ଭୁବନେଶ୍ୱର: ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସକ୍ରିୟ ହୋଇଛି ବିଜେଡି ଶିବିର । ଦିନକରେ ଦୁଇ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୋମବାର ପୂର୍ବାହ୍ନରେ ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଡାକି ଆଲୋଚନା କରିଥିଲେ ନବୀନ । ଅପରାହ୍ନ ସାଢେ 4ଟାରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଧାୟକଙ୍କୁ ଡାକି ଆଲୋଚନା କରିଥିଲେ ସୁପ୍ରିମୋ । ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ ଏହି ବୈଠକରେ ଉପସ୍ଥିତ ଥିଲେ ।
ସେହିପରି କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମହାକାଳପଡ଼ା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ସାଲେପୁର ପ୍ରଶାନ୍ତ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଏବଂ ଦଳରେ ସାମିଲ ହୋଇଥିବା ଅଂଶୁମାନ ମହାନ୍ତି ଓ ଅରବିନ୍ଦ ମହାପାତ୍ର ମଧ୍ୟ ବୈଠକରେ ସାମିଲ ଥିଲେ । ଦୀର୍ଘ 4 ଘଣ୍ଟା ଧରି ବିଜେଡି ସଭାପତି ଦଳୀୟ ନେତାମାନଙ୍କ ସହିତ ଆଲୋଚନା କରିଥିଲେ । ତେବେ ବୈଠକ ସରିବା ପରେ ମଧ୍ୟ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଅଂଶୁମାନ ମହାନ୍ତି ଓ ଅରବିନ୍ଦ ମହାପାତ୍ର ନବୀନ ନିବାସରେ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢନ୍ତୁ-ଆଦିବାସୀ ଭାଷାକୁ ସମ୍ବିଧାନରେ ସ୍ଥାନ ଦେବାକୁ ଉଦ୍ୟମ ଚାଲିଛି: ବିଜେଡି
ବୈଠକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିନଥିଲା । ତାଙ୍କୁ ବୈଠକକୁ ଡକା ଯାଇନଥିଲା ନା ସେ ନିଜ ଆଡୁ ଅନୁପସ୍ଥିତ ଥିଲେ ତାହା ଜଣାପଡିନାହିଁ । ପାରିବାରିକ ସମସ୍ୟା ପାଇଁ ବିବାଦୀୟ ହୋଇଥିବା ଅନୁଭବଙ୍କୁ ଦୀର୍ଘ ଦିନ ହେବ କୌଣସି କାର୍ଯ୍ୟକ୍ରମରେ ସାମିଲ କରୁନଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ସହ ଏହା ଅନ୍ତର୍ଗତ ସମସ୍ତ 7 ବିଧାନସଭା ବିଜେଡି ଖାତାରେ ଅଛି । କିନ୍ତୁ କିଛି ନେତା ବିବାଦୀୟ ହେବା ସହ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ ବିଜେଡି ଥିଙ୍କ ଟ୍ୟାଙ୍କର ମୁଣ୍ଡ ବିନ୍ଧାର କାରଣ ସାଜିଛି । ପାରିବାରିକ ସମସ୍ୟା ପାଇଁ ସାଂସଦ ଅନୁଭବ ମହାନ୍ତି, ଡବଲ ମର୍ଡର ପାଇଁ ମାହାଙ୍ଗା ବିଧାୟକ ପ୍ରତାପ ଜେନା ବିବାଦୀୟ ହୋଇଛନ୍ତି ।
ସମ୍ଭାବ୍ୟ ମେଣ୍ଟ ପାଇଁ ବଦଳୁଥିବା ରାଜନୈତିକ ପରିବେଶରେ ନିଜକୁ ଖାପ ଖୁଆଇବାକୁ ବିଜେଡି ଅଙ୍କ କଷୁଛି । ଯଦି ମେଣ୍ଟ ହୁଏ ତେବେ ଜିଲ୍ଲାରେ କାହାକୁ ଟିକେଟ ମିଳିବ ଆଉ କାହାର କଟିବ, ପରବର୍ତ୍ତୀ ସମୟରେ ଏଥିପାଇଁ କ'ଣ ସମୀକରଣ ହେବ ସେନେଇ ଦଳ ରୋଡ଼ମ୍ୟାପ ପ୍ରସ୍ତୁତ କରୁଛି । ବିବାଦୀୟ ନେତାଙ୍କୁ ହଟାଇ ଦଳ ଆଗକୁ ବଢିବ ନା ସେମାନଙ୍କୁ ମ୍ୟାନେଜ କରାଯିବ ତାହା ଦଳର ଚିନ୍ତା କରୁଛି ।
ବୈଠକ ପରେ ଆଳି ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ, ''ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ସ୍ଥିତି ବାବଦରେ ଆଜି ଆଲୋଚନା କରିବାକୁ ଡାକିଥିଲେ । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀ ବାବଦରେ ବିସ୍ତୃତ ଭାବରେ ଆଲୋଚନା ହୋଇଛି । ନିର୍ବାଚନ ଲଢ଼ିବା ଲାଗି ଦଳର କେମିତି ପ୍ରସ୍ତୁତି ରହିଛି ସେ ବାବଦରେ ବିଷଦ ଆଲୋଚନା ହୋଇଛି । ସର୍ବାଧିକ ଭୋଟରେ କିପରି ବିଜୟ ହେବ ସେନେଇ ଆଲୋଚନା ହୋଇଛି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରକୁ ଏକ ନମ୍ବର କରିବା ଲାଗି ଆମେ ସଂକଳ୍ପ ନେଇଛୁ । ଯେହେତୁ ଏହା ବିଜୁ ବାବୁଙ୍କ କର୍ମଭୂମି ଥିଲା, ତେଣୁ ଦଳ କେନ୍ଦ୍ରାପଡାକୁ ଅଧିକ ଗୁରୁତ୍ୱ ଦେଉଛି ।''
ଇଟିଭି ଭାରତ, ଭୁବନେଶ୍ୱର