ବଲାଙ୍ଗୀର: ଜିଲ୍ଲା ଲୋଇସିଂହା ବିଜେପି ବିଧାୟକ ତଥା ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ତାଙ୍କ ପାଞ୍ଚ ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି । ସେ ଗତ ବର୍ଷରେ କଣ କାମ କରିଛନ୍ତି ତାହା ସମ୍ପୂର୍ଣ୍ଣ ଏଥିରେ ସେ ଦର୍ଶାଇଛନ୍ତି । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁକେଶ ମହାଲିଙ୍ଗ ୫ ବର୍ଷର ବିସ୍ତୁତ ରିପୋର୍ଟ ଉପସ୍ଥାପନ କରିଛନ୍ତି । ତାଙ୍କ କାର୍ଯ୍ୟକାଳର ସଫଳତା ଏବଂ ବିଫଳତା ଉପରେ ଆଲୋକପାତ କରିଛନ୍ତି । ଏଥିସହ ଆଗକୁ କଣ କାର୍ଯ୍ୟ କରିବେ ତା ପାଇଁ ମଧ୍ୟ ଜାରି କରିଛନ୍ତି ସଂକଳ୍ପପତ୍ର ।
ଏହି ପ୍ରେସମିଟରେ ସେ କହିଛନ୍ତି ଯେ, ପୂର୍ବରୁ ଏଠି ବିଜେଡି ସରକାର କୌଣସି ବିକାଶ କାମ କରି ନ ଥିବା ବେଳେ ସେ ବିଧାୟକ ହେବା ପରେ ପାଞ୍ଚ ବର୍ଷରେ ଅଞ୍ଚଳର ସବୁ ଦିଗର ବିକାଶ କରିଛନ୍ତି । ଯେଉଁଥିରେ ସେ ସୁ-ଗମନା ଗମନ ପାଇଁ ୧୨୦୦କିମି ରାସ୍ତାର ଉନ୍ନତି କରଣ କରିଛନ୍ତି । ସେହିପରି ପାନୀୟ ଜଳ ବ୍ୟବସ୍ଥା, ଲୋକଙ୍କୁ ଆବାସ ଯୋଜନାରେ ଘର ଇତ୍ୟାଦିର ମଧ୍ୟ କାମ କରିଛନ୍ତି । ସମାନ ଭାବରେ ସେ ଶିକ୍ଷା ଦିଗରେ କାମ କରି ସ୍କୁଲର ଉନ୍ନତି କରଣ, ବିଭିନ୍ନ କଲେଜକୁ ଅନୁଦାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁ ଡାକ୍ତରଖାନାର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ୫୦ କୋଟି ଟଙ୍କା ଅନୁଦାନ ଆଣିବା ଓ ତାର କାମ ଜାରି ରହିଥିବାର ସେ କହିଛନ୍ତି ।
ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ସେ ଗାଈଖାଇ ଜଳ ପ୍ରକଳ୍ପକୁ ପର୍ଯ୍ୟଟନ ମାନ୍ୟତା କରାଇବା ସହ ଏଠି ଅମୋଦ ପ୍ରମୋଦ ବ୍ୟବସ୍ଥା ସେ କରାଇପାରିଛନ୍ତି ବୋଲି କହିଛନ୍ତି । ଏହିପରି ବିଭିନ୍ନ ସ୍ଥାନରେ ପାର୍କ ତିଆରି କରି ସମସ୍ତଙ୍କ ପାଇଁ ଆମୋଦ ପ୍ରମୋଦ ବ୍ୟବସ୍ଥା କରିଛନ୍ତି । ଏହାଛଡା ଲୋଇସିଂହାର ନୂତନ ବଷ୍ଟାଣ୍ଡ ଇତ୍ୟାଦି ପ୍ରକଳ୍ପ ସେ କରିବାରେ ସଫଳ ହୋଇଥିବାର କହିଛନ୍ତି ।
ଅନ୍ୟପଟେ ଏଠି ପୂର୍ବରୁ ବିଜେଡି କ୍ୟାବିନେଟ ମନ୍ତ୍ରୀ ଥିବା ସତ୍ତ୍ୱେ ମଧ୍ୟ ଲୋଇସିଂହାର କୌଣସି ବିକାଶ ହୋଇନଥିଲା ଏବଂ ସେ ବିଧାୟକ ହେବା ପରେ ଏଠିକାର ବିକାଶ ହୋଇଥିବାର ସେ କହିଛନ୍ତି । ବିଧାନ ସଭାରେ ସମସ୍ତଙ୍କ ଠାରୁ ଅଧିକ ପ୍ରଶ୍ନ ପଚାରି ଅଞ୍ଚଳର ବିକାଶ ପାଇଁ ସେ କାମ କରିଛନ୍ତି । ଯେଉଁଥିରେ ସେ ମୋଟ ୧୨୦୦ରୁ ଅଧିକ ପ୍ରଶ୍ନ ପଚାରି ଥିବାର କହିଛନ୍ତି । ସେହିପରି ସେ ଆଗକୁ ଅଞ୍ଚଳ ପାଇଁ କଣ କରିବେ ତା ପାଇଁ ମଧ୍ୟ ତାଙ୍କର ସଂକଳ୍ପ ପତ୍ର ଜାରି କରିଛନ୍ତି । ଯେଉଁଥିରେ ସେ ପ୍ରତ୍ୟେକ ଜମିକୁ ପାଣି, ନିଯୁକ୍ତି, ଶିକ୍ଷା ସ୍ୱାସ୍ଥ୍ୟ ଭଳି ସବୁ ଦିଗରେ କାମ କରିବେ ବୋଲି କହିଛନ୍ତି । ସେହିପରି ସବୁ ଅଞ୍ଚଳକୁ ମୋବାଇଲ ନେଟୱର୍କ ପହଁଚିବ ତା ପାଇଁ ସେ କାମ କରିବେ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଆଉଥରେ ସୁଯୋଗ ଦେଲେ ବାଲେଶ୍ବର ଅଧୁରା ବିକାଶ ହେବ ପୂରଣ; ପ୍ରତାପ
ବଲାଙ୍ଗୀର, ଇଟିଭି ଭାରତ