କେନ୍ଦୁଝର: ହଜାର ହଜାର ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ । କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ସ୍ଥାନୀୟ କାଳୀ ପଡ଼ିଆରୁ ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଶୋଭାଯାତ୍ରାରେ ଜିଲ୍ଲା ବିଜେଡି ସଭାପତି କୁଷ ଆପଟ, ସଦର ବିଧାୟକ ପ୍ରାର୍ଥୀ ମିନା ମାଝୀ, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର, ଚମ୍ପୁଆ ବିଧାନସଭା ପ୍ରାର୍ଥୀ ସନାତନ ମହାକୁଡ, ପାଟଣା ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ନାଏକ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ସହ ବହୁ ଜିଲ୍ଲାସ୍ତରୀୟ କର୍ମୀ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉ, ଧନୁର୍ଜୟ ସିଦ୍ଧୁ ୨୦୦୪ ମସିହାରେ ଚମ୍ପୁଆ ବିଧାନସଭା ଆସନରୁ ଜିତି ବିଧାୟକ ହୋଇଥିଲେ । ପରେ ୨୦୦୯ ନିର୍ବାଚନରେ କେନ୍ଦୁଝର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଲଢ଼ି ଦ୍ବିତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ପରେ ୨୦୧୪ ମସିହାରେ ତେଲକୋଇ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇଥିଲେ । ପରେ ବିଜେପିରେ ଯୋଗଦେଇ ୨୦୧୯ ମସିହାରେ ସେହି ତେଲକୋଇରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ପରେ ଧନୁର୍ଜୟ ସିଦ୍ଧୁ ବିଜେଡିରେ ଯୋଗଦେଇ ବରିଷ୍ଠ ଉପସଭାପତି ପଦ ପାଇଥିଲେ । ସେ ପୁନର୍ବାର ତେଲକୋଇ ବିଧାନସଭା ଆସନ ପାଇଁ ଆଶାୟୀ ଥିବାବେଳେ ଦଳ ତାଙ୍କୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଓ ଯୋଜନା ସହ ସନାତନ ମହାକୁଡଙ୍କ ଲୋକ ହିତକର ଯୋଜନାକୁ ପାଥେୟ କରି ନିର୍ବାଚନୀ ବୈତରଣୀ ପାର ହେବେ ବୋଲି ପ୍ରକାଶ କରିଛନ୍ତି ଧନୁର୍ଜୟ ସିଦ୍ଧୁ ।
କେନ୍ଦୁଝର ଲୋକସଭା ଆସନରେ ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ବିଜେପିର ଅନନ୍ତ ନାୟକ ଓ କଂଗ୍ରେସର ବିନୋଦ ନାୟକଙ୍କ ସହ ସିଦ୍ଧୁଙ୍କ ଟକ୍କର ହେବ । ମେ' 25 ତାରିଖରେ ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶାର 6 ଲୋକସଭା ଆସନ ଓ 42 ବିଧାନସଭା ଆସନରେ ମତଦାନ ହେବ । ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହିସବୁ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ନେତା ନାମାଙ୍କନ ଦାଖଲ କରୁଛନ୍ତି । ଏହି କ୍ରମରେ ଆଜି ହଜାରେରୁ ଅଧିକା ସମର୍ଥକଙ୍କ ସହ ଯାଇ ନାମାଙ୍କନ ଭରିଛନ୍ତି କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଧନୁର୍ଜୟ ସିଦ୍ଧୁ ।
ଇଟିଭି ଭାରତ, କେନ୍ଦୁଝର