁ ଆସି ଅସାଧାରଣ ପାଲଟିଛନ୍ତି ବିନି ମୁଦୁଲି ।
ବିନା କୋଚିଂରେ OAS:
ବିନି ମୁଦୁଲିଙ୍କ କହିବା ହେଲା ' ଓଏଏସ ପାଇଁ ନିଜେ ହିଁ ପ୍ରସ୍ତୁତି କରୁଥିଲି । ପରୀକ୍ଷା ସଂପର୍କିତ ବହି କିଣି ପଢ଼ିବା ସହ ଅନଲାଇନ ମେଟେରିଆଲ ସାହାଯ୍ୟରେ ପଢୁଥିଲି । ନିର୍ଦ୍ଦିଷ୍ଟ ଭାବେ କୌଣସି କୋଚିଂ ସେଣ୍ଟରରେ ଜଏନ କରିନଥିଲି । କେବଳ ମୁଖ୍ୟ ଲିଖିତ ପରୀକ୍ଷା MAINS ପାଇଁ ସାହାଯ୍ୟ ନେଇଥିଲି । '
ଏହା ମଧ୍ୟ ପଢ଼ନ୍ତୁ-ETV Bharat / state OPSC ପରୀକ୍ଷାରେ ଚମକିଲେ ବଣ୍ଡା ଝିଅ ବିନି, ଜନଜାତିରୁ ପ୍ରଥମ OAS |
ବାପା-ମାଆଙ୍କୁ ସବୁ ଶ୍ରେୟ :
ଓଏଏସ ପାଇବା ପରେ ଭାବ ବିହ୍ବଳ ହୋଇଯାଇଥିଲେ ବିନି । ଆଉ ଏ ସଫଳତା ପାଇଁ ବାପା, ମାଆ ଏବଂ ପରିବାରକୁ ଦେଇଛନ୍ତି ଶ୍ରେୟ । ତାଙ୍କ କହିବା ହେଲା 'ଓଏଏସ ପାଇବା ପଛରେ ବାପା-ମାଆଙ୍କ ଭୂମିକା ସବୁଠୁ ଅଧିକ । ସେମାନଙ୍କ ପ୍ରେରଣା ଏବଂ ପ୍ରଭାବ ମୋ ସଫଳତା କ୍ଷେତ୍ରରେ ସବୁଠୁ ମହତ୍ବପୂର୍ଣ୍ଣ । ଏହାସହ ମୋ ସଫଳତା ପଛରେ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସହପାଠୀଙ୍କ ସହଯୋଗ ରହିଛି । '
ଆଗକୁ ବଢ଼ିବ ବଣ୍ଡା ଜନଜାତି :
ବଣ୍ଡା ଜନଜାତିରୁ ପ୍ରଥମ ଓଏଏସ । ତାହା ପୁଣି ଜଣେ ମହିଳା । ନିଶ୍ଚିହ୍ନ ପ୍ରାୟ ଆଦିମ ଜନଜାତିର ଟେକ ରଖିଛନ୍ତି ବିନି । ଓଡ଼ିଶା ପ୍ରାଶସନିକ ସେବା କମିଶନ ପରୀକ୍ଷା (OPSC)ରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ବିନି ମୁଦୁଲି କହିଛନ୍ତି ଯେ, ' ବଣ୍ଡା ଜନଜାତି ପାଇଁ ଯାହା ସବୁ ବିକାଶ ମୂଳକ କାର୍ଯ୍ୟ ଅଧୁରା ରହିଛି, ସେ ସବୁ ପୂରଣ କରିବାକୁ ଚେଷ୍ଟା କରିବି । ବଣ୍ଡା ଜନଜାତିର ଉନ୍ନତି ପାଇଁ ଯାହା ସବୁ ସରକାରୀ ଯୋଜନା ରହିଛି, ଜଣେ ସରକାରୀ କର୍ମଚାରୀ ଭାବେ ସେସବୁକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରିବି ।' ବିନି ଆହୁରି ମଧ୍ୟ କହିଛନ୍ତି ଯେ ' ମୋର ସଫଳତା କେବଳ ବଣ୍ଡା ଜନଜାତି ନୁହେଁ ବରଂ ସମସ୍ତ ପଛୁଆ ଏବଂ ଆଦିମ ଜନଜାତି ଏବଂ ମହିଳାମାନଙ୍କୁ ପ୍ରେରଣା ଯୋଗାଇବ । '
ଓଡ଼ିଶାରେ ବଣ୍ଡା ଜନଜାତି:
ଓଡିଶାର ଅଛନ୍ତି 62 ପ୍ରକାର ଜନଜାତି, ସେଥିରୁ ବଣ୍ଡା ଜନଜାତି ସମ୍ପୂର୍ଣ୍ଣ ଅଲଗା । 2001ରେ ସରକାର ଏହି ଜନଜାତିଙ୍କୁ PVTG (Particularly Vulnerable Tribe) ବା ଆଦିମ ଶ୍ରେଣୀର ଜନଜାତି ମାନ୍ୟତା ଦେଇଥିଲେ । ସୂଚନା ଅନୁଯାୟୀ ଏହି ଜନଜାତିର ନାମ ବଣ୍ଡା କିନ୍ତୁ ବଣ୍ଡା ଜନଜାତି ନିଜକୁ ' ରେମୋ ' ମଧ୍ୟ କୁହନ୍ତି ।
ବଣ୍ଡା ଜନସଂଖ୍ୟା:
୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ବଣ୍ଡା ଜନସଂଖ୍ୟା ପ୍ରାୟ ୧୨ ,୦୦୦ ଥିଲା । ବଣ୍ଡା ଲୋକେ ସାଧାରଣତଃ ବଣ୍ଡା ଭାଷାରେ ( ରେମୋସାମ ) କଥାବାର୍ତ୍ତା କରିଥାନ୍ତି । ଏହି ଜନଜାତିର ସଂସ୍କୃତି ଅବକ୍ଷୟକୁ ଆଖି ଆଗରେ ରଖି ଓଡ଼ିଶା ସରକାର ୧୯୭୭ ମସିହାରେ ବଣ୍ଡା ଉନ୍ନୟନ ପ୍ରକଳ୍ପର (bda) ଆରମ୍ଭ କରିଥିଲେ । ବଣ୍ଡାମାନଙ୍କର ଆୟୁ କମ ଏବଂ ସେମାନଙ୍କ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଓଡ଼ିଶାରେ କେଉଁଠି ରୁହନ୍ତି ବଣ୍ଡା ଅଧିବାସୀ :
ସୂଚନା ଅନୁସାରେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ବାସ କରନ୍ତି ବଣ୍ଡା ଜନଜାତି । ଜିଲ୍ଲାର ଖଇରିପୁଟ ବ୍ଲକ ହାତଗଣତି ବଣ୍ଡା ଘାଟିରେ ବସବାସ କରନ୍ତି ଏହି ଜନଜାତି । ବଣ୍ଡା ଜନଜାତି ଦୁଇ ଭାଗରେ ବିଭକ୍ତ । ଯଥା ଉପର ବଣ୍ଡା ଏବଂ ତଳୁଆ ବଣ୍ଡା । ଉପର ବଣ୍ଡା ଜନଜାତି ପାହାଡ଼ ଉପରେ ବସବାସ କରନ୍ତି । ସେମାନଙ୍କ ସଂଖ୍ୟା ପାଖାପାଖି ୬,୭୦୦ । ସେହିପରି ତଳୁଆ ବଣ୍ଡା ବା ପାହାଡ଼ ତଳି ଜଙ୍ଗଲରେ ବାସ କରୁଥିବା ବଣ୍ଡାଙ୍କ ସଂଖ୍ୟା ପାଖାପାଖି ୧୭,୦୦୦ । ଉପର ବଣ୍ଡା ଜନଜାତି ଅନ୍ୟମାନଙ୍କଠାରୁ ସଂପୂର୍ଣ୍ଣ ଅଲଗା ହୋଇ ରହିଥାନ୍ତି ବା ସେମାନେ ସମାଜର ମୁଖ୍ୟ ସ୍ରୋତଠାରୁ ଅଲଗା । ଅନ୍ୟ କୌଣସି ସମୁଦାୟ ବା ସଂପ୍ରଦାୟ ସହ ସେମାନଙ୍କ ସଂପର୍କ ନଥାଏ । ଏପରିକି ସେମାନେ ପାହାଡ଼ ତଳକୁ ମଧ୍ୟ ଆସିବାକୁ ପସନ୍ଦ କରନ୍ତି ନାହିଁ । ଅନ୍ୟପକ୍ଷରେ ତଳୁଆ ବଣ୍ଡା ଅଧିବାସୀମାନେ ସମୟାନୁକ୍ରମେ ସାମାଜିକ ସଂପର୍କ ସ୍ଥାପନ କରିବା ଆରମ୍ଭ କରିଥିବା ଜଣାପଡ଼ୁଛି ।
- ମାଲକାନଗିରି ଖଇରିପୁଟ ବ୍ଲକ ବଣ୍ଡା ଘାଟିରେ ବସବାସ କରନ୍ତି ବଣ୍ଡା ଜନଜାତି
- ସେମାନେ ଉପର ବଣ୍ଡା ଏବଂ ତଳୁଆ ବଣ୍ଡା ଭାବେ ପରିଚିତ
- ଉପର ବଣ୍ଡା ଜନଜାତି ପାହାଡ଼ ଉପରେ ବସବାସ କରନ୍ତି
- ଉପର ବଣ୍ଡାଙ୍କ ସଂଖ୍ୟା ପାଖାପାଖି ୬,୭୦୦
- ତଳୁଆ ବଣ୍ଡା ବା ପାହାଡ଼ ତଳି ଜଙ୍ଗଲରେ ବାସ କରୁଥିବା ବଣ୍ଡାଙ୍କ ସଂଖ୍ୟା ପାଖାପାଖି ୧୭,୦୦୦
ବଣ୍ଡା ଜନଜାତିର ଉତ୍ପତ୍ତି :
ବଣ୍ଡା ଜନଜାତି ପ୍ରାୟ ୬୦ ହଜାର ବର୍ଷ ପୂର୍ବେ ଆଫ୍ରିକାରୁ ପ୍ରଥମ ପର୍ଯ୍ୟାୟରେ ବିସ୍ଥାପିତ ମନୁଷ୍ୟ ଜାତି ମଧ୍ୟରୁ ଅନ୍ୟତମ । ନୃତତ୍ତ୍ବବିତଙ୍କ ମତରେ ସେମାନେ ଅଷ୍ଟ୍ରୋଏସିଆଟିକ ଜନଜାତିର ଏକ ଗୋଷ୍ଠୀର ସଦସ୍ୟ । ସେମାନେ ପ୍ରାଚୀନ ଅତୀତରେ ଜୟପୁର ପାହାଡ଼ରେ ପ୍ରାୟ ୧୩୦ ବର୍ଗ କିଲୋମିଟର ଅଞ୍ଚଳକୁ (ବର୍ତ୍ତମାନ ଓଡ଼ିଶାର ମାଲକାନଗିରି ଜିଲ୍ଲା) ନିଜର ସ୍ଥାୟୀ ବାସସ୍ଥଳୀ କରିଥିଲେ । ବଣ୍ଡାମାନେ ରହୁଥିବା ପାହାଡ଼ଗୁଡ଼ିକୁ ବଣ୍ଡା ପାହାଡ଼ କୁହାଯାଏ । ବଣ୍ଡା ଜନଜାତି ଦୁଇ ଭାଗରେ ବିଭକ୍ତ , ଯଥା ଉପର ବଣ୍ଡା ଏବଂ ତଳୁଆ ବଣ୍ଡା । ଉପର ବଣ୍ଡାମାନଙ୍କର ବାହ୍ୟ ଜଗତ ସହିତ ପ୍ରାୟ କୌଣସି ସମ୍ପର୍କ ନାହିଁ । ସେମାନେ ଖଇରିପୁଟ ବ୍ଲକରେ ଥିବା ଡାକ୍ତରଖାନାକୁ ଚିକିତ୍ସା ପାଇଁ ମଧ୍ୟ ଆସିବାକୁ ପସନ୍ଦ କରନ୍ତି ନାହିଁ । ବଣ୍ଡା ଆଦିବାସୀ ସାଧାରଣତଃ ୯ ପ୍ରକାର ସମୂହରେ ବିଭାଜିତ । ସେଥିରୁ ପ୍ରମୁଖ ହେଉଛନ୍ତି- ବଡନାୟକ , ସୀସା , ଜିଗରୀ , ଚାଲନ ଏବଂ ମାନ୍ଦରା ।
- ବଣ୍ଡା ଜନଜାତି ୬୦ ହଜାର ବର୍ଷ ପୁରୁଣା ମନୁଷ୍ୟ ଜାତିରୁ ଅନ୍ୟତମ
- ଏମାନେ ଅଷ୍ଟ୍ରୋଏସିଆଟିକ ଜନଜାତିର ଏକ ଗୋଷ୍ଠୀର ସଦସ୍ୟ
- ଜୟପୁର ପାହାଡ଼ରେ ୧୩୦ ବର୍ଗ କିଲୋମିଟର ଅଞ୍ଚଳ ସେମାନଙ୍କ ବାସସ୍ଥଳୀ
- ବଣ୍ଡା ଜନଜାତି ରହୁଥିବା ପାହାଡ଼କୁ ବଣ୍ଡା ପାହାଡ଼ କୁହାଯାଏ
- ବଣ୍ଡା ଜନଜାତି ଦୁଇ ଭାଗରେ ବିଭକ୍ତ- ୧: ଉପର ବଣ୍ଡା ଏବଂ ୨ : ତଳୁଆ ବଣ୍ଡା
- ଉପର ବଣ୍ଡାମାନଙ୍କର ବାହ୍ୟ ଜଗତ ସହିତ ପ୍ରାୟ କୌଣସି ସମ୍ପର୍କ ନଥାଏ
- ବଣ୍ଡା ଆଦିବାସୀ ୯ ପ୍ରକାର । ସେଥିରୁ ପ୍ରମୁଖ - ବଡ଼ନାୟକ, ସୀସା , ଜିଗରୀ , ଚାଲନ ଏବଂ ମାନ୍ଦରା