ରାଇରଙ୍ଗପୁର: ହାତ ଧରାଧରି ହୋଇ ଚାଲିଗଲେ ପ୍ରେମୀ ଯୁଗଳ । ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ଦୁହିଁଙ୍କ ପ୍ରେମକୁ ପରିବାର ସ୍ବୀକୃତି ନ ମିଳିବାରୁ ସେମାନେ ଜୀବନ ହାରି ଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ।
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଖା ଗ୍ରାମ ପଞ୍ଚାୟତର ଶିଖରଘାଟି ଗ୍ରାମର ଏକ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ପ୍ରେମୀ ଯୁଗଳ ହେଲେ ଶିଖରଘାଟି ଗ୍ରାମର ସାଲଖାନ ମାରାଣ୍ଡି ଓ ମୁନୀ ମୁଖି ବୋଲି ଜଣାପଡ଼ିଛି । ଆଜି ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ପରେ ପୋଲିସ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଚିହ୍ନଟ କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ପୋଖରୀରୁ ମୃତଦେହ ଉଦ୍ଧାର, ମୃତ୍ୟୁର ରହସ୍ୟ ଖୋଜୁଛି ପୋଲିସ - Cuttack Man Body Found
ତେବେ ସାଲଖାନ ଗତକାଲି ରାତିରୁ ଘରୁ ବାହାରକୁ ଯାଇଥିବା ବେଳେ ଘରକୁ ଆଉ ଫେରିନଥିଲେ । ସେହିପରି ମୁନୀ ମଧ୍ୟ କାହାକୁ କିଛି ନ ଜଣାଇ ଘରୁ ବାହାରି ଥିଲେ । ହେଲେ ଆଜି ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ପୋଲିସ ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଛନ୍ତି । ଏନେଇ ବାରିପଦା ସଦର ଥାନାରେ ପୃଥକ ଭାବେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଏକ ବିଫଳ ପ୍ରେମର କରୁଣ ପରିଣତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷେ ଦୁହିଁଙ୍କ ପ୍ରେମକୁ ପରିବାରର ସ୍ବୀକୃତି ନ ମିଳିବାରୁ ଦୁହେଁ ମାନସିକ ଭାରସାମ୍ୟ ହରାଇ ଚରମ ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି ପୋଲିସ । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ମୟୂରଭଞ୍ଜ