ଭୁବନେଶ୍ବର/ଖୋର୍ଦ୍ଧା: ଆଜି ବିଶ୍ୱ ବିଦେଶୀ ପକ୍ଷୀ ଦିବସ । ବିଶେଷ ଭାବରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା, ଶିକାର ନିଷେଧ କରିବା, ସେମାନଙ୍କ ବଂଶବୃଦ୍ଧି ନେଇ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ବବ୍ୟପୀ ଏହି ଦିନକୁ ପାଳନ କରାଯାଇ ଆସୁଛି । ତେବେ ଭ୍ରମଣକାରୀ ପକ୍ଷୀଙ୍କ ଅତିଥିଶାଳା ଭାବେ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଓଡିଶାର ରହିଛି ସ୍ବତନ୍ତ୍ର ସ୍ଥାନ । ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନକୁ ଆସିଥାନ୍ତି ବିଦେଶୀ ପକ୍ଷୀ । ଯେପରିକି ଚିଲିକା, ହୀରାକୁଦ, ଭିତରକନିକା ଆଦି ଅଞ୍ଚଳରେ ବିଶେଷ ଭାବରେ ବିଦେଶୀ ବା ଭ୍ରମଣକାରୀ ପକ୍ଷୀଙ୍କ ଆଗମନ ଦେଖାଯାଇଥାଏ । ମାତ୍ର ଏବେ ଜଳବାୟୁ ପରିବର୍ତ୍ତନ ଏହି ବିଦେଶାଗତ ବିହଙ୍ଗ ପ୍ରବାସକୁ ପ୍ରଭାବିତ କରିବା ପରି ସ୍ଥିତି ସୃଷ୍ଟି ହେଲାଣି । ଏନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିବା ସହ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଦେବା ସହ ସେମାନଙ୍କ ଶାବକମାନଙ୍କୁ ସୁରକ୍ଷା ଦେବାକୁ ଆହ୍ବାନ ଦେଇଛନ୍ତି ।
- ଚିଲିକା ପକ୍ଷୀ ବିହାର:-
ଶୀତଦିନ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଆସିଥାନ୍ତି ବିଦେଶୀ ପକ୍ଷୀ । ଅନୁକୂଳ ପ୍ରାକୃତିକ ସ୍ଥିତି ଓ ଭୌଗଳିକ କାରଣରୁ ଏମାନେ ଲକ୍ଷ ଲକ୍ଷ ମାଇଲ ଉଡି ଓଡିଶାର ବିଭିନ୍ନ ସ୍ଥାନରେ ପହଞ୍ଚି ଥାଆନ୍ତି । ଏହା ମଧ୍ୟରେ ଭିତରକନିକା ଜାତୀୟ ଉଦ୍ୟାନ, ହିରାକୁଦ ଓ ଅନ୍ୟ କିଛି ଅଭୟାରଣ୍ୟ ମଧ୍ୟ ରହିଛି । କିନ୍ତୁ ଏହା ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ପକ୍ଷୀ ପ୍ରବାସ ସ୍ଥଳ ହେଉଛି ଚିଲିକା ପକ୍ଷୀ ବିହାର । ଏଠାରେ ଦେଖାଯାଆନ୍ତି, ଶତାଧିକ ପ୍ରକାରର ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ସମାଗମ । ସେମାନେ ଏଠାରେ ପହଞ୍ଚିବା ପରେ ବସା ତିଆରି ଅଣ୍ଡ ଦିଅନ୍ତି । ଅଣ୍ଡାରୁ ଛୁଆ ଜନ୍ମନେବା ପରେ ପକ୍ଷୀମାନେ ଏଠାରେ ଲାଳନପାଳନ ମଧ୍ୟ କରନ୍ତି । କିଛି ମାସ ପରେ ପକ୍ଷୀ ସାବକ ମାନେ ଉଡିବା ଶିଖିବା ପରେ ମା’ ସହ ନିଜ ଦେଶକୁ ଉଡିଯାଆନ୍ତି । ସାରା ବିଶ୍ବର ବିଦେଶାଗତ ପକ୍ଷୀଙ୍କ ଏନ୍ତୁଡିଶାଳା ହେଉଛି ଚିଲିକା ।
- ପ୍ରକୃତିର ଚମତ୍କାର ସୃଷ୍ଟି ବିହଙ୍ଗ :-
ଏନେଇ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି,‘‘ ବିଦେଶୀ ପକ୍ଷୀ ପ୍ରକୃତିର ଚମତ୍କାର । ବିଶେଷ ଭାବରେ ଶୀତଋତୁରେ ସୁଦୂର ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ଋଷିଆ, କାଜାଖସ୍ତାନ, ଇରାନ, ଇରାକ, ମଙ୍ଗୋଲିଆ ଆଦି ଅଞ୍ଚଳରୁ ଏମାନେ ଆସିଥାନ୍ତି । ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ପକ୍ଷୀମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଆସିଥାନ୍ତି । ଏଠାକୁ ଆସି ଅଣ୍ଡା ଦେଇଥାନ୍ତି । ବିଶେଷ ଭାବରେ ସେମାନଙ୍କ ପ୍ରଜନନ, ସାବକମାନଙ୍କୁ ଖାଦ୍ୟ, ଏବଂ ନିଜେ ବଞ୍ଚିବାକୁ ଏକ ସର୍ବୋତ୍ତମ ପରିବେଶ ପରିସ୍ଥିତି ଏବଂ ବାସସ୍ଥାନ ଖୋଜିବା ପାଇଁ ହଜାର ହଜାର ମାଇଲ ଉଡି ଆସିଥାନ୍ତି । ତେବେ ବର୍ତ୍ତମାନ ସମୟରେ ସେମାନଙ୍କ ପାଇଁ ଏକାଧିକ ପ୍ରତିକୂଳତା ଦେଖାଗଲାଣି ।
- ବିଦେଶୀ ପକ୍ଷୀମାନଙ୍କ ବିପଦ:-
ଏଗୁଡିକ ମଧ୍ୟରେ ମୁଖ୍ୟତଃ ଦୁଇଟି କାରଣରୁ ଧରାଯାଇପାରେ । ପ୍ରଥମଟି ଜଳବାୟୁ ପରିବର୍ତ୍ତନ ଓ ଦ୍ବିତୀୟଟି ପ୍ରଦୂଷଣ । ଏନେଇ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ, ବିଶେଷ ଭାବରେ ଜଳବାୟୁ ପରିବର୍ତ୍ତନ, ବାସସ୍ଥାନ ନଷ୍ଟ ହୋଇଯିବା, ପ୍ଲାଷ୍ଟିକ ପ୍ରଦୂଷଣ, ପକ୍ଷୀ ଶିକାର, ମଟର ବୋଟ, ପବନ ଫାର୍ମ ଏବଂ ମୋବାଇଲ ଟାୱାର ଆଦି ବିଦେଶୀ ପକ୍ଷୀ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଯାହା ପ୍ରତି ସମୟରେ ପକ୍ଷୀମାନଙ୍କ ପ୍ରତି ବିପଦ ରହିଛି । ଏଦିଗରେ ପ୍ରଥମ ନୈତିକତା ଦୃଷ୍ଟିରୁ ଏମାନଙ୍କୁ ସୁରକ୍ଷା ଦେବା ପ୍ରଥମ କର୍ତ୍ତବ୍ୟ । ଯାହା ଫଳରେ ଆଗାମୀ ପିଢି ମଧ୍ୟ ପଶୁପକ୍ଷୀଙ୍କ ସହିତ ଜୀବନଯାପନ କରିବା ସମ୍ଭବପର ହୋଇପାରିବ ।
- ବିକାଶ ନାମରେ ପରିବେଶ ନଷ୍ଟ କରୁଛି ମଣିଷ
ଜୟକୃଷ୍ଣ ପାଣିଗ୍ରାହୀ ଆହୁରି ମଧ୍ୟ କହିଛନ୍ତି "ପକ୍ଷୀଙ୍କ ସୁରକ୍ଷା ଦିଗରେ ଇକୋ-ସିଷ୍ଟମ (ପରିସଂସ୍ଥା) ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଯେଉଁଠି ଏକ ପ୍ରାକୃତିକ ସନ୍ତୁଳନ ମଧ୍ୟରେ ଏକ ପରିସଂସ୍ଥା ସମ୍ଭବପର ହୋଇଥାଏ । କିନ୍ତୁ ବର୍ତ୍ତମାନ ଯାହା ଲକ୍ଷ୍ୟ କରାଯାଉଛି ସମଗ୍ର ବିଶ୍ବରେ ମାନବଜନିତ ବିକାଶମୂଳକ କାର୍ଯ୍ୟକଳାପର ସର୍ବାଧିକ ନକରାତ୍ମକ ପ୍ରଭାବ ପରିବେଶ ଉପରେ ପଡୁଛି । ଯାହା ଫଳରେ ଜୀବଜନ୍ତୁମାନେ ମଧ୍ୟ ବିଲୁପ୍ତ ହୋଇଯାଉଛନ୍ତି ।"
- ପ୍ରଦୂଷଣ ବଢାଇଲାଣି ଚିନ୍ତା:-
ପରିବେଶ ଯଦି ପରିବର୍ତ୍ତନ ହେବ, ତେବେ ବିଦେଶୀ ପକ୍ଷୀଙ୍କ ଉପରେ ନକରାତ୍ମକ ପ୍ରଭବ ପଡିବ । ବର୍ତ୍ତମାନ ଯେଉଁଭଳି ଢଙ୍ଗରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି ସେଥିରେ ବାୟୁ, ମୃର୍ତ୍ତିକା ଓ ଜଳ ପ୍ରଦୂଷିତ ବହୁଳ ଭାବରେ ପ୍ରଦୂଷିତ ହେବାରେ ଲାଗିଛି । ଯାହାର ନକରାତ୍ମକ ପ୍ରଭାବ କେବଳ ପକ୍ଷୀ ନୁହେଁ ବରଂ ସମସ୍ତ ଜୀବଜନ୍ତୁଙ୍କ ଉପରେ ସିଧାସଳଖ ଭାବରେ ପଡୁଛି । ସେମାନଙ୍କ ବାସସ୍ଥାନ ଓ ଖାଦ୍ୟର ଅଭାବ ଓ ଏପରିକି ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି । ଏବେ ସହରୀକରଣ ପାଇଁ ବୃକ୍ଷଲତ ଲୋପ ପାଉଛି, ଯେଉଁଥିପାଇଁ ପକ୍ଷୀମାନେ ବାସହରା ହେଉଛନ୍ତି । ସେମାନଙ୍କ ଖାଦ୍ୟ ଯଥା ଫଳମୂଳ, ପୋକ ଜୋକ ଆଦି ଅଭାବ ହେବାରେ ଲାଗିଲାଣି । ତେବେ ପରିବେଶ ପ୍ରଦୂଷିତ ହେବା କାରଣରୁ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ବଢିବାରେ ଲାଗିଛି । ଯେଉଁଥିରେ ବନ୍ୟଜନ୍ତୁ ଓ ବିଶେଷ ଭାବେ ପକ୍ଷୀମାନେ ପ୍ରଭାବିତ ହେବାରେ ଲାଗିଛନ୍ତି ।
- ତେବେ ନଜର ପକାନ୍ତୁ ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସଂଖ୍ୟା ସମ୍ପର୍କରେ...
୨୦୨୪- ୧୮୯ ପ୍ରଜାତିର ୧୧,୩୭,୭୫୯
୨୦୨୩ - ୧୮୪ ପ୍ରଜାତିର ୧୧,୩୧,୯୨୯
୨୦୨୧-୨୨- ୧୦୭ ପ୍ରଜାତିର ୧୦.୭୪ ଲକ୍ଷ
୨୦୨୦-୨୧ - ୧୧୧ ପ୍ରଜାତିର ୧୨.୦୪ ଲକ୍ଷ
୨୦୧୯-୨୦ - ୧୦୯ ପ୍ରଜାତିର ୧୦.୭୧ ଲକ୍ଷ
୨୦୧୮-୧୯ - ୧୦୫ ପ୍ରଜାତିର ୧୦.୨୧ ଲକ୍ଷ
୨୦୧୭-୧୮ - ୯୫ ପ୍ରଜାତିର ୮.୬୮ ଲକ୍ଷ
୨୦୧୬-୧୭- ୧୦୦ ପ୍ରଜାତିର ୯.୨୪ ଲକ୍ଷ
- ଭିତରକନିକାକୁ ମଧ୍ୟ ଆସିଥାନ୍ତି ବିଦେଶୀ ପକ୍ଷୀ:-
୨୦୨୪ ମସିହାରେ ୧୩,୦୧୨୩ ଟି ବିଦେଶୀ ପକ୍ଷୀ
୨୦୨୩ ମସିହାରେ ୧୨୩୮୬୭ ଟି ବିଦେଶୀ ପକ୍ଷୀ।
୨୦୨୧-୨୨ ୧୪୪ ପ୍ରଜାତିର ୧.୩୮ ଲକ୍ଷ
୨୦୨୦-୨୧ ମସିହାରେ ୧୨୧ ପ୍ରଜାତିର ୧.୩୬ ଲକ୍ଷ
୨୦୧୯-୨୦ ୧୦୫ ପ୍ରଜାତିର ୧.୧୮ ଲକ୍ଷ
- ହୀରାକୁଦକୁ ମଧ୍ୟ ଆସିଥାନ୍ତି ବିଦେଶୀ ପକ୍ଷୀ:-
୨୦୨୧-୨୨ ମସିହାରେ ୧୦୪ ପ୍ରଜାତିର ୨.୦୮ ଲକ୍ଷ
୨୦୨୦-୨୧ ମସିହାରେ ୪୧ ପ୍ରଜାତିର ୧.୦୩ ଲକ୍ଷ
୨୦୧୯-୨୦ ମସିହାରେ୯୩ ପ୍ରଜାତିର ୦.୯୮ ଲକ୍ଷ
ଏହା ମଧ୍ୟ ପଢନ୍ତୁ :- ଖୋଲିଲା ଶିମିଳିପାଳ: କେଉଁଠି ରହିବେ, କେମିତି ବୁଲିବେ ? ପର୍ଯ୍ୟଟକଙ୍କ ହୋଇଛି ଏସବୁ ବ୍ୟବସ୍ଥା ଏହା ମଧ୍ୟ ପଢନ୍ତୁ ... ଆସନ୍ତାକାଲିଠୁ ଖୋଲିବ ପ୍ରକୃତିପ୍ରେମୀଙ୍କ ଭୂସ୍ବର୍ଗ ଶିମିଳିପାଳ, ଏଥର ଏହି ନୂଆ ବ୍ୟବସ୍ଥା |
- କାହିଁକି ଜରୁରୀ ସୁରକ୍ଷା !
ବର୍ତ୍ତମାନ ସମୟର ପରିବର୍ତ୍ତନ ଓ ପରିବର୍ତ୍ତିତ ପରିବେଶର ଆହ୍ବାନ କାରଣରୁ ବିଶେଷ ଭାବେ ପରିବେଶ, ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ସୁରକ୍ଷା ନିହାତି ଜରୁରୀ । ଏଦିଗରେ ପରିବେଶବିତ ଜୟକୃଷ୍ଣ କୁହନ୍ତି, ‘‘ ଯେହେତୁ ହଜାର ହଜାର ସଂଖ୍ୟାରେ ବିଦେଶରୁ ପକ୍ଷୀମାନେ ଆସୁଛନ୍ତି, ତେବେ ସେମାନଙ୍କୁ କିଛି ମାତ୍ରାରେ ଶିକାର ମଧ୍ୟ କରାଯାଉଛି । ସେମାନଙ୍କୁ ଶିକାର କରି ସେମାନଙ୍କ ମାଂସ ବଜାରରେ ବିକ୍ରି କରିବା ଉଦ୍ଦଶ୍ୟରେ ଅସାମାଜିକ ବ୍ୟକ୍ତିମାନେ ଶିକାର ପନ୍ଥା ଆପଣାଉଛନ୍ତି । ଏଭଳି ମାନସିକତା ଅନେକ ଲୋକଙ୍କ ମନରେ ରହିଥାଏ ଏବଂ ଏହାକୁ ପରିବର୍ତ୍ତନ କରିବାକୁ ହେବ । ଯେଉଁଠାରେ ପୋଲିସ କିମ୍ବା ବନ ବିଭାଗର ନିୟନ୍ତ୍ରଣ କମ ହୋଇଯିବ ସେହି ସମୟରେ ଲୋକମାନେ ବହୁଳ ମାତ୍ରାରେ ଶିକାର କରିଥାନ୍ତି । ତେଣୁ ପକ୍ଷୀ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ସମସ୍ତଙ୍କ କର୍ତ୍ତବ୍ୟ ହେବା ଆବଶ୍ୟକ । ଏଥିପାଇଁ ସଚେତନତା ସୃଷ୍ଟି କରାଯିବା ମଧ୍ୟ ଜରୁରୀ ।’’
ଇଟିଭି ଭାରତ, ଭୁବନେଶ୍ବର /ଖୋର୍ଦ୍ଧା