ଭୁବନେଶ୍ବର: ଆଉ ଯାତ୍ରାରେ ଚାଲିବନି ଅଶ୍ଲୀଳତା । ଏହା ଉପରେ ଲାଗିବ ରୋକ୍ । ଯାତ୍ରା ମଞ୍ଚରେ ଅଶ୍ଲୀଳତାକୁ ବନ୍ଦ କରିବାକୁ ମାର୍ଗଦର୍ଶିକା ଆଣିବାକୁ ଯାଉଛନ୍ତି ମୋହନ ମାଝୀ ସରକାର । ଏଥିପାଇଁ ଚାଲିଛି ବିଚାର ବିମର୍ଷ । ଏନେଇ ଆଜି ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଶୀ ସୂରଜ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ସ୍ବାଗତ କରିଛନ୍ତି ।
ଯାତ୍ରା ପାଇଁ ଆସିବ ମାର୍ଗଦର୍ଶିକା:
ଯାତ୍ରା ମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଷଣ ଉପରେ ଲାଗିବ ଛାଟ । ଯାତ୍ରାରେ ଅଶ୍ଲୀଳତା ନେଇ କଠୋର ମୋହନ ମାଝୀ ସରକାର । ଏସବୁରେ ରୋକ ପାଇଁ ଆସୁଛି ଗାଇଡଲାଇନ । ଏହି ପ୍ରସଙ୍ଗ ଆଜି(ଶୁକ୍ରବାର) ବିଧାନସଭାରେ ଉଠିବା ପରେ ନୂଆ ଗାଇଡଲାଇନ ଆଣିବାକୁ ବିଚାର ବିମର୍ଷ କରାଯାଉଥିବା ଜଣାଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
କଣ କହିଲେ ଆଇନମନ୍ତ୍ରୀ ?
ଏହି ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଖୁବଶୀଘ୍ର ସଂସ୍କୃତି ବିଭାଗ ଏଥିପାଇଁ ମାର୍ଗଦର୍ଶିକା ଆଣିବାକୁ ଯାଉଛି । ଏ ବାବଦରେ କଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ସରକାର ବିଚାର ବିମର୍ଷ କରୁଛନ୍ତି ।’
ଅଶ୍ଲୀଳ ପ୍ରଦର୍ଶନ ଗ୍ରହଣୀୟ ନୁହେଁ:
ଏନେଇ ବିଜେପି ବିଧାୟକ ଆକାଶ ଦାସ ନାୟକ କହିଛନ୍ତି, ‘ଉତ୍କର୍ଷ କଳାର ଦେଶ ହେଉଛି ଉତ୍କଳ । କିଛି ଦିନ ହେଲା ଦେଖାଯାଉଛି ଯାତ୍ରାରେ ଅଶ୍ଲୀଳତା ଦେଖାଯାଉଛି । ଏହା ସମସ୍ତେ କରୁନାହାନ୍ତି । କିଛି ଏଥିରେ ସଂଶ୍ଲିଷ୍ଟ ଅଛନ୍ତି । ବହୁତ ଜଣଙ୍କୁ ଏହା ଆଘାତ ଦେଇଛି । ନିଶ୍ଚିତ ଭାବରେ ଏସବୁ ଉପରେ ପୂର୍ଣ୍ଣଚ୍ଛେଦ ପଡିବା ଆବଶ୍ୟକ । ଯାତ୍ରାରେ ଅଶ୍ଲୀଳତା ବନ୍ଦ ହେବା ଦରକାର । ଯାତ୍ରା ପାଇଁ ଆୱାର୍ଡ ମିଳିବା ମଧ୍ୟ ଦରକାର । କିନ୍ତୁ ଏହି ଅଶ୍ଲୀଳତାକୁ ବନ୍ଦ କରାଯିବା ଦରକାର । ସିନେମା ହଲ ସଂଖ୍ୟା ବଢିବା ସହ ନୂଆ ଚଳଚ୍ଚିତ୍ର ନୀତି ଆସିବା ଦରକାର । ସେଥିରେ ଓଡ଼ିଆ ଫିଲ୍ମର ଅଭିବୃଦ୍ଧିକୁ ଦୃଷ୍ଟି ଦେବା ସହ ହଲ ଖୋଲିବା ପାଇଁ ମାଲିକ ମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇଦେବା ଦରକାର ।’
ସୀମା ଲଙ୍ଘୁଛି ଓଡ଼ିଆ ଯାତ୍ରା: ବିଜେଡି
ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି, ‘ଓଡିଆ ଯାତ୍ରା ସୀମା ଲଙ୍ଘିଛି । ପୂର୍ବରୁ ଆମେ ପରିବାର ସାଥିରେ ହେଉ ଅବା ସାଙ୍ଗ ସାଥୀଙ୍କ ସହ ଯାତ୍ରା ଦେଖିବାକୁ ଯାଉଥିଲୁ । ହେଲେ ଏବେ ପରିବାର କଥା ଛାଡନ୍ତୁ ସାଙ୍ଗ ସାଥୀଙ୍କ ସହ ଯାତ୍ରା ଦେଖିବାକୁ ଲଜ୍ଜା ଅନୁଭବ ହେଉଛି । ଆମେ ସ୍ବାଗତ କରିବୁ ସରକାର ଯଦି ସଂସ୍କୃତିର ସୁରକ୍ଷା ପାଇଁ କିଛି ପଦକ୍ଷେପ ନେବେ । ଫିଲ୍ମରେ ଯେପରି ସେସନର ବୋର୍ଡ ରହୁଛି ଯାତ୍ରାରେ ମଧ୍ୟ ସେମିତି ଏକ ସେସନର ବୋର୍ଡ ରହିବାର ଦଳମତ ନିର୍ବିଶେଷରେ ସମସ୍ତେ ମତ ପ୍ରକାଶ କରିବେ । ଓଡିଆ ଅସ୍ମିତା କଥା କହୁଛି । ଓଡିଆ ସଂସ୍କୃତିକୁ ରଖି ଯାତ୍ରା ପରିବେଶଣ କରାଯାଉ । ଯେଉଁ ମାଲିକ ଏସବୁକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।’
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି କହିଛନ୍ତି, ‘ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛୁ । ପରିବାର ସହ କେହି ଯଦି ଯାତ୍ରା ଦେଖିବାକୁ ଯାଉଛନ୍ତି ଅଶ୍ଲୀଳତା ଦେଖାଇବା ନିହାତି ନିନ୍ଦନୀୟ କଥା । ଏଥି ପାଇଁ କଠୋର ଆଇନ ଆସୁ ।’
ସୂଚନା ଥାଉକି, ଗତ କିଛି ମାସ ଧରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଯାତ୍ରା ମଞ୍ଚରେ ଖୋଲା ଖୋଲି ଅଙ୍ଗ ପ୍ରଦର୍ଶନକୁ ନେଇ ବିଭିନ୍ନ ବୁଦ୍ଧିଜୀବୀ ଏହାକୁ ନିନ୍ଦା କରୁଛନ୍ତି । ଏସବୁ ଉପରେ ରୋକ ଲଗାଇବା ପାଇଁ ସାଧାରଣରେ ଦାବି ହୋଇଆସୁଥିଲା । ତେବେ ଏସବୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାତ୍ରାରେ ଅଶ୍ଲୀଳତାକୁ ବନ୍ଦ କରିବା ପାଇଁ ମାର୍ଗଦର୍ଶିକା ଆଣିବାକୁ ଯାଉଛନ୍ତି । ଏହାକୁ ଦୁଇ ବିରୋଧି ବିଜେଡି ଓ କଂଗ୍ରେସ ସ୍ବାଗତ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର