ସମ୍ବଲପୁର: ଆଜି ରେଢ଼ାଖୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶାଳ ରୋଡ ଶୋ' । ବିଜେପି ପକ୍ଷରୁ ଅନୁଷ୍ଠିତ ହେଲା ପରିବର୍ତ୍ତନ ସଂକଳ୍ପ ଯାତ୍ରା । ରେଢ଼ାଖୋଲରେ ଏକ ବିଶାଳ ଶୋଭାଯାତ୍ରାରେ ଯୋଗଦେଲେ ଧର୍ମେନ୍ଦ୍ର ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ ।ଏହି ଅବସରରେ ରେଢ଼ାଖୋଲ ବିଧାନସଭା ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ରହିଥିଲେ ।ଏହି ରୋଡ଼ ସୋରେ ବିପୁଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।
କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବର୍ତ୍ତନ ସଂକଳ୍ପ ଯାତ୍ରାଟି ରେଢ଼ାଖୋଲ କଲେଜ ଛକଠାରୁ ଆରମ୍ଭ ହୋଇ ଭୀମ ଭୋଇ ଛକରେ ପହଞ୍ଚି ଥିଲା । ସେଠାରେ ଥିବା ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଧର୍ମେନ୍ଦ୍ର । ଧର୍ମେନ୍ଦ୍ରଙ୍କ ପରିବର୍ତ୍ତନ ସଂକଳ୍ପ ଯାତ୍ରାର ରୋଡ଼ ସୋରେ ହଜାର ହଜାର ସଂଖ୍ୟାରେ ବିଜେପି ନେତା, ଶୁଭେଚ୍ଛୁ, ସମର୍ଥକ ସାଂସ୍କୃତିକ ଦଳ ମାନେ ଉପସ୍ଥିତ ଥିଲେ । ଆଜିର ଏହି ରୋଡ଼ ସୋ ପରେ ରେଢ଼ାଖୋଲ ବିଧାନସଭା, ସମ୍ବଲପୁର ଲୋକସଭାରେ ବିଜେପି ବିଜୟୀ ହେବା ସହ ଦେଶ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବ ବୋଳି ବିଜେପି ନେତୃବୃନ୍ଦ କହିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲ ବିକାଶ ନହେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,"ରେଢ଼ାଖୋଲ ବିଧାନସଭା ମଣ୍ଡଳୀରେ ସ୍କୁଲରେ ଶିକ୍ଷକ ଅଭାବ, ମେଡିକାଲରେ ଡାକ୍ତର ଅଭାବ ସହ ଲୋକଙ୍କୁ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ଏପରିକି ଚଳିତ ନିର୍ବାଚନରେ ସମ୍ବଲପୁର ଲୋକସଭା ସହ ରାଜ୍ୟରେ ପରିବର୍ତ୍ତନ ହେବା ପାଇଁ ଲୋକେ ମନସ୍ଥ କରିଥିବା ବେଳେ ଏଥର ପରିବର୍ତ୍ତନ ନିଶ୍ଚିତ ।"
ତେବେ ବିଜେପିର ଓଡ଼ିଆରେ ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସାଢେ ଚାରିକୋଟି ଲୋକେ ଏହା ନିର୍ଣ୍ଣୟ କରିବେ । ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ଵାସ କରି ଓଡ଼ିଆ ଲୋକଙ୍କୁ ରାଜ୍ୟବାସୀ ନିର୍ବାଚିତ କରିବେ । ଆଉ ମହାପ୍ରଭୁଙ୍କ ଆଶ୍ରୀର୍ବାଦ ଯାହା ଉପରେ ରହିବ ସେ ମୁଖ୍ୟମନ୍ତ୍ରୀ ହେବ । ଏଥିପାଇଁ ବିଜେପିକୁ କାହାର ପରାମର୍ଶ ଆବଶ୍ୟକ ନାହିଁ । ସେହିପରି ରେଢ଼ାଖୋଲରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନେଇ ସେ କହିଛନ୍ତି ଯେ, ଖୁବଶୀଘ୍ର ରେଢ଼ାଖୋଲରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ । କିନ୍ତୁ ରେଢ଼ାଖୋଲରେ ଥିବା ସରକାରୀ ସ୍କୁଲର ଅବ୍ୟବସ୍ଥା ନେଇ ସରକାର କ'ଣ ପାଇଁ ମୁହଁ ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି l
ଇଟିଭି ଭାରତ, ଭୁବନେଶ୍ବର