କଟକ: ମଶା ଉପଦ୍ରବକୁ ନେଇ ଅତିଷ୍ଠ ହେଲେଣି କଟକ ସହରବାସୀ । ଦିନ ହେଉ ଅବା ରାତି, ମଶା ଦାଉରୁ ରକ୍ଷା ପାଇବା ମୁସ୍କିଲ ହୋଇପଡିଛି । ସହରରେ ମଶା ଡେନସିଟି 62 ଲେବୁଲରେ ପହଞ୍ଚିଥିବାବେଳେ ସିଏମସିର ମଶା ଦମନ ଅଭିଯାନ ସମ୍ପୂର୍ଣ୍ଣ ଫେଲ ମାରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସହରବାସୀଙ୍କ ଠାରୁ ଆରମ୍ଭ କରି ଖୋଦ ହାଇକୋର୍ଟଙ୍କ ବେଞ୍ଚ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, "ଏହି ମଶା କାମୁଡିଲେ ଜ୍ଵର ହେବନାହିଁ ।" ସେପଟେ ସିଏମସି କମିଶନରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ କର୍ପୋରେଟର ।
କଟକରେ ମଶା ଉପଦ୍ରବ:
ସନ୍ଧ୍ୟା ହେଲେ କବାଟ ଝରକା କିଳି ଘରରେ ରହୁଛନ୍ତି ଲୋକେ । ତଥାପି ମଶା ଦାଉରୁ ନିସ୍ତାର ମିଳୁନାହିଁ । ମଶା କାମୁଡାରେ ଦେହ ମୁଣ୍ଡ ନାଲି ପଡିଯାଉଥିବାବେଳେ ସହରରେ ଏହି ସ୍ଥିତି ପୂର୍ବରୁ କେବେ ହୋଇନଥିବା କହିଛନ୍ତି କଟକବାସୀ । ଏହି ସମସ୍ୟା ବର୍ତ୍ତମାନ ଏତେ ମାତ୍ରାରେ ବଢି ଚାଲିଛି ଯେ ଚିନ୍ତାରେ ପଡିଲେଣି ସ୍ଥାନୀୟବାସିନ୍ଦା । ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, ଗତବର୍ଷ ଏହି ସମୟରେ ୫୦୦ରୁ ଊର୍ଦ୍ଧ୍ଵ ଡେଙ୍ଗୁ ଆକାନ୍ତ ଚିହ୍ନଟ ହୋଇଥିଲାବେଳେ ବର୍ତ୍ତମାନ ୪୦୦ ଡେଙ୍ଗୁ ରୋଗୀ କଟକରେ ଚିହ୍ନଟ ହୋଇଛନ୍ତି । ଦୋକାନ ଛାତରେ ଟାୱାର ସାଙ୍ଗକୁ, ନାଳରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହୋଇଥିବାବେଳେ ଏଭଳି ସ୍ଥିତି ସିଏମସି କାର୍ଯ୍ୟ ଉପରେ ପ୍ରଶ୍ନ ଛିଡା କରିଛି । ଗୋଟିଏ ପଟେ ସିଏମସିର ଏଭଳି କାର୍ଯ୍ୟପନ୍ଥାକୁ ନେଇ କମିଶନରଙ୍କୁ କର୍ପୋରେଟର ପ୍ରଶ୍ନ କରିଥିଲାବେଳେ ଅନ୍ୟପଟେ ୱାର୍ଡରେ ନାଳ ସଫା, ମଶା ଧୂଆଁ ସ୍ପ୍ରେ ସଠିକ ଢ଼ଙ୍ଗରେ ହେଉନଥିବା ଅଭିଯୋଗ କରିଛନ୍ତି କଟକବାସୀ । ବିଜେପି କର୍ପୋରେଟର ଗଗନ ଓଝା କହିଛନ୍ତି, "ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠି ମଶାଙ୍କ ଉପସ୍ଥିତି ନାହିଁ । ତୁରନ୍ତ ଡ୍ରେନରୁ ପଙ୍କ ଉଦ୍ଧାର ସମସ୍ୟାର ତଦାରଖ କରନ୍ତୁ ।"
ଏହା ବି ପଢନ୍ତୁ...ବରଗଡ଼ରେ ଡେଙ୍ଗୁ ଆତଙ୍କ, ଆରମ୍ଭ ହେବ ସ୍ୱତନ୍ତ୍ର ଡାକ୍ତରୀ କ୍ୟାମ୍ପ
ଏହା ବି ପଢନ୍ତୁ...ଏସବୁ ଲକ୍ଷଣ ଅଛି କି ? ହୋଇପାରେ ଡେଙ୍ଗୁ, ଜାଣନ୍ତୁ ଏହାର କାରଣ ଓ ନିରାକରଣ - Dengue symptoms treatment
ସ୍ବାସ୍ଥ୍ୟ ଅଧିକାରୀଙ୍କୁ କର୍ପୋରେଟରଙ୍କ ସମାଲୋଚନା:
କଟକ ସହରବାସୀ ନୁହନ୍ତି, ଏ ସମସ୍ୟାକୁ ଖୋଦ ହାଇକୋର୍ଟ ମଧ୍ୟ ଅନୁଭବ କରିଛନ୍ତି । ସିଏମସି ସ୍ୱାସ୍ଥ୍ୟ ବିଭାଗର ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ ହାଇକୋର୍ଟ । ସିଏମସି କମିଶନର କହିଛନ୍ତି, "ଏହି ୩ ମାସ ମଶାମାନଙ୍କର ବଂଶ ବିସ୍ତାର କରିବା ପାଇଁ ସମୟ ରହିଥିଲାବେଳେ ସିଏମସି ଯେଉଁ ପଦକ୍ଷେପ ଗ୍ରହଣ କରିଛି । ୫୯ଟି ୱାର୍ଡରେ ମଶା ଦମନ ପାଇଁ ଡ୍ରେନରେ ମଶାତେଲ ପକା ଜାରି ରହିଥିଲାବେଳେ ପ୍ରତି ୱାର୍ଡରେ ମଶା ଧୂଆଁ ସମୟ ଅନୁସାରେ ଜାରି ରହିଛି । ଆଉ କିଛି ଦିନ ମଧ୍ୟରେ ମଶା ଆତଙ୍କ ଉପରେ ସମ୍ପୂର୍ଣ୍ଣ ରୋକ ଲାଗି ପାରିବ ।"
ସିଏମସି ସ୍ଵାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି," ଏହି ମଶା କୌଣସି ରୋଗର ବାହକ ନୁହେଁ । ଗତବର୍ଷ 600ରୁ ଉର୍ଦ୍ଧ୍ବ ଥିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟ । ହେଲେ ଚଳିତ ବର୍ଷ 400 ପାଖାପାଖି ରହିଛି ।" ଅନ୍ୟପଟେ "ସ୍ୱାସ୍ଥ୍ୟ ବିଭାଗର ଏପରି ବୟାନ ହାସ୍ୟାସ୍ପଦ ସେ ଏଭଳି କହିବା ଏକ ନିନ୍ଦନୀୟ କଥା । ନିଜେ ପ୍ରତିୱାର୍ଡ ନବୁଲି ଏଭଳି ବୟାନ ଦେବା ଗ୍ରହଣୀୟ ନୁହେଁ" ବୋଲି କହିଛନ୍ତି କଂଗ୍ରେସ କର୍ପୋରେଟର ଶୁଭାଶିଷ ପଟ୍ଟନାୟକ।
ଇଟିଭି ଭାରତ, କଟକ