କଟକ: କେବେ ସରିବ କଟକ ବକ୍ସ ଡ୍ରେନ ପ୍ରକଳ୍ପ କାର୍ଯ୍ୟ ? ବକ୍ସ ଡ୍ରେନ କାର୍ଯ୍ୟ ଯୋଗୁଁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ନର୍କ ପାଲଟି ଯାଇଛି ବକ୍ସ ଡ୍ରେନ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ସ୍ଥାନ । ଆଜି (ଗୁରୁବାର) ଦିନ କଟକ ମହାନଗର ନିଗମର ୧୮ ନମ୍ବର ୱାର୍ଡ ସ୍ଥିତ ସୂତାହାଟ ଅଞ୍ଚଳର ୱାଟକୋ ପକ୍ଷରୁ ଚାଲିଥିବା ବକ୍ସ ଡ୍ରେନ ପ୍ରକଳ୍ପ କାର୍ଯ୍ୟ ଆଜି ସମୀକ୍ଷା କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ସିଏମସିର ମୁଖ୍ୟଯନ୍ତ୍ରୀଙ୍କ ସହ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଏହି ବକ୍ସ ଡ୍ରେନ କାର୍ଯ୍ୟର ତର୍ଜମା କରିଛନ୍ତି ।ଏହାସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୋକିମ ।
ଏହି ପ୍ରକଳ୍ପ ଯୋଗୁଁ କାହାର ଘର କାନ୍ଥ ଫାଟି ଯାଇଛି ତ ଆଉ କାହା ଘର ପାଚେରୀ ଡ୍ରେନ ପଟେ ଢ଼ଳି ଯାଇଛି । ଘର କାନ୍ଥ, ଅଗଣା ସବୁ ଫାଟି ଆଁ କରିଛି । କେବଳ ଏତିକି ନୁହେଁ ଉକ୍ତ ସ୍ଥାନରେ ଲୋକଙ୍କ ଯାତାୟାତ ପାଇଁ ଥିବା ରାସ୍ତା ବର୍ତ୍ତମାନ ମରଣଜନ୍ତା ପାଲଟିଛି । କେତେବେଳେ କୌଣସି ମୁହୂର୍ତ୍ତରେ ଏଠି ବଡ଼ ଦୁର୍ଘଟଣା ଘଟିବ ବୋଲି ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା । ସୂତାହାଟ, ପଟାପୋଲ, ମେରିଆ ବଜାର, କେଶରପୁର ଆଦି ଅଞ୍ଚଳ ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ । ଏହାସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ସେପଟେ ଅଧାପନ୍ତୁରିଆ କାର୍ଯ୍ୟ ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ, ସେମାନଙ୍କୁ ନର୍କ ମୁହଁକୁ ଠେଲି କିପରି ଭାବେ ଅସମ୍ପୂର୍ଣ୍ଣ ବକ୍ସ ଡ୍ରେନ ପ୍ରକଳ୍ପ କାର୍ଯ୍ୟର ଉଦଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ କଟକ ଆସିବେ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି । ସଠିକ୍ ଢଙ୍ଗରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି ବିଧାୟକ ମହମ୍ମଦ ମୋକିମ ।
ଏହା ମଧ୍ୟ ପଢନ୍ତୁ.....ଶ୍ରମ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା, ତାତିଲେ ଶ୍ରମିକ ସଂଗଠନ
ଏହାସହ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଉଦଘାଟନ କରିବାକୁ ମୁଖ୍ୟମନ୍ତ୍ରୀ ଆସିଲେ ତାଙ୍କୁ ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ । ଅନ୍ୟପଟେ ଆସନ୍ତା ଏକ ମାସ ମଧ୍ୟରେ ବକ୍ସ ଡ୍ରେନ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି କଟକ ମହାନଗର ନିଗମ କମିଶନର । ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ଏହି ବକ୍ସ ଡ୍ରେନ କାର୍ଯ୍ୟ ଶେଷ ହେଉଛି ଏବଂ କଟକବସୀଙ୍କ ଦୁଃଖ ଦୂର ହେଉଛି ।
ଇଟିଭି ଭାରତ, କଟକ