ବଲାଙ୍ଗୀର: ଜୋର ଧରିଲା ଏନଏସି ଦାବି । ବଲାଙ୍ଗୀର ଲୋଇସିଂହାରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । 26 ନମ୍ୱର ଜାତୀୟ ରାଜପଥ ଅବରୋଧ ସହ ସମସ୍ତ ଦୋକାନ ବଜାର ଏବଂ ସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ବଲାଙ୍ଗୀର ଜିଲ୍ଲା ଲୋସିଂହାକୁ ଏନଏସି ଦାବି ନେଇ ଆଜି (ରବିବାର) ପୁଣି ତେଜିଛି ଆନ୍ଦୋଳନ । ବିଶେଷ କରି 34ଟି ଅନ୍ୟ ଅଞ୍ଚଳ ଏନଏସି ମାନ୍ୟତା ପାଇଥିବାବେଳେ ପ୍ରତିଶ୍ରୁତି ପରେ ମଧ୍ୟ ଲୋଇସିଂହାକୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ସୂଚନା ଅନୁସାରେ, ଦୀର୍ଘ 8 ବର୍ଷରୁ ଅଧିକ ହେବ ଲୋଇସିଂହାକୁ ଏନଏସି ମାନ୍ୟତା ଦାବି ହୋଇଆସୁଛି । ଯାହା ପାଇଁ ଅନେକ ଥର ଆନ୍ଦୋଳନ ମଧ୍ୟ ହୋଇଛି । ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ପାଳନ ହେଉନଥିବାରୁ ତେଜିଛି ଅସନ୍ତୋଷ । ଏନେଇ ଲୋଇସିଂହା ବିଧାୟକ କହିଛନ୍ତି, "ବିଧାନସଭାରେ ମଧ୍ୟ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହି ପ୍ରତିଶ୍ରୁତି ଧୂଆଁବାଣ ହୋଇଛି ।" ରାଜ୍ୟର ଅନ୍ୟ 34ଟି ଅଞ୍ଚଳ ଏନଏସି ମାନ୍ୟତା ପାଇଥିବାବେଳେ ବଲାଙ୍ଗୀର ଜିଲ୍ଲାର ସଇଁତଳା ଓ ବେଲପଡାକୁ ଏନଏସି ମାନ୍ୟତା ମିଳିଛି । ବିଧାନସଭାରେ 12 ଥରରୁ ଅଧିକ ଏହି ବିଷୟ ଜଣାଇଛି । ସରକାର ଲିଖିତ ଭାବରେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଲୋଇସିଂହା ଜନସଂଖ୍ୟା 13 ହଜାର ଉପରେ ଥିଲେ ମଧ୍ୟ ଏହାକୁ ଏନଏସି ମାନ୍ୟତା ଦେବାରେ ସରକାର କୁଣ୍ଠାବୋଧ କରୁଛନ୍ତି ।" ସେହିପରି ସ୍ଥାନୀୟ ବିଜେଡ଼ି ନେତା ଚକ୍ରାନ୍ତ କରି ଏନଏସି ହେବାକୁ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ମନମୁଣ୍ଡାକୁ ମିଳିଲାନି NAC ମାନ୍ୟତା, ଅଞ୍ଚଳବାସୀଙ୍କ ହଙ୍ଗମା
ଏହା ମଧ୍ୟ ପଢନ୍ତୁ...ପ୍ରତିଶୃତି ପୂରଣ କଲେନି ସରକାର; ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନବାଡି ୱାର୍କସ
ଏହି ବନ୍ଦରେ ଲୋଇସିଂହା ଅଞ୍ଚଳର ଏକାଧିକ ସଂଗଠନ ସାମିଲ ହୋଇଥିବାବେଳେ ବିଜେପି ବିଜେଡି ଦଳର ନେତା ମଧ୍ୟ ସାମିଲ ହୋଇଛନ୍ତି । ଆଗ ମାଟି ପରେ ପାର୍ଟି ବୋଲି ଏମାନେ କହିଛନ୍ତି । ସେହିପରି ଏନଏସି ମାନ୍ୟତା ନ ମିଳିଲେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି । "ଲୋଇସିଂହା ଏନଏସି ପାଇବାର ଯୋଗ୍ୟ ହେଉଥିଲେ ମଧ୍ୟ ମାନ୍ୟତା ମିଳୁନାହିଁ । ଯାହା ଏହି ଅଞ୍ଚଳର ଲୋକଙ୍କ ପାଇଁ ପରିହାସ ବିଷୟ ଅଟେ ତେଣୁ ଏହି ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ" ବୋଲି କହିଛନ୍ତି ଆନ୍ଦୋଳନକାରୀ । ତେବେ ଲୋଇସିଂହା ଏନଏସି ମାନ୍ୟତାରୁ ବାଦ ପଡ଼ିବା ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।
ଇଟିଭି ଭାରତ, ବଲାଙ୍ଗୀର