ଝାରସୁଗୁଡା: ନବ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ହେବ ମିନି ମାରାଥନ । ଏନେଇ ନବ ଦାସ ଫାଉଣ୍ଡେସନ ପକ୍ଷରୁ ଗତକାଲି ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ମାରାଥନ ଆସନ୍ତାକାଲି(ସୋମବାର) ଝାରସୁଗୁଡା ଜିଲ୍ଲାର ମନମୋହନ ଏମଇ ସ୍କୁଲ ଠାରୁ ପୁରୁଣା ବସଷ୍ଟାଣ୍ଡ ଗାନ୍ଧୀ ଛକ ପର୍ଯ୍ୟନ୍ତ ହେବା ନେଇ ଆୟୋଜନ କରାଯାଇଛି ।
ତେବେ ଆସନ୍ତାକାଲି ମନ୍ତ୍ରୀ ନବଦାସ ହତ୍ୟା ମାମଲାକୁ ପୂରିବ ବର୍ଷେ । ଏହି ଅବସରରେ ଆସନ୍ତାକାଲି(ସୋମବାର) ସ୍ଥାନୀୟ ମନମୋହନ ଏମଇ ସ୍କୁଲ୍ ପଡିଆରେ ମିନି ମାରାଥନ ଅନୁଷ୍ଠିତ ହେବ । ଏହି ମାରାଥନରେ ରାଜ୍ୟର ଅନେକ ବ୍ୟକ୍ତି ବିଶେଷ ଭାଗ ନେବା ପାଇଁ ଅନ୍ ଲାଇନ୍ ଆବେଦନ ଜାରି ରଖିଛନ୍ତି । ସ୍ୱର୍ଗୀୟ ନବ ଦାସଙ୍କ ଅନୁପସ୍ଥିତିକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାର ଲକ୍ଷ୍ୟ ନେଇ ଝାରସୁଗୁଡ଼ାବାସୀ ଏହି ମାରାଥନରେ ବିପୁଳ ସଂଖ୍ୟାରେ ଯୋଗ ଦେବେ । ସେହିପରି ମାରାଥନ ପରେ ୧୧ ଘଟିକା ସମୟରେ ପୋଲିସ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ଏହା ପରେ ଅପରାହ୍ନ ପ୍ରାୟ ୧୨ ଘଟିକା ସମୟରେ ପୁନର୍ବାର ମନମୋହନ ଏମଇ ସ୍କୁଲ୍ ପଡିଆଠାରେ ଏକ ସର୍ବୋଧର୍ମ ସଭା ଆୟୋଜନ ହେବ । ଏଥିରେ ଦେଶର ଅନେକ ପ୍ରାନ୍ତରୁ ଲିଖିତ କବିତାର ସ୍ମରଣିକା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ସ୍ୱର୍ଗୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଦିବସ ୨୯ ଜାନୁଆରୀ ଉପଲକ୍ଷେ ଆୟୋଜିତ ଏହି ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ରବି ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାପସ ରାୟ ଚୌଧୁରୀ, ପୌର ପରିଷଦ ଉପାଧ୍ୟକ୍ଷ ବେଣୁଗୋପାଲ୍ ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ପିଣ୍ଟୁ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢନ୍ତୁ- ନବ ଦାସ ହତ୍ୟାକାଣ୍ଡ ମାମଲା: ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ, ୮ରେ ପରବର୍ତ୍ତୀ ଶୁଣାଣି
ପ୍ରକାଶ ଥାଉକି, ଗତବର୍ଷ ଜାନୁଆରୀ ୨୯ ତାରିଖ ଅପରାହ୍ନରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରର ଗାନ୍ଧୀ ଛକରେ ମନ୍ତ୍ରୀ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ତାଙ୍କୁ ଗୁଳିମାଡ ହୋଇଥିଲା । ଏଏସ୍ଆଇ ଗୋପାଳକୃଷ୍ଣ ଦାସ ମନ୍ତ୍ରୀଙ୍କ ଉପରେ ଗୁଳି ଚଳାଇଥିଲେ । ଏନେଇ ତାଙ୍କୁ ଗୁରୁତର ଅବସ୍ଥାରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ଇଟିଭି ଭାରତ, ଝାରସୁଗୁଡା