ରାଇରଙ୍ଗପୁର : କାଳ ସାଜିଲା କାଳବୈଶାଖୀ । ବଜ୍ରପାତରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବାବେଳେ ପତ୍ନୀ ଗୁରୁତର ଥିବା ଜଣାପଡ଼ିଛି । ବଜ୍ରପାତ ହେଉଥିବାବେଳେ ସ୍ତ୍ରୀକୁ ଉଦ୍ଧାର କରିବାକୁ ଯାଇଥିବା ସ୍ବାମୀ ପ୍ରାଣ ହରାଇଛନ୍ତି । ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମାଣିକ ସାହିରେ । ସୂଚନା ଅନୁଯାୟୀ, ଠାକୁରମୁଣ୍ଡାରେ ଆଜି ସକାଳୁ ପ୍ରବଳ ବର୍ଷା ସହ ଘନଘନ ବଜ୍ରପାତ ହୋଇଥିଲା । ତେବେ ଜରକ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଣିକ ସାହିର ବାସିନ୍ଦା ବାଇଧର ସାମାଡ ଓ ତାଙ୍କ ସ୍ତ୍ରୀ ସେହି ସମୟରେ ନିଜ ଘରେ ଥିଲେ । ହେଲେ ବର୍ଷା ହେଉଥିବା ଦେଖି ବାଇଧରଙ୍କ ସ୍ତ୍ରୀ ଘର ବାହାରେ ଶୁଖୁଥିବା ଲୁଗା ଆଣିବାକୁ ଯାଇଥିବା ସମୟରେ ହଠାତ ବଜ୍ରଘାତ ହେବାରୁ ସେ ତଳେ ପଡିଯାଇଥିଲେ ।
ଏହା ଦେଖିବା ପରେ ସ୍ବାମୀ ବାଇଧର ସ୍ତ୍ରୀକୁ ଉଦ୍ଧାର କରିବାକୁ ତୁରନ୍ତ ବାହାରକୁ ଚାଲି ଯାଇଥିଲେ । ହଠାତ ପୁଣି ବଜ୍ରପାତ ହେବାରୁ ଦୁହେଁ ସେହିଠାରେ ହିଁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଯାଇଥିଲେ । ପରେ ବାଇଧରଙ୍କ ସ୍ତ୍ରୀଙ୍କ ଚେତା ଫେରିଥିବାବେଳେ ବାଇଧରଙ୍କ ଚେତା ଆଉ ଫେରି ନଥିଲା । ପଡୋଶୀମାନେ ଦୁହିଁଙ୍କୁ ଘର ସମ୍ମୁଖରେ ପଡ଼ିଥିବା ଦେଖି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସିବା ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ମେଡିକାଲକୁ ଅଣାଯାଇଥିଲା । ହେଲେ ସେଠାରେ ବାଇଧରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ବାଇଧରଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ଥିବା ଜଣାପଡ଼ିଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ...ବଜ୍ରପାତରେ ଜିଅନ୍ତା ଜଳିଗଲେ ଯୁବକ, ଜଣେ ଗୁରୁତର
ଏ ସମ୍ପର୍କରେ ମହୁଲଡିହା ଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ବାଇଧରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ମେଡିକାଲ ପଠାଇଛି ପୋଲିସ । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଏହି ଘଟଣା ଯୋଗୁଁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ବାଇଧର ସାମାଡଙ୍କ ଜୀବନ ଯାଇଛି । ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବାଲେଶ୍ବରରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହେଉଥିବାବେଳେ ବଜ୍ରପାତର ଶିକାର ହୋଇ ଜଣଙ୍କ ଜୀବନ ଯାଇଛି । ସେହିପରି ବଜ୍ରପାତରେ ଅନ୍ୟଜଣେ ଯୁବକ ଗୁରୁତର ଥିବା ସୂଚନା ମିଳିଛି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଇଟିଭି ଭାରତ, ମୟୂରଭଞ୍ଜ