ଝାରସୁଗୁଡ଼ା: ନାବାଳିକାକୁ ହତ୍ୟା କରି ୬ ଖଣ୍ଡ କରିଦେଲା ଜହ୍ଲାଦ ପ୍ରେମିକ । ରାଉରକେଲାରେ ଘଟିଛି ଏଭଳି ନାରକୀୟ କାଣ୍ଡ । ଏହି ହତ୍ୟା ସମ୍ପର୍କରେ ଝାରସୁଗୁଡ଼ାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଜି । ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ପୂର୍ବରୁ ସମ୍ପୃକ୍ତ ନାବଳିକାଙ୍କୁ ଦୁଷ୍କର୍ମ କରି ଜେଲ୍ ଯାଇଥିଲା ଅଭିଯୁକ୍ତ ।
ପ୍ରେମିକାକୁ ନୃଶଂସ ହତ୍ୟା:
ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ରାଉରକେଲାର ବିଭିନ୍ନ ସ୍ଥାନରେ ଯୁବତୀଙ୍କ ଶରୀରର ବିଭିନ୍ନ ଅଂଶକୁ ଫିଙ୍ଗିଦେଲା ଅଭିଯୁକ୍ତ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଇସ୍ପାତ ସହର ରାଉରକେଲାରେ । ଘଟଣାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରେମର କରୁଣ ପରିଣତି ଏତେ ଭୟଙ୍କର ହୋଇପାରେ ତାହା କେହି ବିଶ୍ୱାସ କରିପାରୁନାହାନ୍ତି । ଅଭିଯୁକ୍ତର ସୂଚନା ଆଧାରରେ ଝାରସୁଗୁଡା ଓ ରାଉରକେଲା ପୋଲିସ ବ୍ରାହ୍ମଣୀ ନଦୀ ବାଲୁଘାଟ ନିକଟରୁ ନାବାଳିକାର ମୁଣ୍ଡବିହୀନ ଶରୀର ଉଦ୍ଧାର କରିଛି । କେବଳ ଏତିକି ନୁହେଁ ,ହନୁମାନବାଟିକା-ତରକେରା ରାସ୍ତାର ଗାଡ଼ିଆଟୋଲା ନିକଟରୁ ମିଳିଛି ୨ କଟା ହାତ । ସେହିପରି ଗାଡ଼ିଆ ଟୋଲା ନିକଟରୁ ମିଳିଛି ମୁଣ୍ଡ । ଅଭିଯୁକ୍ତର ବୟାନ ଆଧାରରେ ସାଇଣ୍ଟିଫିକ ଟିମ, ପୋଲିସ ହତ୍ୟାକାଣ୍ଡର ତଦନ୍ତ ଚଳାଇଛି । ଗିରଫ ହତ୍ୟାକାରୀ ସୁନ୍ଦରଗଡ ଧରୁଆଡ଼ିହିର କୁନା କିସାନ ବୋଲି ଜଣାପଡିଛି ।
ପୂର୍ବ ବଚସାକୁ କେନ୍ଦ୍ର କରି ହତ୍ୟାକାଣ୍ଡ!
ଝାରସୁଗୁଡା ଏସପି ସ୍ମିତ ପରମାରଙ୍କ ସୂଚନା ଅନୁସାରେ, "ଗତ ୨୦୨୩ରେ ନାବାଳିକାଙ୍କ ପରିବାରଲୋକ କୁନା କିସାନ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସେ ଦୀର୍ଘ ଦିନ ଧରି ଜେଲରେ ଥିବାବେଳେ ବେଲରୁ ଆସି ଏଭଳି ହତ୍ୟାକାଣ୍ଡ ଘଟାଇଛି ।" ଝାରସୁଗୁଡା ଥାନା କେସ୍ ନଂ 709 dt ଅଣ୍ଡର ସେକ୍ସନ ୧୪୦ (୩) / ୧୦୩ (୧) / ୨୩୮ (A) / ୧୪୨/୩ (୫) BNS ଅନୁଯାୟୀ ଚାଲିଛି ତଦନ୍ତ ।
ଏହା ବି ପଢନ୍ତୁ... ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା, ଦୁଇ ଅଭିଯୁକ୍ତ ଗିରଫ
ଏହା ବି ପଢନ୍ତୁ... ଦିଲ୍ଲୀ ଟ୍ରିପଲ ମର୍ଡର: ବାପା-ମାଆ-ଭଉଣୀଙ୍କୁ ହତ୍ୟା କଲା ପୁଅ
କେମିତି ଥିଲା ପୋଲିସର ଅପରେସନ:
"ଗତ ୭ ତାରିଖରେ ଝାରସୁଗୁଡା ଜିଲ୍ଲାରେ ଜଣେ ୧୭ବର୍ଷୀୟ ନାବାଳିକା ନିଖୋଜ ରିପୋର୍ଟ ଝାରସୁଗୁଡା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ସିସିଟିଭି ସିଷ୍ଟମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ନିଖୋଜ ଝିଅର ଫଟୋ ଖୋଜାଯାଇଥିଲା । ସେତେବେଳେ ଜଣାପଡିଥିଲା ଯେ ଝିଅଟି ଦୁଇ ଚକିଆ ଯାନରେ ଦୁଇଜଣ ବ୍ୟକ୍ତିଙ୍କ ସହ ଯାଇଥିଲା। ପଡୋଶୀ ଅଞ୍ଚଳର ବୈଷୟିକ ଫରେନସିକ୍ ଏବଂ ସିସିଟିଭି ଫୁଟେଜ ବ୍ୟବହାର କରି ସୁନ୍ଦରଗଡ଼ ପୋଲିସ ଜିଲ୍ଲା ଅନ୍ତର୍ଗତ ଲେଫ୍ରିପଡା ଥାନା କୁନୁ କିସାନଙ୍କୁ ଚିହ୍ନଟ କରାଯାଇ ପୋଲିସ ଷ୍ଟେସନକୁ ଅଣାଯାଇଥିଲା। ପଚରାଉଚରା ପରେ ସତ ସ୍ୱୀକାର କରିଛି ଅଭିଯୁକ୍ତ" ବୋଲି କହିଛନ୍ତି ଆଇଜି ହିଂମାଶୁ ଲାଲ । ଆଜି ସକାଳେ ଝାରସୁଗୁଡା ପୋଲିସ, DFSL ଟିମ୍ ଏବଂ ODRAF ଟିମ ସହାୟତାରେ ବିଭିନ୍ନ ପ୍ରମାଣ ସଂଗ୍ରହ କରି ଶରୀରର କଟା ଅଂଶ, ପୋଷାକ ଏବଂ ଚପଲ ଉଦ୍ଧାର କରିଥିଲା ପୋଲିସ। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଉତ୍ତରାଞ୍ଚଳ IG ସୂଚନା ଦେଇଛନ୍ତି।
ଇଟିିଭି ଭାରତ, ଝାରସୁଗୁଡ଼ା