ନିଆଳି: ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଅଞ୍ଚଳରେ ବିଗୁଡୁଛି ଗୋ-ସେବା । ବର୍ଷ ବର୍ଷ ଧରି ଖାଲି ପଡିଛି ପ୍ରାଣୀଧନ ନିରୀକ୍ଷକ ଏବଂ ଡାକ୍ତର ପଦବୀ । ଏନେଇ ଗୋରୁ, ଗାଈ ଏବଂ ଛେଳି ଓ ମେଣ୍ଢା ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବା ନେଇ ଗୋପାଳକ ଅଭିଯୋଗ କରିବା ପରେ ବାଲିପାଟଣା ବ୍ଲକ ଗୋଷ୍ଠୀ ଚିକିତ୍ସାଧିକାରୀ ମଧ୍ୟ ଘଟଣାକୁ ସ୍ବୀକାର କରିଛନ୍ତି ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ମାର୍ଥାପୁର ପଞ୍ଚାୟତସ୍ଥିତ ଆଳୋଇ ପ୍ରଧାନ ସାହି ଏବଂ ଆଖପାଖ ଅଞ୍ଚଳ ଲୋକେ ଗାଈ ଲାଳନପାଳନ କରି ପରିବାର ଗୁଜୁରାଣ ମେଣ୍ଟାଇ ଥାନ୍ତି । ଗୃହ ପାଳିତ ପଶୁଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ରୋଗରେ ପୀଡିତ ହୋଇଥାନ୍ତି । ଏନେଇ ସରକାରଙ୍କ ପକ୍ଷରୁ ବାଲିପାଟଣା ଗୋଷ୍ଠୀ ପ୍ରାଣୀ ଚିକିତ୍ସା କିମ୍ବା ମାର୍ଥାପୁର ନିକଟରେ ପ୍ରାଣୀଧନ ନିରୀକ୍ଷକ ଚିକିତ୍ସା କେନ୍ଦ୍ର ଖୋଲା ଯାଇଥିଲେ ସୁଦ୍ଧା ପ୍ରାଣୀ ସମ୍ପଦର ଚିକିତ୍ସା କ୍ଷେତ୍ରରେ ଅବହେଳା ଦେଖାଯାଇଛି । ତେବେ ମାର୍ଥାପୁର ପଞ୍ଚାୟତସ୍ଥିତ ଆଳୋଇ ପ୍ରଧାନ ସାହି ଗ୍ରାମର ପ୍ରତିମା ପାତ୍ର ଏବଂ ତାଙ୍କ ସ୍ବାମୀ ବର୍ଷ ବର୍ଷ ଧରି ଗାଈ ଲାଳନପାଳନ କରି ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ତାଙ୍କ ଗୋଟିଏ ଦୁଆଣିଆ ଗାଈ ଦୀର୍ଘ ଦିନ ଧରି ରୋଗରେ ପୀଡିତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ମାଗଣାରେ ପ୍ରାଣୀ ଚିକିତ୍ସା ମିଳିନି । ଫଳରେ ବହୁ ଖର୍ଚ୍ଚାନ୍ତ ହୋଇ ବେସରକାରୀ ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଶୋଷଣର ଶିକାର ହେଉଛନ୍ତି ।
ବାଲିପାଟଣା ବ୍ଲକ ୧୭ଟି ପଞ୍ଚାୟତ ରହିଥିବା ବେଳେ ୧୦୨ ରୁ ଉର୍ଦ୍ଧ୍ୱ ଗାଁ ରହିଛି । ରାଜ୍ୟ ସରକାର ପ୍ରାଣୀ ଧନ ସେବା ଯୋଗାଇ ଦେବା ପାଇଁ ବାଲିପାଟଣା ନିକଟରେ ଗୋଷ୍ଠୀ ପ୍ରାଣୀ ଧନ ଚିକିତ୍ସା କେନ୍ଦ୍ର ସ୍ଥାପନ କରିଥିଲେ । ୧୫ ଗୋଟି ପ୍ରାଣୀ ଧନ ନିରୀକ୍ଷକ ସେବା କେନ୍ଦ୍ର ଗଠନ କରିଛନ୍ତି । କିନ୍ତୁ ଏହି ସବୁ ପ୍ରାଣୀ ଧନ ନିରୀକ୍ଷକ ସେବା କେନ୍ଦ୍ରରେ ତାଲା ଝୁଲୁଛି। ନରିଶୋ, ଭାକରସାହି, ଅଭୟମୁଖି,ବସନ୍ତମାଳ, ପମ୍ପାଲୋ ଏବଂ ବିଶ୍ବନାଥପୁର ଅଞ୍ଚଳରେ ପ୍ରାଣୀ ଧନ ନିରୀକ୍ଷକ ଥିବାବେଳେ ଆମଣାକୁଦ, ଭାପୁର, ମାର୍ଥାପୁର, ଦରବାଙ୍ଗ, ଧାନହରା, ରାଜସ୍ବ, ମୁକୁନ୍ଦ ଦାସପୁର,ପୁବାଗଡ ଏବଂ ଗୁଆପୁର ପ୍ରାଣୀ ଧନ ନିରୀକ୍ଷକ ସେବା କେନ୍ଦ୍ରରେ ଝୁଲୁଛି ତାଲା । ସେହିପରି ୯ଟି ପ୍ରାଣୀଧନ ନିରୀକ୍ଷକ ଓ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଗୋଟିଏ ପଦବୀ ଖାଲି ପଡିଥିବା ନେଇ ସୂଚନା ମିଳିଛି । ଯାହା ଦ୍ବାରା ଗୃହ ପାଳିତ ପ୍ରାଣୀଙ୍କୁ ଚିକିତ୍ସା ସମ୍ଭବ ନୁହେଁ ବୋଲି କହିଛନ୍ତି ବାଲିପାଟଣା ବ୍ଲକ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ।
ଏହା ମଧ୍ୟ ପଢନ୍ତୁ-ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମହିଳାଙ୍କ ବିକ୍ଷୋଭ
ସେହିପରି ୨୦୧୯ ଗଣନା ଅନୁସାରେ ବାଲିପାଟଣା ବ୍ଲକ ଅଞ୍ଚଳରେ ୨୭୧୬୫ ଗୋରୁ ଗାଈ, ମଇଁଷି ୫୦୯, ମେଣ୍ଢା ୬୦୩୨ ଏବଂ ଛେଳି ୯୩୬୩ ଥିବା ବେଳେ ଏବେ ଏହି ସଂଖ୍ୟା ଅଧିକ ରହିଛି । ରାଜ୍ୟ ସରକାର ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ବାଲିପାଟଣା ବ୍ଲକ ଅଞ୍ଚଳରେ ପ୍ରାଣୀ ଧନ ସେବା ଯୋଗାଇବା ସହିତ ଖାଲି ଥିବା ପଦବୀଗୁଡ଼ିକ ପୂରଣ ପାଇଁ ଦାବି ହୋଇଛି।
ଇଟିଭି ଭାରତ, ନିଆଳି