ସମ୍ୱଲପୁର: ଶବକୁ ମିଳିଲାନି ଶେଷ ସମ୍ମାନ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ପରିଚାଳନା ଗତ ତ୍ରୁଟି ଯୋଗୁଁ ମାସେ ପଡିରହିଲା ମୃତଦେହ । ସୂଚନା ଅନୁସାରେ, ଜଣେ ଅଜଣା ବ୍ୟକ୍ତିଙ୍କ ଶବକୁ ଶବ ଗୃହର ଫ୍ରିଜରରେ ରଖି ଭୁଲିଗଲେ ହସ୍ପିଟାଲ କର୍ମଚାରୀ l ଆଉ ମାସେ ପରେ ଗତକାଲି ଅର୍ଥାତ ଜୁଲାଇ ୨ ତାରିଖରେ ଶବକୁ ଦେଖି ଚକିତ ହୋଇ ଯାଇଥିଲେ ହସ୍ପିଟାଲ କର୍ମଚାରୀ l ଶବଟି ଅଧିକାଂଶ ଶଢ଼ି ଯାଇଥିବା ବେଳେ ତାକୁ ଚିହ୍ନଟ କରିବା ମୁସ୍କିଲ ହୋଇ ଯାଇଥିଲା l ଯାହାକୁ ନେଇ ଏବେ ସବୁଠି ଅସନ୍ତୋଷ ବଢିବାରେ ଲାଗିଛି ।
ଗତ ମେ ମାସ ୩୧ତାରିଖରେ ଜଣେ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ l ତେବେ ପରବର୍ତ୍ତୀ ଦିନ ଅର୍ଥାତ ଜୁନ 1 ତାରିଖରେ ସେହି ରୋଗୀଙ୍କ ମୃତ୍ୟୁ ହୋଇଥିଲା l ପରେ ଶବ କୁ ହସ୍ପିଟାଲ ଶବ ଗୃହର ଫ୍ରିଜର ଭିତରେ ରଖାଯାଇଥିଲା l ପରେ କୌଣସି କାରଣ ଯୋଗୁଁ ହେଉ ଭୁଲି ଯାଇଥିଲେ କର୍ମଚାରୀ l ତେବେ ଗତକାଲି ଅର୍ଥାତ ଜୁଲାଇ ୨ ତାରିଖରେ ହଠାତ ଶବକୁ ଦେଖିଲା ବେଳକୁ ଶବଟି ଅଧିକାଂଶ ସଢ଼ି ଯାଇଥିଲା l ଏହା ପରେ ଟାଉନ ଥାନା ପୋଲିସକୁ ସୂଚନା ଦେବା ପରେ ପୋଲିସ ଆସି ଶବକୁ ଜବତ କରିଛି । କେହି ସମ୍ପର୍କୀୟ ନ ଆସିଲେ ଏହାର ସତ୍କାର କରି ଦିଆଯିବ ବୋଲି ପୋଲିସ ସୂଚନା ଦେଇଛି ।
ଏନେଇ ସମ୍ବଲପୁର ଜିଲ୍ଲା CDMPHO ଡା ସୁଜାତା ରାଣୀ ମିଶ୍ର କହିଛନ୍ତି ଯେ ଏନେଇ ADMO ଙ୍କ ସହ ସେ କଥା ହୋଇଛନ୍ତି l ADMO ଙ୍କ କହିବା ଅନୁସାରେ ଏନେଇ ପୋଲିସ ବିଭାଗ କୁ ସୂଚନା ପୂର୍ବରୁ ଦିଆ ସାରିଥିଲା l କିନ୍ତୁ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇ ନଥିଲା l ତେବେ କଣ ପ୍ରକୃତ ରେ ଘଟିଛି ସେନେଇ ପରବର୍ତ୍ତୀ ସମୟରେ ଜଣା ପଡିବ ବୋଲି CDMPHO ଡା ସୁଜାତା ରାଣୀ ମିଶ୍ର କହିଛନ୍ତି l ଅନ୍ୟପଟେ ଏନେଇ ସଦର SDPO କହିଛନ୍ତି ଯେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହେବ ଓ ଶବର ବ୍ୟବଛେଦ ମଧ୍ୟ କରାଯିବ l ୩ ଦିନ ଭିତରେ କେହି ସମ୍ପର୍କୀୟ ନ ଆସିଲେ ଶବ ସତ୍କାର କରାଯିବ l
ଏହା ମଧ୍ୟ ପଢନ୍ତୁ: ମୃତଦେହକୁ ମିଳିଲାନି ଶେଷ ସମ୍ମାନ, 7 ଘଣ୍ଟା ପଡି ରହିଲା ମର ଶରୀର
ଅନ୍ୟପଟେ ଟାଉନ ଥାନା ଅଧିକାରୀ ବୁଲୁ ସ୍ୱାଇଁ କହିଛନ୍ତି ଯେ ଏହି ଘଟଣା ନେଇ ତାଙ୍କୁ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା l ତେବେ ଗତକାଲି ଏହି ସୂଚନା ପାଇବା ପରେ ଆମେ କାଳେ ଆମ ପଟୁ ତ୍ରୁଟି ହୋଇଥିବ ଭାବି ହସ୍ପିଟାଲ ଯାଇ କାଗଜ ପତ୍ର ଯାଞ୍ଚ କରିଥିଲୁ l କିନ୍ତୁ କାଗଜ ପତ୍ର ଯାଞ୍ଚ ରେ ଆମକୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ଜଣା ପଡ଼ିଥିବା ଟାଉନ ଥାନା ଅଧିକାରୀ କହିଛନ୍ତି l ତେବେ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ବିଭାଗ ଏହି ଘଟଣା ନେଇ ପରସ୍ପର ଉପରେ ଦୋଷ ଦେଉଥିବା ବେଳେ କିନ୍ତୁ ଶବ କୁ ସମ୍ମାନ ମିଳି ପାରି ନାହିଁ l ତେଣୁ ଏହି ଘଟଣା ପାଇଁ କାହାର ଅବହେଳା ରହିଛି ତାହା ପରେ ଜଣା ପଡିବ l
ସମ୍ବଲପୁର, ଇଟିଭି ଭାରତ