ଭୁବନେଶ୍ବର: ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓରମାସ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ । ସ୍ଥାନୀୟ ଗ୍ରାହକଙ୍କ ଚାହିଦାକୁ ଦେଖି ସାମଗ୍ରୀ ପ୍ରସ୍ତୁତ କରିବା ଜରୁରୀ । ଯାହା ଆଗାମୀ ଦିନରେ ସେମାନଙ୍କ ଉତ୍ପାଦର ଭଲ ମୂଲ୍ୟ ଦେଇପାରିବ । କେବଳ ଉତ୍ପାଦ ମାର୍କେଟିଂ ନୁହେଁ, ସାମଗ୍ରୀ ପ୍ରସ୍ତୁତ କରିବା ଦିଗରେ ମଧ୍ୟ ମାଆମାନଙ୍କ ଦକ୍ଷତା ବିକାଶ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ।
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ । ଏହାର ପରିଚାଳନା ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭିସି ଜରିଆରେ ଏହି କାର୍ଯ୍ୟକ୍ରମକୁ ଓରମାସର ନିର୍ଦ୍ଦେଶିକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର 25 ଜିଲ୍ଲାରେ 56 ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି । ଏହାର ପରିଚାଳନା ଆଦି ଦାୟିତ୍ୱରେ ଅଛନ୍ତି କୃଷକ ଉତ୍ପାଦକ ସଂଗଠନ, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନୀ ଏବଂ ଉତ୍ପାଦକ ଉଦ୍ୟୋଗର ସଦସ୍ୟା । ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିରେ ସେମାନଙ୍କୁ ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ ସହ ଏହାର ସଠିକ ପରିଚାଳନା ଏବଂ ସାମଗ୍ରୀ ପ୍ରସ୍ତୁତି ଆଦିରେ ସେମାନଙ୍କ ଦକ୍ଷତା ବିକାଶ ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା; ଟ୍ରେନିଂ-ପୋଷ୍ଟାଲ ବାଲାଟର ପରିଚାଳନାକୁ ଗୁରୁତ୍ୱ
କାର୍ଯ୍ୟକ୍ରମ ପୂର୍ବରୁ ଓରମାସ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଭାରତର ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥା ଯଥା ଭାରତୀୟ ମକା ଗବେଷଣା ପ୍ରତିଷ୍ଠାନ, ଉଷା କମ୍ପାନୀ, ସିମାପ ଆଦି ସହ ସିପେଟ, ଓୟୁଏଟି ସିଡାକର ବିଶେଷଜ୍ଞ ଏବଂ ଜିଲ୍ଲାସ୍ତରୀୟ ଉଦ୍ୟାନ ବିଭାଗ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ସଦସ୍ୟାମାନଙ୍କୁ ତାଲିମ ପ୍ରଦାନ ସହ ବିଭିନ୍ନ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଯୋଗ ଦେଇଥିଲେ । ସେ କହିଥିଲେ, "ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଚାଳନା ଦାୟିତ୍ୱରେ ଥିବା ମା'ମାନେ ସ୍ଥାନୀୟ ଗ୍ରାହକଙ୍କ ଚାହିଦାକୁ ଦେଖି ସାମଗ୍ରୀ ପ୍ରସ୍ତୁତ କରିବା ଜରୁରୀ । ଯାହା କି ଆଗାମୀ ଦିନରେ ସେମାନଙ୍କ ଉତ୍ପାଦର ଭଲ ମୂଲ୍ୟ ଦେଇପାରିବ । ଏଥି ସହ କେବଳ ଉତ୍ପାଦ ମାର୍କେଟିଂ ନୁହେଁ, ସାମଗ୍ରୀ ପ୍ରସ୍ତୁତ କରିବା ଦିଗରେ ମଧ୍ୟ ମାଆମାନେ ସେମାନଙ୍କ ଦକ୍ଷତା ବିକାଶ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।" ଦୁଇ ଦିନିଆ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଓରମାସ ଅଧିକାରୀ ଯୋଗ ଦେଇଥିଲେ । ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ୫୬ ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନରେ ଖାଦ୍ୟ ପ୍ରକ୍ରିୟାକରଣ, ନିର୍ମାଣ, ସେବା, ଦକ୍ଷତା ବିକାଶ ଏବଂ ସମନ୍ୱିତ ଚାଷ ଆଦି ୫ଟି ସେକ୍ଟରରେ ୧୫୦ରୁ ଅଧିକ ବଜାର ନେତୃତ୍ୱ ଆଜୀବିକା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର