ସମ୍ବଲପୁର: ତତଲା ତାୱାରେ ଭାଜି ହେଉଛି ସମ୍ବଲପୁର ସହର l ଗତ 4 ଦିନ ହେଲା ସମ୍ବଲପୁର ସହରର ତାପମାତ୍ରା 45 ଡିଗ୍ରୀ ଉପରେ ରହୁଛି l ଗତକାଲି (ଗୁରୁବାର) 46.02 ଡିଗ୍ରୀ ସେଲସିୟସ ଥିବା ବେଳେ ବୁଧବାର 45.6 ଡିଗ୍ରୀ ସେଲସିୟସ ରହିଥିଲା । ଗୋଟିଏ ପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ତ ଅନ୍ୟପଟେ ଗୁଳୁଗୁଳି ସାଧରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି l ଅନ୍ୟପଟେ ଅଘୋଷିତ ବିଜୁଳୀ କାଟ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ କରି ପକାଇଛି l
ସମ୍ବଲପୁର ସହରରେ ବର୍ତ୍ତମାନ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି l ସକାଳ 10ଟା ପରେ ଘରୁ ବାହାରିବା ଏକପ୍ରକାର ମୁସ୍କିଲ ହୋଇଯାଉଛି l ଅତ୍ୟାବଶ୍ୟକୀୟ କାମ ଥିଲେ ଲୋକେ ଘରୁ ବାହାରିବାକୁ ବାଧ୍ୟ ହେଉଛନ୍ତି । ଯେଉଁମାନେ ଘରୁ ବାହାରୁଛନ୍ତି ଛତା ଧରି, ମୁହଁରେ ଗାମୁଛା ବା କପଡା ଘୋଡେଇହୋଇ ବାହାରୁଛନ୍ତି l ଗରମରୁ ନିସ୍ତାର ପାଇବା ପାଇଁ ଲସି ସରବତ ପିଉଛନ୍ତି l
ସ୍ଥାନୀୟ ଲୋକଙ୍କ ମତରେ ଚଳିତ ବର୍ଷ ଗତ ବର୍ଷ ଅପେକ୍ଷା ଅଧିକ ଗରମ ଅନୁଭୂତ ହେଉଛି l ତାପମାତ୍ରା 45 ଥିଲେ ମଧ୍ୟ 50 ଡିଗ୍ରୀ ଭଳି ଅନୁଭବ ହେଉଛି l ରାସ୍ତା ପ୍ରଶସ୍ତୀକରଣ ନାଁରେ ସମ୍ବଲପୁର ସହରର ବହୁ ବଡ଼ ବଡ଼ ପୁରୁଣା ଗଛ କାଟି କଂକ୍ରିଟକରଣ କରାଗଲା l କିନ୍ତୁ ନୂଆ ଗଛ ଲଗାଗଲା ନାହିଁ l ତେଣୁ ସହରର ତାପମାତ୍ରା ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପଟେ ବର୍ତ୍ତମାନ ସହରରେ ବିଦ୍ୟୁତ ବ୍ୟବହାର ବହୁ ଗୁଣା ବୃଦ୍ଧି ପାଇଛି l ତେଣୁ ଦିନ ହେଉ କି ରାତି ହେଉ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଛି l ଏହା ଦ୍ୱାରା ଲୋକମାନେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ।
ଏହାମଧ୍ୟ ପଢନ୍ତୁ.. ରାଉରକେଲାରେ ୧୦ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ, ଅଂଶୁଘାତ ସନ୍ଦେହ - Unnatural Deaths In Rourkela
ପରିବେଶବିତ ତଥା ଉଦ୍ଭିଦ ବିଜ୍ଞାନୀ ପ୍ରଦୋଷ କୁମାର ଆଚାର୍ଯ୍ୟ କହିଛନ୍ତି ଯେ, ସମ୍ବଲପୁର ସହରରେ ବହୁ ପ୍ରାକୃତିକ ସମ୍ପଦ ରହିଛି l ସହରରେ ଏକାଧିକ ସଂରକ୍ଷିତ ଜଙ୍ଗଲ ରହିଛି କିନ୍ତୁ ସେଠାରେ ବୃକ୍ଷ ସଂଖ୍ୟା ହ୍ରାସ ପାଇଛି l ବିକାଶ ପାଇଁ ସହରର ବହୁ ଗଛ କଟା ଯାଇଛି ତେବେ ଏଥିପାଇଁ କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ l ଗଛ କଟା ଯିବାର 5 ବର୍ଷ ପୂର୍ବରୁ ବନୀକରଣ କରାଯିବା ଉଚିତ l କିନ୍ତୁ ତାହା ଠିକ ଭାବେ ହୋଇ ପାରୁନାହିଁ l ଏହା ସହ ସହରରେ ACର ବ୍ୟବହାର ବହୁ ପରିମାଣରେ ବୃଦ୍ଧି ପାଉଛି l ଏହି ସବୁ କାରଣ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି l ତେଣୁ ସରକାର ବୃକ୍ଷ ରୋପଣ ପାଇଁ ନୂତନ ନୀତି ପ୍ରଣୟନ କରିବା ଉଚିତ ବୋଲି କହିଛନ୍ତି ପରିବେଶବିତ l
ଅନ୍ୟପଟେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରସନା ଭୋଇ କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଜିଲ୍ଲାର ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ରୋଗୀଙ୍କ ପାଇଁ AC ଓ କୁଲରର ବ୍ୟବସ୍ଥା କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଚିଠି କରାଯାଇଛି l ଯାତ୍ରୀବାହି ବସ ଗୁଡିକରେ ମେଡ଼ିସିନ, ଓ଼ଆରଏସ ପାଉଡର, ପର୍ଯ୍ୟାପ୍ତ ପାନୀୟ ଜଳ ଯେପରି ମହଜୁଦ ରହେ ସେଥିପାଇଁ RTOଙ୍କୁ ଚିଠି କରାଯାଇଛି l ଅଂଶୁଘାତ ସମସ୍ୟା ପାଇଁ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି l ଚଳିତ ବର୍ଷ ମେ 28 ସୁଦ୍ଧା 131 ଜଣ ଅଂଶୁଘାତର ଶିକାର ହୋଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରେ ସୂଚନା ରହିଛି ତେବେ ଅଂଶୁଘାତ ଜନିତ ମୃତ୍ୟୁର କୌଣସି ଖବର ନାହିଁ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି l
ସମ୍ବଲପୁର, ଇଟିଭି ଭାରତ