ଭୁବନେଶ୍ବର: ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ନୂଆ ମେଡିକାଲ କଲେଜ । ମେଡିକାଲ କକେଜରେ ଖାଲି ପଡିଥିବା 5000 ଡାକ୍ତର , 3000 ପାରା ମେଡିକାଲ ପଦବୀରେ ନିଯୁକ୍ତି ମିଳିବ । ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବିଧାନସଭାରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ ମେଡିକାଲ କଲେଜଗୁଡିକରେ ବିଭିନ୍ନ ଡାକ୍ତରୀ ପଦବୀ ଖାଲି ପଡ଼ିଥିବା ନେଇ ଗୃହରେ ଉଦବେଗ ପରେ ଏପରି ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।
ମେଡିକାଲରେ ଖାଲି ଥିବା ପଦୀବ ପୂରଣ ହେବ :
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, 17ଟି ଏଲୋପାଥିକ ମେଡିକାଲ କଲେଜ, 4 ଟି ହୋମିଓପାଥିକ ମେଡିକାଲ କଲେଜ ଏବଂ 4 ଟି ଆୟୁରବେଦିକ ମେଡିକାଲ କଲେଜ ଅଛି । ଓଡ଼ିଶାର ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀଗୁଡିକ ପୂରଣ କରାଯିବ । OPSC ଦ୍ୱାରା ଚୟନ ପ୍ରକ୍ରିୟା ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ-ବିଧାନସଭାରେ ASO ଝଡ଼: ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ବିଜେଡିର ହଟ୍ଟଗୋଳ, 4ଟା ଯାଏଁ ଗୃହ ମୁଲତବୀ ଏହା ମଧ୍ୟ ପଢନ୍ତୁ-ବିଧାନସଭାରେ ପୋଲାଭରାମ ତାତି; ଲଢେଇ ଜାରି ରହିବ କହିଲେ ନବୀନ, 4 ଟା ଯାଏ ଗୃହ ମୁଲତବୀ |
ବୁର୍ଲା ମେଡିକାଲ କଲେଜରେ କେତେ ଡାକ୍ତର ପଦବୀ ଖାଲି ପଡ଼ିଛି ?
ମନ୍ତ୍ରୀ କହିଛନ୍ତି, ''ବୁର୍ଲା ମେଡ଼ିକାଲ କଲେଜର ସ୍ଥିତି ଉତ୍ତରାଧିକାରୀ ସୂତ୍ରରେ ପୂର୍ବ ସରକାରଠାରୁ ପାଇଛି । ସମ୍ବଲପୁର ଭିମସାରରେ ୪୧ଟି ପ୍ରଫେସର ପଦବୀ ଥିବାବେଳେ ୨୮ ଜଣ ଡାକ୍ତର ଅଛନ୍ତି। ଆସୋସିଏଟ ପ୍ରଫେସର ପଦବୀ ୭୮ଟି ଥିବାବେଳେ ୬୪ ଜଣ କାର୍ଯ୍ୟରତ ଅଛନ୍ତି । ସେହିପରି ଆସିଷ୍ଟାଣ୍ଟ ପ୍ରଫେସର ପଦ ୧୪୯ଟି ଥିବାବେଳେ ବର୍ତ୍ତମାନ ୧୨୯ ଡାକ୍ତର କାର୍ଯ୍ୟରତ ଅଛନ୍ତି । ସରକାରକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ଆପଣ କରିବେ। ''
ସମସ୍ତ ଜିଲ୍ଲାରେ ନୂଆ ମେଡିକାଲ କଲେଜ:
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆହୁରି ମଧ୍ୟ କହିଛନ୍ତି, ''ରାଜ୍ୟରେ ମେଡିକାଲ କଲେଜ ଖୋଲିବା ଜରୁରୀ । ମେଡିକାଲ କଲେଜରେ ଖାଲି ପଡିଥିବା 5000 ଡାକ୍ତର ,3000 ପାରା ମେଡିକାଲ ଷ୍ଟାଫ, ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଗୋଟିଏ ମେଡିକାଲରେ 100 ବେଡ୍ ପାଇଁ 300 କୋଟି ଟଙ୍କା ଖର୍ଚ୍ଚ ହେଉଛି । କେନ୍ଦ୍ର ସରକାର 60 ପ୍ରତିଶତ, ରାଜ୍ୟ ସରକାର 40 ପ୍ରତିଶତ ଦେଉଛନ୍ତି । ସୁନ୍ଦରଗଡ଼ରେ ନାଲକୋ ପକ୍ଷରୁ ଅନୁଦାନ ଦିଆଯାଇଛି । କେନ୍ଦୁଝରେ ଡିଏମଏଫ ପାଣ୍ଠିରୁ ଖର୍ଚ୍ଚ ହୋଇଛି। ''
ମିଶନ ଶକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ:
ଆଜି ବିଧାନସଭାରେ ଶୂନ୍ୟକାଳରେ ପ୍ରମିଳା ମଲ୍ଲିକ ମିଶନ ଶକ୍ତିକୁ ନେଇ ସରକାରଙ୍କୁ ଟାର୍ଗଟେ କରିଥିଲେ। ମିଶନ ଶକ୍ତି ବିଭାଗ କାର୍ଯ୍ୟକାରୀ ହୋଇଥିଲେ ସୁଧା ଦାୟିତ୍ଵରେ ଥିବା MBK, CRP ଭଳି ଅନୁଷ୍ଠାନକୁ ଛଅ ମାସ ହେଲା ସେମାନଙ୍କୁ କାର୍ଯ୍ୟ ଦେଉନାହାନ୍ତି କି ଦରମା ଦେଉନାହାନ୍ତି କି ତାଙ୍କ କାର୍ଯ୍ୟାଳୟ ଫଙ୍କସନ୍ ହେଉନାହିଁ। ପୂର୍ବ ସରକାର ମିଶନ ଶକ୍ତି କରି ମହିଳା ମାନଙ୍କୁ ସଶକ୍ତ କରୁଥିଲେ କିନ୍ତୁ ବର୍ତ୍ତମାନ ସରକାର କାହିଁକି ତାଙ୍କ ଦିଗରେ କର୍ଣ୍ଣପାତ କରୁନାହାନ୍ତି । ବେଳେ ବେଳେ ଶୁଣିବାକୁ ମିଳିଲାଣି ମିଶନ ଶକ୍ତି ଭାଙ୍ଗି ଦେବେ ବୋଧେ ନୂଆ ସରକାର। ଯାହା କି ଏଥର ବଜେଟ ଦେଖିଲେ ଲାଗୁଛି। ୬୦ହଜାରରୁ ଉର୍ଦ୍ଧ୍ବ ମହିଳା ଏବେ ଦ୍ବନ୍ଦରେ ରାଜରାସ୍ତାରେ ତାଙ୍କ କଥାକୁ ଚିନ୍ତା କରନ୍ତୁ ସରକାର। ଏମିତି କହି ବାଚସ୍ପତିଙ୍କ ରୁଲିଙ୍ଗ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
ସେ କହିଛନ୍ତି , ''ପୂର୍ବ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ଗଠନ କରିଥିଲେ। ହେଲେ ଏବେ ସରକାର ତାକୁ ଭାଙ୍ଗି ସାରିଲେଣି। ସୁଭଦ୍ରା ଟଙ୍କା ଦେଇ ମହିଳାଙ୍କୁ ନିକମା କରିସାରିଲେଣି। ସରକାର ସ୍ପଷ୍ଟ କରନ୍ତୁ ଯେ ମହିଳାଙ୍କୁ ସ୍ୱାବଲମ୍ବୀ ନ କରି ଘରେ ବସିବାକୁ ଦିଅନ୍ତୁ। ଆଜି ରାଜରାସ୍ତାରେ ମହିଳା ମାନେ ଆନ୍ଦୋଳନ କରୁଛନ୍ତି ତାଙ୍କୁ ଜବାବ ଦିଅନ୍ତୁ। ଖାଲି ସୁଭଦ୍ରା ଟଙ୍କା ଦେଇଦେଲେ ମହିଳା ମାନେ ସ୍ୱାବଲମ୍ବୀ ହେଇଯିବ ନାହିଁ। ''
ଇଟିଭି ଭାରତ, ଭୁବନେଶ୍ବର