ପୁରୀ: ଜମି ବାଡି, କୋଠା, ଘର ଦ୍ବାର, ଗାଡ଼ିମୋଟର ଏମିତି କେତେ କଣ ବିକ୍ରି କଥା ଆପଣ ଶୁଣିଥିବେ ଜାଣିଥିବେ । ହେଲେ ସମୁଦ୍ର ବିକିବା କଥା ଆପଣ ଶୁଣିଛନ୍ତି କି ? ଏକଥା ଶୁଣି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ସମୁଦ୍ରକୁ କିଭଳି ବିକ୍ରି କରାଯାଇପାରିବ ? ହଁ ଆଜ୍ଞା କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରୀ ବେଳାଭୂମିକୁ ଖଣ୍ଡ ଖଣ୍ଡ କରି ବିକ୍ରି କରିବାକୁ ଚାଲିଛି ମସୁଧା । ସବୁ ନିୟମ କାନୁନକୁ ବାଏଁ ବାଏଁ ଉଡାଇ ବେଳାଭୂମି ଉପରେ ପ୍ଲଟିଂ ହୋଇଛି । ଆଉ ଜାଗାକୁ ଚିହ୍ନଟ ପାଇଁ ପୋତା ହୋଇଛି ଖୁଣ୍ଟି । ଏହା ପଛରେ ବଡ଼ ବଡ଼ ଜମି ମାଫିଆଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ବେଳାଭୂମିକୁ ପ୍ଲଟିଂ, ପ୍ରଶାସନ ପାଖରେ ଖବର ନାହିଁ: ସମୁଦ୍ର ବେଳାଭୂମିରେ ଖୁଣ୍ଟି ପୋତାଯାଇ କରାଯାଇଛି ଏକାଧିକ ପ୍ଲଟିଂ । ରାଜ୍ୟ ବାହାରର ବ୍ୟକ୍ତିଙ୍କୁ ବିକ୍ରି କରିବା ପାଇଁ କରାଯାଇଛି ଏହି ଯୋଜନା ବୋଲି ଚର୍ଚ୍ଚା ହେଉଛି । ପୁରୀ ଷ୍ଟର୍ଲିନ ଛକ ନିକଟରେ ଥିବା ବେଳାଭୂମିରେ ହୋଇଛି ଏଭଳି ଖୁଲମଖୁଲା ବେନିୟମ କାର୍ଯ୍ୟ । ସମସ୍ତ ନିୟମ କାନୁନକୁ ଉଲ୍ଲଙ୍ଘନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନକୁ ବେଖାତିର କରି ଜମି ମାଫିଆ ମାନେ ଏଭଳି କାର୍ଯ୍ୟ କରିଛନ୍ତି । ସମୁଦ୍ର ବେଳାଭୂମିକୁ ପ୍ଲଟିଂ କରି ଜମି ମାଫିଆ ମାନେ ଜମି ବିକ୍ରି କରିବା ପାଇଁ ମସୁଧା କରିଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପାଖରେ କୌଣସି ଖବର ନଥିଲା ।
କିଏ କଲା ସିଆରଜେଡ ନିୟମ ଉଲ୍ଲଙ୍ଘନ: ସିଆରଜେଡ ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରି ଜମି ମାଫିଆ ମାନେ ସମୁଦ୍ର ବେଳାଭୂମିକୁ ବିକ୍ରି କରିବା ପାଇଁ ଯୋଜନା କରିଥିବା ବେଳେ ଏହାକୁ ଦୃଢ଼ ବିରୋଧ କରିଛନ୍ତି ବୁଦ୍ଧିଜୀବୀ । ତୁରନ୍ତ ଘଟଣାର ତଦନ୍ତ କରାଯାଇ ବେଳାଭୂମିକୁ ବିକ୍ରି କରିବା ପଛରେ ହାତ ଥିବା ଜମି ମାଫିଆ ଏବଂ ଦୁର୍ନୀତି ଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ ।
ସିଆରଜେଡ ଆଇନ କଣ ?
ସିଆରଜେଡ ଆଇନ (Costal Regulation Zone) ଅଧିନରେ ପରିବେଶ ଆଇନ 1986ର ସେକ୍ସନ-3 ଆଧାରରେ ବେଳାଭୂମିରେ ଖନନ ଓ ନିର୍ମାଣ ଦଣ୍ଡନୀୟ ଅପରାଧ । ଏପରିକି କଂକ୍ରିଟ ନିର୍ମାଣ ମଧ୍ୟ କରାଯାଇପାରିବ ନାହିଁ । ଯାହାକୁ ପୁରୀ ବେଳାଭୂମିରେ ଖୁଲମଖୁଲା ଉଲ୍ଲଙ୍ଘନ କରାଯାଇଛି ।
ବେଳାଭୂମି ପାଇଁ କଣ ରହିଛି ନିୟମ ?
ପୁରୀ ପେଣ୍ଠକଟା ଠାରୁ ଦିଗବାରେଣି ଛକ ହୋଇ ଷ୍ଟର୍ଲିନ୍ ଛକ ପର୍ଯ୍ୟନ୍ତ ଲମ୍ବିଛି ପୁରୀର ବିସ୍ତିର୍ଣ୍ଣ ବେଳାଭୂମି । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ ନୋଟିଫିକେସନରେ ସ୍ପଷ୍ଟ ଉଲ୍ଳେଖ ରହିଛି ସିଆରଜେଡ୍ ନିୟମ (Costal Regulation Zone (CRZ) ) ଅନୁଯାୟୀ ସମୁଦ୍ର ଜଳରାଶି ଓ ଏହାର ଜୈବ ବିବିଧତାର ସୁରକ୍ଷା ପାଇଁ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ କୌଣସି ପରିସ୍ଥିତିରେ କିଛି ବି ନିର୍ମାଣ ହୋଇପାରିବ ନାହିଁ ।
ଏହା ମଧ୍ୟ ପଢନ୍ତୁ: Puri Sea Beach: ଆଉ ବର୍ଷେ ଅପେକ୍ଷା, ଗୋଆ ଭଳି ଚମକିବ ପୁରୀ ବେଳାଭୂମି
କିଏ ଦେଲା ନିର୍ଦ୍ଦେଶ ?
କେବଳ ପ୍ଲଟିଂ ନୁହେଁ ପୁରୀ ବେଳାଭୂମିରେ ଜଣେ ବ୍ୟକ୍ତି ଘର ନିର୍ମାଣ ପାଇଁ ପାଚେରୀ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିବା ଅଭିଯୋଗ ଆସିଛି । ବେଳାଭୂମିରେ କଂକ୍ରିଟ ନିର୍ମାଣ ନିଷିଦ୍ଧ ଥିବାବେଳେ କିଏ ଏବଂ କେଉଁ ପରିସ୍ଥିତିରେ ଏଭଳି ଅନୁମତି ଦେଲା ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ବେଳାଭୂମିରେ ଏଭଳି ବେଆଇନ୍ ପ୍ଲଟିଂ ଓ ନିର୍ମାଣକୁ ନେଇ ଉଦବେଗ ପ୍ରକାଶ ପାଇବାରେ ଲାଗିଛି ।
ସେବାୟତ ମହଲରେ ଉଦବେଗ:
ଜମି ମାଫିଆଙ୍କ ଏପରି ମସୁଧାକୁ ନେଇ ଚାରିଆଡୁ ଉଦବେଗ ପ୍ରକାଶ ପାଇଛି । ସେବାୟତ ଓ ବୁଦ୍ଧିଜୀବୀ ଏହାକୁ ତୀବ୍ର ବିରୋଧ କରିଛନ୍ତି । ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ‘ସମୁଦ୍ର କାହିଁକି ରଖିଛନ୍ତି ଭାଗ ଭାଗ କରି ବିକ୍ରି କରିଦିଅନ୍ତୁ । ସେପରି ହୋଇପାରିବ ନାହିଁ । ସିଆରଜେଡରେ ଅଛି, ଏହି ସବୁ ଜିନିଷ କେବେ ହେବା କଥା ନୁହେଁ । ଯଦି ଏପରି ହୋଇଛି ଏଥିପାଇଁ ଜିଲ୍ଲା ପ୍ରଶାସକ ଓ ସମସ୍ତେ ଏଥିପାଇଁ ତତ୍ପର ହୁଅନ୍ତୁ । ଯିଏ ଏପରି ବେଆଇନ କାର୍ଯ୍ୟ କରିଛି ତା ବିରୋଧରେ ତୁରନ୍ତ ଗିରଫ କରାଯାଉ ଓ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ନୋଟାରୀ ବନ୍ଦ କରିଦିଅନ୍ତୁ । ନୋଟାରୀ ହୋଇପାରିବନି ରେଜିଷ୍ଟ୍ରେସନ ହୋଇପାରିବନି । ଏସବୁ ବ୍ୟାନ କରି ଦିଅନ୍ତୁ । ଜିଲ୍ଲା ପ୍ରଶାସନ ଯଦି ବିଷୟରେ ଜାଣି ନଥିଲା ଗଣମାଧ୍ୟମ ଦ୍ବାରା ଏବେ ତ ଖବର ଜାଣିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ଯେଉଁ ମାନେ ବେଆଇନ ଭାବେ ନିର୍ମାଣ କରିଛନ୍ତି ତାକୁ ତୁରନ୍ତ ବନ୍ଦ କରାଯାଉ । ମୁଖ୍ୟମନ୍ତ୍ରୀ ମଧ୍ୟ ଏ କାର୍ଯ୍ୟରେ ସଂଶ୍ଲିଷ୍ଟ ରୁହନ୍ତୁ ଏସବୁ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ ।’
ଜନସାଧାରଣଙ୍କୁ ଉପଜିଲ୍ଲାପାଳଙ୍କ ଅପିଲ୍: ବେଳାଭୂମିରେ ପ୍ଲଟିଂକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଉପଜିଲ୍ଲାପାଳ ଗୋପିନାଥ କୁଅଁର । ସେ କହିଛନ୍ତି, ‘ଏହି ସବୁ ସ୍ଥାନ ଏବେବି ସରକାରୀ ଅଧିନରେ ରହିଛି । ଯେଉଁ ମାନେ ନୋଟାରୀ ମାଧ୍ୟମରେ ସତ୍ୟପାଠ କରଛନ୍ତି ଏସବୁରୁ ନିବୃତ୍ତ ରୁହନ୍ତୁ । ଏସବୁ ବେଆଇନ ଆମେ ଯଦି ଏସବୁ ପ୍ରମାଣ ପାଇବୁ ତୁରନ୍ତ ଅପରାଧିକ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଯେଉଁ ଲୋକମାନେ ନୋଟାରି ମାଧ୍ୟମରେ ନେଉଛନ୍ତି ଏସବୁ ନିଅନ୍ତୁ ନାହିଁ । ପୂର୍ବରୁ ମଧ୍ୟ ଖୁଣ୍ଟ ପୋତା ଯାଇଥିଲା । ଏହି ଜମି ଏବେବି ସରକାରୀ ଅଧିନରେ ଅଛି । ଯଦି କିଏ ଏପରି କରିଛି ତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଖୁଣ୍ଟ ସବୁ ଉପାଡିକି ଫୋଫଡାଯିବ । କିଛି କିଛି ସ୍ଥାନରେ ଆମେ ଅବଗତ ହେଇପାରୁନୁ । କିନ୍ତୁ ଆମ ଦୃଷ୍ଟିଗୋଚରକୁ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।
ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ: ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ପୁରୀ ବେଳାଭୂମିରେ ଦୁଇ ବେଆଇନ କାର୍ଯ୍ୟ ଚାଲିଥିବା ଦୃଷ୍ଟି ଗୋଚରକୁ ଆସିଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି, ‘ଜଣେ ବ୍ୟକ୍ତିଗତ ଭାବେ ନିର୍ମାଣ କରୁଥିଲେ । ଆମେ ତାକୁ ବନ୍ଦ କରିଛୁ । ବେଳାଭୂମିରେ ଏପରି ହେବା କଥା ନୁହେଁ । ଘଟଣାର ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ ପରିପ୍ରେକ୍ଷୀରେ ଏହା କରାଯାଇଛି ତାହାର ତଦାରକ ପାଇଁ ଉପଜିଲ୍ଲାପାଳଙ୍କୁ କୁହାଯାଇଛି । ଏଥିସହ ରାଜସ୍ବ ନିୟମାବଳୀରେ ଅଛିକି ଏପରି କିଛି ତ୍ରୁଟି ରହିଛି । ତାହାର କିପରି ସଂଶୋଧନ କରାଯିବ ତଦନ୍ତ କରି ପଦକ୍ଷେପ ନେବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଜମିକୁ ଲୋକେ ନୋଟାରୀ ମାଧ୍ୟମରେ କିଣାବିକା କରୁଛନ୍ତି । ତାହାର କୌଣସି ଆଇନଗତ ସ୍ବୀକୃତି ନାହିଁ । ଏପରି ଘଟଣା ଆମ ସାମ୍ନାକୁ ଆସିଲା ଆମେ ଦୃଢ କାର୍ଯ୍ୟାନୁଷ୍ଠାନ ନେବୁ ।
ପୁରୀ ଭଳି ତୀର୍ଥକ୍ଷେତ୍ରରେ ମାଫିଆଙ୍କ ଏଭଳି ଚକ୍ରାନ୍ତଙ୍କୁ ସାଧାରଣରେ ନାପସନ୍ଦ କରାଯାଉଛି । ଏଭଳି ଯେଉଁମାନେ କରୁଛନ୍ତି ତାଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି । ଅନ୍ୟପଟେ ବେଳାଭୂମିରେ ଏପରି ପ୍ଲଟିଂ କରିବା ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କିଭଳି ପ୍ରଶାସନ ଦୃଷ୍ଟିକୁ ଆସିଲାନି ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି ।
ଇଟିଭି ଭାରତ, ପୁରୀ