ଭୁବନେଶ୍ୱର: ଖଣ୍ଡଗିରି ପନ୍ଥିକାଠାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣ ପକ୍ଷରୁ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଆରମ୍ଭ ହୋଇଯାଇଛି । ଶନିବାର ସନ୍ଧ୍ୟାରେ ଏହି ମହୋତ୍ସବ ଉଦଘାଟିତ ହୋଇଥିବା ବେଳେ ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲିବ । ସେପଟେ ଚାଲିଛି ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା । ସାଧୁସନ୍ଥଙ୍କ ମନ୍ତ୍ରଧ୍ବନିରେ କମ୍ପୁଛି ଖଣ୍ଡଗିରି-ଉଦୟଗିରି ପାଦଦେଶ । ଭଜନ କୀର୍ତ୍ତନ ଓ ହରିନାମରେ ତପୋଭୂମି ଫାଟି ପଡ଼ୁଛି । ଶୁକ୍ରବାରଠାରୁ ପବିତ୍ର ମାଘ ସପ୍ତମୀ ଆରମ୍ଭ ହୋଇଥିବା ବେଳେ ଖଣ୍ଡଗିରିରେ କୁମ୍ଭମେଳା ବେଶ୍ ଜମୁଛି । ଦ୍ବିତୀୟ ଦିନ (ଶନିବାର)ରେ ଏଠାରେ ପ୍ରବଳ ଜନସମାଗମ ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଶତାଧିକ ସାଧୁସନ୍ଥ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଗିରିରେ ଡେରା ପକାଇଥିଲେ ।
ଐତିହାସିକ କୁମ୍ଭ ମେଳାରେ ମନ୍ତ୍ରଧ୍ୱନିରେ ଗଗନପବନ ମୁଖରିତ ହେଉଥିବା ବେଳେ ଟ୍ରାଫିକ ଛକରୁ ଚାରିଛକ ପର୍ଯ୍ୟନ୍ତ ବାଏ ଓ୍ବାନ୍ ଗେଟ୍ ଓ୍ବାନ ହରେକ୍ ମାଲ ଡ଼ାକରେ ପଡ଼ୁଛି ଉଠୁଛି । ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଅସ୍ଥାୟୀ ବ୍ୟବସାୟୀଙ୍କୁ ବ୍ୟବସାୟ ପାଇଁ ବ୍ୟବସ୍ଥିତ କରାଯାଇଛି । ମେଳା ପରିସରରେ ଭିଡ଼ ସାଙ୍ଗକୁ ଭଲ ବେପାର ହୋଇଥିବା ନଜରକୁ ଆସିଛି । ସକାଳୁ ହିଁ ସାଧୁସନ୍ଥଙ୍କୁ ଭେଟିବାକୁ ଜନସାଧାରଙ୍କ ଭିଡ଼ ଆରମ୍ଭ ହୋଇଥିଲା । ଅପରାହ୍ନରେ ଖଣ୍ଡଗିରି ଛକରୁ ମୁଣ୍ଡିଆ ଯାଏ ଅଖ ଚକ ଭିଡ଼ ପରିଲିକ୍ଷିତ ହୋଇଥିଲା । ବିଳମ୍ବିତ ରାତ୍ରି ଯାଏ ଭକ୍ତମାନେ ବାରଭୂଜା ପୀଠରେ ରାମଚରିତମାନସ ପାଠ ଶୁଣିଥିବା ବେଳେ ଉଦୟଗିରି ରାଣୀ ଗୁମ୍ଫା ଓ ହସ୍ତୀ ଗୁମ୍ଫାର ରାତିର ଦୃଶ୍ୟ ଲୋକଙ୍କୁ ଆକୃଷ୍ଟ କରୁଛି । ସେହିପରି ରଙ୍ଗୀନ ଆଲୋକରେ ସଜ୍ଜିତ ଖଣ୍ଡଗିରି ଉଦୟଗିରି ସହ ଗୁମ୍ଫା ବେଶ୍ ସୁନ୍ଦର ଲାଗୁଛି ।
ଏହାମଧ୍ୟ ପଢନ୍ତୁ... ଆରମ୍ଭ ହେଲା ଖଣ୍ଡଗିରି ମେଳା; ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ଖଣ୍ଡମଣ୍ଡଳ, ଷ୍ଟାଣ୍ଡିଂ ବାବାଙ୍କ ପାଖରେ ଭକ୍ତ ଗହଳି
ସେପଟେ ଆଜିଠୁ (ରବିବାର) ଖଣ୍ଡଗିରିରେ ଯାତ୍ରା ମହାସମର ଦେଖିବାକୁ ମିଳିବ । ୧୮ରୁ ଆରମ୍ଭ ହୋଇ ୨୯ ତାରିଖ ଯାଏ ଅର୍ଥାତ୍ ୧୨ ଦିନ ଯାଏ ଦୁଲୁକିବ ଖଣ୍ଡଗିରି ଅପେରା ମଞ୍ଚ । ଚିକମିକ ଆଲୁଅ ସାଙ୍ଗକୁ ଦମଦାର ଡ଼ାଇଲଗରେ କମ୍ପିବ ଯାତ୍ରା ପେଣ୍ଡାଲ । ଯାହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଯାତ୍ରା ପରିବେଷଣ ପାଇଁ ଚଳିତ ବର୍ଷ ୬ଟି ଯାତ୍ରା କମିଟିକୁ ଅନୁମତି ମିଳିଥିବା ବେଳେ ଆଜିଠାରୁ ୫ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ । କୋଣାର୍କ ଗଣନାଟ୍ୟ, ବିଶ୍ଵଦରବାର, ତୁଳସୀ, ସାଇ ସମ୍ରାଟ, କୋଣାର୍କ, ସୂର୍ଯ୍ୟ ମନ୍ଦିର, କଳିଙ୍ଗ, ଶିବାନୀ, ରଙ୍ଗ ମହଲ, ସୂର୍ଣ୍ଣ ମହଲ, ସ୍ବପ୍ନ ମହଲ ଅପେରା ଦଳ ଯାତ୍ରା ମଇଦାନକୁ ଓହ୍ଲାଇବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ସିସିଟିଭି କଭରେଜରେ ସମସ୍ତ ଅଞ୍ଚଳ ରହିଛି । ଟ୍ରାଫିକଠାରୁ ମେଳା ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳର କାର୍ଯ୍ୟକଳାପ କ୍ୟାମେରାରେ ରେକର୍ଡ ହେଉଛି ।
ଅନ୍ୟପଟେ ପ୍ରତ୍ୟେକ ପେଣ୍ଡାଲରେ ଦୁଇ ହଜାରରୁ ତିନି ହଜାର ଦର୍ଶକ ବସିବା ବ୍ୟବସ୍ଥା କରାଯାଇଛି । ସାଧାରଣ ବର୍ଗର ଟିକେଟ ମୂଲ୍ୟ ୧୫୦ ଟଙ୍କା ରଖାଯାଇଥିବା ବେଳେ ସ୍ୱତନ୍ତ୍ର ବର୍ଗର ଟିକେଟ ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ରହିବ ରାଣୀ ପଣ୍ଡାଙ୍କ ଜୀବନର ବାସ୍ତବ ଘଟଣାକୁ ନେଇ ପ୍ରସ୍ତୁତ 'ରାଣୀ ପଣ୍ଡାକୁ ଖଣ୍ଡଗିରି ମନା' ନାଟକ ।
ଇଟିଭି ଭାରତ, ଭୁବନେଶ୍ୱର