ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଖଣି ଗୁଡ଼ିକରେ ହୋଇଛି ବ୍ୟାପକ ଘୋଟାଲା । ସରକାରୀ ଅଧିକାରୀ ଓ ଖଣି ମାଫିଆ ମିଳିମିଶି କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଲୁଟ୍ କରିଛନ୍ତି । ମହାପ୍ରଭୁଙ୍କ ନାଁରେ ଥିବା ଖୋର୍ଦ୍ଧା ଜିଲ୍ଲାରେ ଏକାଧିକ ଖଣିରେ ହୋଇଛି ବ୍ୟାପକ ଘୋଟାଲା । ତେବେ ଏହି ଘଟଣା ଜଣାପଡିବା ପରେ ନୂତନ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଯୋଗ ଦେଇଥିବା ଅରବିନ୍ଦ ପାଢୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।
7ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ:-
ମହାପ୍ରଭୁଙ୍କ ନାମରେ ଥିବା ବିଭିନ୍ନ ପଥର ଖଣି ଧାର୍ଯ୍ୟ ଚୁକ୍ତିକୁ ଉଲ୍ଲଙ୍ଘନ କରାଯାଇ ଅଧିକ ପଥର ଉତ୍ତୋଳନ କରାଯାଇଛି । ଯାହା ଫଳରେ ଶ୍ରୀମନ୍ଦିର ପ୍ରଶାସନ କୋଟି କୋଟି ଟଙ୍କାର ରାଜସ୍ବ ହରାଇଛି । ଏହା ଜଣାପଡିବା ପରେ ୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । 7ଦିନ ଭିତରେ ରୟାଲିଟି ସହ ଆନୁସଙ୍ଗିକ ବ୍ୟୟ ଓ ଜରିମାନା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ସାତଦିନ ମଧ୍ୟରେ ହାଜର ହୋଇ ଜବାବ ରଖିବାକୁ ମଧ୍ୟ ନୋଟିସରେ କୁହାଯାଇଛି । ୧୭ଟି ନିର୍ମାଣ ପଥର ଖଣି ଓ ଦୁଇଟି ମାଙ୍କଡ଼ା ପଥର ଖଣି ହୋଇ ମୋଟ ୧୯ଟି ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।
ନୋଟିସର ଜବାବ୍ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ:-
ଓଡ଼ିଶା ଲଘୁ ଖଣିଜ ଆଇନ୍ ୨୦୧୬ ଆଧାରରେ ଏହି ନୋଟିସ ଜାରି କରାଯାଇଥିବା ବେଳେ କେଉଁ ପରିସ୍ଥିତିରେ ଏଭଳି ବ୍ୟତିକ୍ରମ ହେଲା ସେନେଇ ଲିଖିତ ଜବାବ୍ ମଗାଯାଇଛି। ନୋଟିସର ଜବାବ୍ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି । ତେବେ ଜାରି କରାଯାଇଥିବା ନୋଟିସର ଖିଲାପ କଲେ ଖଣିର ଚୁକ୍ତି ପତ୍ର ରଦ୍ଦ କରାଯିବ ।
ଖଣି ଲିଜଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସେବାୟତଙ୍କ ନାପସନ୍ଦ:-
ସେପଟେ ମହାପ୍ରଭୁଙ୍କ ନାଁରେ ଥିବା ଖଣିଗୁଡ଼ିକରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଥିବା ବେଳେ କେବଳ ଖଣି ଲିଜଧାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ସେବାୟତ । ଏହି ବେଆଇନ୍ ଖଣି ଲୁଟ୍ ମାମଲାରେ ଜଡ଼ିତ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ସେବାୟତ । ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, "ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆମେ ଅନୁରୋଧ କରୁଛୁ ଖଣି ଦାୟିତ୍ଵରେ କେଉଁ ଅଧିକାରୀ ଥିଲେ, ତାଙ୍କର କେତେ ସମ୍ପତ୍ତି ରହିଛି ତାହା ଆଗେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯାଉ । ଖଣି ଲିଜଧାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ସହ ଏହି ବେଆଇନ କାର୍ଯ୍ୟରେ ଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ହେଉ । ନ ହେଲେ ଆମେ RTIରେ ତଥ୍ୟ ଆଣି ଭିଜିଲାନ୍ସକୁ ତଥ୍ୟ ଦେଇ ଏହି ଦୁର୍ନୀତି ପଛରେ କିଏ ଅଧିକାରୀ ଅଛନ୍ତି ତାକୁ ଆମେ ସାମନାକୁ ଆଣିବୁ । ମହାପ୍ରଭୁଙ୍କ ଖଣି ଲୁଟ ଦୀର୍ଘ ବର୍ଷ ଧରି ଚାଲିଥିଲା । ଏଥିରେ ଅନେକ ଲୋକ ସଂପୃକ୍ତ ଅଛି । ପ୍ରକୃତ ଘଟଣାକୁ ଆଗକୁ ଅଣାଯାଇ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବା ଦରକାର ।"
ନୋଟିସ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ:-
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, "ପ୍ରତିବର୍ଷ କେତେ ପରିମାଣର ଖଣିଜ ଦ୍ରବ୍ୟ ଉତ୍ତୋଳନ କରିବେ ତାହା ଲିଜଧାରୀଙ୍କୁ ଧାର୍ଯ୍ୟ କରାଯାଇଛି । ତେବେ ଖୋର୍ଦ୍ଧା ତହସିଲ ଅଧୀନରେ 17ଟି ନିର୍ମାଣ ପଥର ଖଣି ଓ 2ଟି ମାଙ୍କଡ଼ା ପଥର ଖଣିରୁ ବାର୍ଷିକ ଧାର୍ଯ୍ୟ ମୁତାବକ ଅଧିକ ପଥର ଉତ୍ତୋଳନ ହୋଇଛି । ଏଣୁ ଏହି କାରଣ ପାଇଁ ଖଣି ଲିଜଧାରୀଙ୍କୁ ନୋଟିସ ହୋଇଛି । ସେମାନେ ଏହାର ଜବାବ 7ଦିନ ଭିତରେ ଦେବା ସହ ରୟାଲିଟି, ଆନୁଷଙ୍ଗିକ ଦେୟ ଓ ଜରିମାନା ପୈଠ କରିବେ । ନୋଟିସ ଖିଲାପ କଲେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ନିଆଯିବ ।"
ମହାପ୍ରଭୁଙ୍କ ଖଣିରୁ କୋଟି କୋଟି ଟଙ୍କା ଲୁଟ୍:-
ସୂଚନା ଅନୁସାରେ ଖୋର୍ଦ୍ଧା ଓ ବେଗୁନିଆ ଅଞ୍ଚଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିରେ ରେକର୍ଡ ଭୁକ୍ତ ସମୁଦାୟ ୨୩୨ଟି କ୍ରସର ୟୁନିଟ୍ ରହିଛି । ଗତ ମେ ମାସରେ ଏଥିରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୮୫ଟି କ୍ରସର ୟୁନିଟ୍ ଶ୍ରୀମନ୍ଦିର ପ୍ରଶାସନ ସହ ବିଧିବଦ୍ଧ ବୁଝାମଣା ସ୍ବାକ୍ଷର ସରକାର କରିଥିଲେ । ୮୫ଟି କ୍ରସର ୟୁନିଟ୍ ମଧ୍ୟରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୫୨ଟି କ୍ରସର ୟୁନିଟ୍ ପକ୍ଷରୁ ନବୀକରଣ ଆବେଦନ ଦାଖଲ ହୋଇଥିଲା । ଏଥିସହ ଏମାନଙ୍କ ସହ ବୁଝାମଣା ନବୀକରଣ ମଧ୍ୟ କରାଯାଇଥିଲା । ତେବେ ବାକି ଖିଲାପକାରୀ ୧୪୭ଟି କ୍ରସର ୟୁନିଟ୍ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ବର୍ଷ ମେ ମାସରେ ନିଷ୍ପତ୍ତି ହୋଇଥିଲା ।
ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ, ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଓ ବିଦ୍ୟୁତ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଥିଲା । ଖିଲାପକାରୀ ୧୪୭ କ୍ରସର ୟୁନିଟରୁ ବିଦ୍ୟୁତ କାଟ ପାଇଁ ଟାଟା ପାୱାର ଓ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡକୁ ଅନୁମତି ପ୍ରତ୍ୟାହାର ପାଇଁ କୁହାଯାଇଥିଲା । ଏହା ସତ୍ତ୍ବେ ବି ଖଣି ଲିଜଧାରୀମାନେ ଚୋରା କାରବାର ଜାରି ରଖିଥିଲେ । ତେବେ ଏସମସ୍ତ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।
ଇଟିଭି ଭାରତ, ପୁରୀ