ଭୁବନେଶ୍ୱର: ସାବଧାନ ! ବିବାହ ମଣ୍ଡପରେ ମାତିଛନ୍ତି ଲୁଟେରା । ଚୋରଙ୍କ ଏବେ ନୂଆ ଠିକଣା ସାଜିଛି ବିବାହ ମଣ୍ଡପ । କୁଣିଆ ସାଜି ଆସି ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା । ମଣ୍ଡପରେ ଥିବା ଗିପ୍ଟ ଓ ଖାମ ବ୍ୟାଗକୁ କରୁଛନ୍ତି ଟାର୍ଗେଟ । ଦୀର୍ଘ ଦିନ ପରେ ପୁଣି ଏଭଳି ଘଟଣା ସାମ୍ନାକୁ ଆସିଛି । କଟକ-ପୁରୀ ବାଇପାସ ନିକଟରେ ଥିବା ବିବାହ ମଣ୍ଡପରେ ଏହିଭଳି ଢଙ୍ଗରେ ପାଖାପାଖି ୬ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ନେଇ କମିଶନରେଟ ପୋଲିସ ନିକଟରେ ଅଭିଯୋଗ ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ଚୋରିରେ ଜଣେ ନାବାଳକ ସମ୍ପୃକ୍ତ ଥିବାର ସିସିଟିଭି ଫୁଟେଜରେ ଜଣାପଡିଛି ।
ଏହାମଧ୍ୟ ପଢନ୍ତୁ...ଲାଇଟ୍ ଲଗାଇ ଚୋରି, ରେଳ କର୍ମଚାରୀଙ୍କ ଘରୁ ଟଙ୍କା-ସୁନା ଲୁଟିଲେ ଚୋର
ଅଭିଯୋଗକାରୀଙ୍କ କହିବାନୁଯାୟୀ, ଗତ ୭ ତାରିଖରେ କଟକ ପୁରୀ ବାଇପାସ ନିକଟରେ ଥିବା ବିବାହ ମଣ୍ଡପରେ ତାଙ୍କ ଝିଅ ବାହାଘର ଚାଲିଥିଲା । ବିବାହ ଚାଲିଥିବା ସମୟରେ ଗିଫ୍ଟ ମିଳିଥିବା ଖାମ ଓ ସୁନା ଗହଣା ଗୋଟିଏ ବ୍ୟାଗରେ ଥିବାବେଳେ ଜଣେ ସମ୍ପର୍କୀୟ ତାକୁ ଧରି ବସିଥିଲେ । ଏହି ସମୟରେ ଟିକେ ଅନ୍ୟମନସ୍କ ହୋଇପଡିବାରୁ ବ୍ୟାଗଟିକୁ ଗୋଟିଏ ବାଳକଟିଏ ନେଇ ଦୌଡି ପଳାଉଥିବାର ଦେଖିବାକୁ ପାଇଥିଲେ । ତେବେ ତାକୁ ଧରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପିଲାଟି ଫେରାର ହୋଇଯିବାରେ ସଫଳ ହୋଇଥିଲା । ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲା । ହେଲେ ଏବେସୁଦ୍ଧା ଅଭିଯୁକ୍ତ କିମ୍ବା ଟଙ୍କା ମିଳିନଥିବା କହିଛନ୍ତି ଅଭିଯୋଗକାରୀ ।
ଏହାମଧ୍ୟ ପଢନ୍ତୁ...ମାତିଛନ୍ତି ଏଟିଏମ ଲୁଟେରା, କଟରରେ କାଟି ଟଙ୍କା ନେଇ ଚମ୍ପଟ
କେବଳ କଟକ ପୁରୀ ବାଇପାସ ନିକଟରେ ନୁହେଁ ବରଂ ସେହି 7 ତାରିଖରେ ମୈତ୍ରୀବିହାର ଅଞ୍ଚଳରେ ଥିବା ଏକ ହୋଟେଲରେ ସମାନ ଢଙ୍ଗରେ ବିବାହ ମଣ୍ଡପରୁ ଲୁଟ ହୋଇଛି । ଜାଗମରାରେ ରହୁଥିବା ଦିନେଶ ମହାନ୍ତି ତାଙ୍କ ଝିଅ ବାହାଘର କରୁଥିବା ବେଳେ କେହି ସୁନା ଚେନ, ମୁଦି, ଟଙ୍କା ଥିବା ବ୍ୟାଗକୁ ନେଇ ଛୁ ମାରିଥିଲା । ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ ହୋଇଛି । ଅନ୍ୟପଟେ ପୋଲିସ ଅଭିଯୋଗ ପାଇବା ପରେ ମାମଲାର ତଦନ୍ତ ଆରମ୍ଭ କରିଛି । ବିବାହ ମଣ୍ଡପରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ଭୁବନେଶ୍ୱର