ଭୁବନେଶ୍ବର/କୋରାପୁଟ: ଏଣିକି ସ୍ଵାତିକ ଢଙ୍ଗରେ "କରୁଣା ସିଲକ"ରେ ତିଆରି ହେବ ମହାପ୍ରଭୁ ଜଗନ୍ନାଥଙ୍କ ପାଟବସ୍ତ୍ର । ଦଶମ ଜାତୀୟ ହସ୍ତତନ୍ତ ଦିବସରେ ଏହି ପ୍ରତିକ୍ରିୟା ରଖିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ । ଅରବିନ୍ଦ ପାଢ଼ୀ,"କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପାଟବସ୍ତ୍ର ରେଶମ ସିଲକରୁ ଉତ୍ପାଦନ ହେଉଥିବା ବେଳେ ଏହାଦ୍ୱାରା ରେଶମ ପୋକ ମରିଯାଉଛି । ଯାହା ଏକ ହିଂସା ହେଉଛି ବା ଏକ ଜୀବର ହତ୍ୟା ପରେ ଏହି ସିଲକ ପ୍ରସ୍ତୁତ ହେଉଛି । ତେଣୁ ଆମ ବିଭାଗ ପକ୍ଷରୁ ଅହିଂସାଭାବ ପ୍ରକ୍ରିୟାରେ ଏଣିକି ପାଟବସ୍ତ୍ର ତିଆରି ହେବ । ଏଥିପାଇଁ ଅହିଂସା ସିଲକ ବା ସ୍ଵାତିକ ପ୍ରକ୍ରିୟାରେ ପ୍ରସ୍ତୁତ ସିଲକରେ ଏଥର ପାଟବସ୍ତ୍ର ପ୍ରସ୍ତୁତ ହେବ । ଏହାର ନାମ "କରୁଣା ସିଲକ" ନାମରେ ନାମିତ ହେବ ।"
'ଆମ ହସ୍ତତନ୍ତ ଆମ ଗୌରବ':
'ଆମ ହସ୍ତତନ୍ତ ଆମ ଗୌରବ ବାର୍ତ୍ତା' ନେଇ ପାଳିତ ହୋଇଛି ଦଶମ ଜାତୀୟ ହସ୍ତତନ୍ତ ଦିବସ । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ଏହି ଦିବସ ପାଳନ ହୋଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଏହାକୁ ଉଦଘାଟନ କରିଥିଲେ । ସମୃଦ୍ଧ ଓଡ଼ିଶାର ହସ୍ତତନ୍ତର ପରମ୍ପରା ସହ ବୁଣାକାରଙ୍କୁ ସମ୍ମାନ ଓ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।
ବୁଣାକାରଙ୍କୁ ସମ୍ମାନିତ:
ହସ୍ତତନ୍ତର କଳା ନିପୁଣତାରେ ପାରଙ୍ଗମ ୪ ଜଣ ବୁଣାକାରଙ୍କୁ ସମ୍ମାନିତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଧଳା ପରଦା କପଡା, ମୟୂରଭଞ୍ଜର ଫୁଟା ଶାଢୀ, କୋରାପୁଟର କେରାଙ୍ଗ କପଡା, କଳାହାଣ୍ଡିର ହାବାସପୁରୀ ହସ୍ତତନ୍ତ ଉତ୍ପାଦକାରୀଙ୍କୁ ସମ୍ମାନିତ କରାଯାଇଛି । ଏହାସହ ବୁଣାକାରଙ୍କୁ ଆର୍ଥିକ ସହାୟତା ଯୋଗାଇବା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରି ସେମାନଙ୍କୁ ଅଧିକ ସକ୍ଷମ କରିବା ଓ ବାଣିଜ୍ୟରେ ସହାୟତା କରି ବିଭିନ୍ନ ପଦକ୍ଷେପ ମଧ୍ୟରେ ତାଙ୍କୁ ସମର୍ଥନ ବା ପ୍ରୋତ୍ସାହନ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ଆଲୋଚନା କରିଥିଲେ ପ୍ରମୁଖ ଶାସନ ସଚିବ । ଯାହା ବୁଣାକାରଙ୍କୁ ଓଡିଶା କଳା ସଂସ୍କୃତି ଓ ପରମ୍ପରାର ପରିଚୟ ସାଜିଥିବା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପକୁ ଆଗକୁ ନେବାରେ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ ।
ସେପଟେ ସମ୍ମାନିତ ହୋଇଥିବା ବୁଣାକାର ନିଜର କାରିକାରୀ ପାଇଁ ଯେଉଁ ସମ୍ମାନ ଗ୍ରହଣ କରିଛନ୍ତି ତାହାକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ଜଣେ ବୁଣାକାର କହିଛନ୍ତି, "ସରକାରୀ ପ୍ରୋତ୍ସାହନ ପାଇଁ ଆଜି ଆମ କଳା ବିଶ୍ୱରେ ପହଞ୍ଚି ଥିବାବେଳେ ସବସିଡି ସହ ସରକାରୀ ପ୍ରୋତ୍ସାହନ ବଢ଼ିପାରିଲେ ବ୍ୟବସାୟୀମାନେ ଅଧିକ ଲାଭବାନ ହୋଇପାରିବେ ।"
ନକଲି ଦ୍ରବ୍ୟ ବିକ୍ରି ଉପରେ କଡ଼ା ନଜର:
ସେପଟେ ଅନେକ ନକଲି କଳାକୃତିର ହସ୍ତତନ୍ତ ଓ ହସ୍ତଶିଳ୍ପର ଉତ୍ପାଦ ବଜାରରେ ବିକ୍ରି ହେଉଥିବା ଅଭିଯୋଗକୁ ନେଇ ଅରବିନ୍ଦ ପାଢ଼ୀ କହିଛନ୍ତି, "ଅଭିଯୋଗ ସତ ଥିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ନିଆଯିବ । କାରଣ ଏହା ବୁଣାକାରର ଭୌଗଳିକ ପରିଚୟକୁ ନଷ୍ଟ କରୁଛି । ତେଣୁ ସମସ୍ତଙ୍କୁ ନକଲି ଉତ୍ପାଦ ବିକ୍ରି ଦେଖିଲେ ଅଭିଯୋଗ କରିବାକୁ ଅନୁରୋଧ । ଖୋର୍ଦ୍ଧା ଜିଲ୍ଲାର ଧଳା ପରଦା କପଡା, କଳାହାଣ୍ଡିର ହାବାସପୁରି ହସ୍ତତନ୍ତକୁ ଜିଆଇ ଟ୍ୟାଗ ମିଳିଥିବାବେଳେ କିଭଳି ମୟୂରଭଞ୍ଜର ଫୁଟା ଶାଢୀ, କୋରାପୁଟର କେରାଙ୍ଗ କପଡାକୁ ଜିଆଇ ଟ୍ୟାଗ ମିଳିବ ତାହାର ପ୍ରଚେଷ୍ଟା କରାଯିବ ।"
ଏହା ମଧ୍ୟ ପଢନ୍ତୁ...ପଶ୍ଚିମ ଓଡ଼ିଶା ପାଳିଲା ସମ୍ବଲପୁରୀ ଦିନ୍, ପାରମ୍ପରିକ ପୋଷାକ ସହ ସବୁଠି ନାଚଗୀତର ଆସର - Sambalpuri Din
କାରାଗାର ପାଲଟିଛି କଏଦୀଙ୍କ କର୍ମଶାଳ :
ଭାରତ ବର୍ଷର ବିଭିନ୍ନ ସ୍ଥାନ ହସ୍ତତନ୍ତ କ୍ଷେତ୍ରରେ ଅଗ୍ରଗତି କରିଥିବାବେଳେ କୋରାପୁଟ ସ୍ଥିତ ମଣ୍ଡଳ କାରାଗାରରେ ଅରଟରେ ସୂତାକାଟି ତନ୍ତରେ ବିଭିନ୍ନ ବସ୍ତ୍ର ବୁଣୁଥିବା ବୁଣାକାର ଅନ୍ତେବାସୀ ମଧ୍ୟ ପଛରେ ପଡିନାହାନ୍ତି । କାରାଗାରରେ ଉତ୍ପାଦିତ ହେଉଥିବା ହସ୍ତତନ୍ତ ବସ୍ତ୍ର ଓ ଅନ୍ୟାନ୍ୟ ଜିନିଷ ଓଡ଼ିଶାର ବିଭିନ୍ନ ବଜାରରେ ସୁନାମ ଅର୍ଜନ କରିଛି । କାରାଗାର ସାଜିଛି ଏକ ଉତ୍ପାଦନର କର୍ମଶାଳା ତଥା ଅନ୍ତେବାସୀଙ୍କ ପାଇଁ ଏକ ତାଲିମ କେନ୍ଦ୍ର । କାରାଗାରର 30-35 ଜଣ ଅନ୍ତେବାସୀ ଅରଟରେ ସୂତା କାଟି ପାରମ୍ପରିକ ତନ୍ତରେ ବସ୍ତ୍ର ବୁଣୁଛନ୍ତି ।
କ'ଣ କହିଛନ୍ତି କାରାଗାରର ବୁଣାକାର ଅନ୍ତେବାସୀ:
ଅନ୍ତେବାସୀ ଗଙ୍ଗାଧର ମାଡକାମୀ କହିଛନ୍ତି, "କାରାଗାରକୁ ଆସିବା ପୂର୍ବରୁ ସୂତା କାଟିବା ଓ ତନ୍ତରେ ସୂତା ବସାଇ ବସ୍ତ୍ର ବୁଣିବା ଜାଣିନଥିଲି । କାରାଗାରରେ କାମ କରିବା ମାଧ୍ୟମରେ ତାଲିମ ପାଇଛି ।" ସେହିପରି ଅନ୍ୟଜଣେ ଅନ୍ତେବାସୀ ସୁଖରାମ ପାଙ୍ଗୀ କହିଛନ୍ତି, "ଆମେ ଗରିବ ଲୋକ । କାରାଗାରରୁ ମୁକୁଳିଲା ପରେ ତନ୍ତ ବସାଇ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରନ୍ତୁ । ସେତେବେଳେ ସରକାର ଆମକୁ ସାହାଯ୍ୟ କଲେ ଭଲ ହୋଇଥାନ୍ତ ।"
'15 ଲକ୍ଷ ଟଙ୍କାରୁ ଅଧିକ ମିଳିଛି':
ଆସିଷ୍ଟାଣ୍ଟ ଜେଲର ଦୀପକ କୁମାର ମହାରଣା କହିଛନ୍ତି, "ହସ୍ତତନ୍ତରେ ବସ୍ତ୍ର ବୁଣିବା ପାଇଁ ଅନ୍ତେବାସୀ ବୁଣାକାରଙ୍କ ମଧ୍ୟରେ ଆଗ୍ରହ ରହିଛି । ଏହି ବୁଣାବୁଣି କରିବା ଦ୍ୱାରା ଅନ୍ତେବାସୀଙ୍କ ମନ ଟିକେ ହାଲୁକା ହୋଇଯାଏ । ସରକାରଙ୍କ ସହଯୋଗ ମିଳିଲେ କାରାଗାରରୁ ମୁକୁଳିବା ପରେ ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ । "ସେହିପରି ଜେଲ ସୁପରିଟେଣ୍ଡେଣ୍ଟ କୁଅଁର ମାରାଣ୍ଡି କହିଛନ୍ତି, "ଏହି ସଫଳତାର ମାପକାଠି ଭାବେ ଗତ ଆର୍ଥିକ ବର୍ଷରେ କାରାଗାର ହସ୍ତତନ୍ତ ଉତ୍ପାଦ ତଥା ଅନ୍ୟାନ୍ୟ ଜିନିଷ ବିକ୍ରିରୁ 15 ଲକ୍ଷ ଟଙ୍କାରୁ ଅଧିକ ମିଳିଛି । ଏହି କାର୍ଯ୍ୟ କରୁଥିବା ଅନ୍ତେବାସୀ ଉଚିତ୍ ପାରିଶ୍ରମିକ ପାଇ ପାରୁନାହାନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର/କୋରାପୁଟ