ଭୁବନେଶ୍ବର: 2024 ନିର୍ବାଚନରେ ରାଜ୍ୟରେ ଏକାଥରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ମେ 13 ତଥା ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ । ଓଡ଼ିଶା ବିଧାନସଭା ନିର୍ବାଚନ 2024ର ପ୍ରଥମ ପର୍ଯ୍ୟାୟ ମତଦାନରେ ମୈଦାନରେ ଅଛନ୍ତି ମୋଟ 243 ପ୍ରାର୍ଥୀ । ରାତି ପାହିଲେ 28 ଆସନରେ ପଡ଼ିବ ଭୋଟ୍ । ନିଜ ନିଜ ଅଞ୍ଚଳରେ ବିଧାୟକ ବାଛିବେ ଭୋଟର ।
![ODISHA ASSEMBLY ELECTION 2024](https://etvbharatimages.akamaized.net/etvbharat/prod-images/12-05-2024/21451681_1.jpg)
![ODISHA ASSEMBLY ELECTION 2024](https://etvbharatimages.akamaized.net/etvbharat/prod-images/12-05-2024/21451681_5.jpg)
ମୈଦାନରେ 243 ପ୍ରାର୍ଥୀ:- ପ୍ରଥମ ପର୍ଯ୍ୟାୟ ମତଦାନରେ 4 ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା 8 ଜିଲ୍ଲାର 28ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସାବ୍ୟସ୍ତ କରିବେ ଭୋଟର । ମୈଦାନରେ 243 ପ୍ରାର୍ଥୀ ଥିବା ବେଳେ ସେଥିମଧ୍ୟରୁ 211 ପୁରୁଷ ଓ 32 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେହିପରି 11ଟି ଜେନେରାଲ ଆସନ ଥିବା ବେଳେ 14ଟି ଅନୁସୂଚିତ ଜନଜାତି ଓ 3ଟି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ 485 ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ 406ଜଣଙ୍କ ନାମାଙ୍କନ ଗ୍ରହଣ ହୋଇଥିବା ବେଳେ 53ଜଣ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିଲା । ସେପଟେ 15 ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ଏଣୁ ଏବେ ମୈଦାନରେ 243 ପ୍ରାର୍ଥୀ ଅଛନ୍ତି ।
![ODISHA ASSEMBLY ELECTION 2024](https://etvbharatimages.akamaized.net/etvbharat/prod-images/12-05-2024/21451681_9.jpg)
![ODISHA ASSEMBLY ELECTION 2024](https://etvbharatimages.akamaized.net/etvbharat/prod-images/12-05-2024/21451681_8.jpg)
କୋଟିପତି ବିଧାୟକ ପ୍ରାର୍ଥୀ: ମୋଟ 243 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 70ଜଣ ପ୍ରାର୍ଥୀ କୋଟିପତି । ଏମାନଙ୍କ ମଧ୍ୟରୁ 33କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ସହିତ ବିଜେଡି ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ର ପ୍ରଥମରେ ଅଛନ୍ତି । ଦ୍ବିତୀୟରେ ବିଜେଡି ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ଅଛନ୍ତି । ଏହି ତାଲିକାର ତୃତୀୟ, ଚତୁର୍ଥ, ପଞ୍ଚମରେ ଯଥାକ୍ରମେ ବିଜେପି ଧର୍ମଗଡ଼ ପ୍ରାର୍ଥୀ ସୁଧିର ରଞ୍ଜନ ପାଟ୍ଟଯୋଶୀ, ବିଜେଡି ଜୁନାଗଡ଼ ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ର ଓ ବିଜେଡି ଜୟପୁର ବିଧାୟକ ପ୍ରାର୍ଥୀ ଇନ୍ଦିରା ନନ୍ଦ ଅଛନ୍ତି ।
![ODISHA ASSEMBLY ELECTION 2024](https://etvbharatimages.akamaized.net/etvbharat/prod-images/12-05-2024/21451681_11.jpg)
![ODISHA ASSEMBLY ELECTION 2024](https://etvbharatimages.akamaized.net/etvbharat/prod-images/12-05-2024/21451681_12.jpg)
ଅପରାଧିକ ମାମଲାରେ ଜଡ଼ିତ ପ୍ରାର୍ଥୀ:- ବିଧାନସଭା ନିର୍ବାଚନ ଲଢୁଥିବା ମୋଟ 243 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 65 ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସବୁଠୁ ଅଧିକ ଅପରାଧିକ ମାମଲା ବ୍ରହ୍ମପୁର ସ୍ବାଧୀନ ପ୍ରାର୍ଥୀ ଶିବ ଶଙ୍କର ଦାଶଙ୍କ ନାଁରେ ରହିଛି । ଦ୍ବିତୀୟରେ ଗଞ୍ଜାମ ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ଜେନା ଅଛନ୍ତି । ତୃତୀୟରେ ଗଞ୍ଜାମ ଜିଲ୍ଲା ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦିଆନ ସାମନ୍ତରାୟ ଥିବା ବେଳେ ଚତୁର୍ଥ ଓ ପଞ୍ଚମରେ ଯଥାକ୍ରମରେ ଖଡ଼ିଆଳ କଂଗ୍ରେସ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି ଓ ବିଷମକଟକ ବିଏସପି ବିଧାୟକ ପ୍ରାର୍ଥୀ ଜିତେନ୍ଦ୍ର ଜାକାକା ଅଛନ୍ତି ।
![ODISHA ASSEMBLY ELECTION 2024](https://etvbharatimages.akamaized.net/etvbharat/prod-images/12-05-2024/21451681_6.jpg)
![ODISHA ASSEMBLY ELECTION 2024](https://etvbharatimages.akamaized.net/etvbharat/prod-images/12-05-2024/21451681_13.jpg)
![ODISHA ASSEMBLY ELECTION 2024](https://etvbharatimages.akamaized.net/etvbharat/prod-images/12-05-2024/21451681_1uu.jpg)
![ODISHA ASSEMBLY ELECTION 2024](https://etvbharatimages.akamaized.net/etvbharat/prod-images/12-05-2024/21451681_7.jpg)
ପ୍ରମୁଖ ଆସନ ଓ ପ୍ରାର୍ଥୀ:- ଓଡ଼ିଶା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ପ୍ରମୁଖ ଆସନ ହେଉଛି ଦିଗପହଣ୍ଡି, ବ୍ରହ୍ମପୁର, ଗୋପାଳପୁର, ଚିକିଟି, ନୂଆପଡ଼ା ଓ ଜୟପୁର ନିର୍ବାଚନ ମଣ୍ଡଳୀ । ସେହିପରି ପ୍ରମୁଖ ପ୍ରାର୍ଥୀ ମଧ୍ୟରେ ରହିଛନ୍ତି ଦିଗପହଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଚିକିଟି କଂଗ୍ରେସ ବିଧାୟକ ପ୍ରାର୍ଥୀ ରବିନ୍ଦ୍ରନାଥ ଦିଆନ ସାମନ୍ତରାୟ, ଚିକିଟି ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପଦେବ, ଧର୍ମଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ, ଜୟପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ଓ ନୂଆପଡ଼ା କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ।
![ODISHA ASSEMBLY ELECTION 2024](https://etvbharatimages.akamaized.net/etvbharat/prod-images/12-05-2024/21451681_4.jpg)
![ODISHA ASSEMBLY ELECTION 2024](https://etvbharatimages.akamaized.net/etvbharat/prod-images/12-05-2024/21451681_2.jpg)
ଏହା ବି ପଢନ୍ତୁ- 2024 ଲୋକସଭା ନିର୍ବାଚନ; ରାତି ପାହିଲେ ପଡ଼ିବ ଭୋଟ, 37 ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ