ଫୁଲବାଣୀ: ରାଜ୍ୟରୁ କମିବ ବେକାରୀ ସମସ୍ୟା । ଫୁଲବାଣୀ ଷ୍ଟାଡିୟମ ଠାରେ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ୍ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଫୁଲବାଣୀ ଠାରେ ମେଗା ନିଯୁକ୍ତି ମେଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ, ବୌଦ୍ଧ ଜିଲ୍ଲାର ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକ, ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଗଣିଆ ଓ ନୂଆଗାଁ, ଗଞ୍ଜାମର ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବ୍ଲକରୁ ଅନୁନ୍ୟା ୨୦ ହଜାରରୁ ଊର୍ଦ୍ଧ୍ବ ପ୍ରାର୍ଥୀ ଏଥିରେ ସାମିଲ ଥିଲେ । ସେଥି ମଧ୍ୟରୁ ଗତକାଲି ଗୋଟିଏ ଦିନରେ ମୋଟ ୧୩ ହଜାର ୫ ଶହ ପ୍ରାର୍ଥୀ ବିଭିନ୍ନ କମ୍ପାନୀରେ ନିଯୁକ୍ତି ଅଫର ପାଇଛନ୍ତି ।
ତେବେ ଓଡ଼ିଶାର ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ୩ ହଜାର ୫ଶହ ଜଣ ମନୋନୀତ ହୋଇଥିବା ବେଳେ ଭାରତର ଅନ୍ୟ କମ୍ପାନୀମାନେ ୧୦ ହଜାର ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି । ସେମାନଙ୍କ ସର୍ବନିମ୍ନ ମାସିକ ବେତନ ୧୨ ହଜାର ଟଙ୍କା ରହିଥିବା ବେଳେ ସର୍ବାଧିକ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ । ଓଡ଼ିଶାର ୪୦ ଟି କମ୍ପାନୀ ସମେତ ସମଗ୍ର ଦେଶରୁ ମୋଟ ୧୨୦ଟି କମ୍ପାନୀ ଓ ଶିଳ୍ପ ସଂସ୍ଥା ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ପାଇଁ ୧୨୦ଟି ଷ୍ଟଲ ଖୋଲାଯାଇ ପ୍ରାର୍ଥୀ ଚୟନର କରିବାର ବନ୍ଦୋବସ୍ତ କରାଯାଇଥିଲା । ବିଭିନ୍ନ ବ୍ଲକରେ ୧୨ ହଜାର ପଞ୍ଜିକରଣ ହୋଇଥିବା ବେଳେ ସ୍ପଟ ପଞ୍ଜିକରଣ ଓ ଅନ୍ୟାନ୍ୟ ପଞ୍ଜିକରଣକୁ ମିଶାଇ ପ୍ରାୟ ୨୦ ହଜାର ପଞ୍ଜିକରଣ ହୋଇଥିଲା ।
ଏହି ଅବସରରେ ଯୁବକଯୁବତୀଙ୍କୁ ଉଦବୋଧନ ଦେଇ ସାଂସଦ ଅଚ୍ୟୁତ ସାମନ୍ତ କହିଛନ୍ତି, "ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶା-ନବୀନ ଓଡ଼ିଶା ଲକ୍ଷ୍ୟର ଏହା ଅନ୍ୟ ଏକ ପ୍ରୟାସ । ଯୁବକଯୁବତୀମାନେ ଶିକ୍ଷିତ, ସଶକ୍ତ ହୋଇ ରୋଜଗାରକ୍ଷମ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଉଦ୍ଦେଶ୍ୟ ରହିଛି ତାହା ଏଠାରେ କାର୍ଯ୍ୟକାରୀ କରାଯାଇଛି । ଏହାଦ୍ବାରା ଓଡ଼ିଶା ସମେତ ସମଗ୍ର ଭାରତରୁ ୧୨୦ କମ୍ପାନୀ ଫୁଲବାଣୀ ସହରକୁ ଆସିପାରିଛନ୍ତି । ଏଭଳି ସଫଳ ଆୟୋଜନ ପଛରେ ଜିଲ୍ଲା ପ୍ରଶାସନ ଓ କିଟ୍ କର୍ମଚାରୀଙ୍କ ଅକୁଣ୍ଠ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ।"
ଏହା ମଧ୍ୟ ପଢ଼ନ୍ତୁ.....ବୌଦ୍ଧରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା: ଆଶାୟୀଙ୍କୁ ଆତ୍ମସ୍ବାବଲମ୍ବୀ ଆହ୍ବାନ
ସେହିପରି ଅନ୍ୟତମ ନିଯୁକ୍ତିଦାତା ମହାରାଷ୍ଟ୍ର ଚାମ୍ବରସ ଅଫ କମର୍ସ, ଇଣ୍ଡଷ୍ଟ୍ରି ଓ ଏଗ୍ରିକଲଚର୍ର ସଭାପତି ଲଳିତ ଗାନ୍ଧୀ ଯୋଗ ଦେଇ କହିଥିଲେ ଯେ, ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଯୁବକମାନେ ଅଧିକ କୁଶଳୀ ଓ ଦକ୍ଷ । ମହାରାଷ୍ଟ୍ରର ବିଭିନ୍ନ ଶିଳ୍ପ ସଂସ୍ଥାରେ ବର୍ଷକୁ ୫ହଜାରରୁ ଊର୍ଦ୍ଧ୍ୱ ଓଡ଼ିଆ କୁଶଳୀ ଓ ଦକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବା ନିମନ୍ତେ ସେ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ବିକାଶ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ନିଯୁକ୍ତି ସୁଯୋଗ ପାଇ ଆଶାୟୀ ପ୍ରାର୍ଥୀମାନେ ନିଜ ଖୁସି ବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ, କନ୍ଧମାଳ