ବ୍ରହ୍ମପୁର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଖଲ୍ଲିକୋଟ ଅଞ୍ଚଳରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେପି କର୍ମୀଙ୍କୁ ସଂଙ୍ଘବଦ୍ଧ ହତ୍ୟା ମାମଲାରେ ଗିରଫଦାରୀ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି ଆଉ ପୁଣି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏପର୍ଯ୍ୟନ୍ତ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ଖଲ୍ଲିକୋଟ ଥାନାରେ ରୁଜୁ ହୋଇଥିବା ମାମଲା ନଂ- 414/25 (ତାରିଖ 16.05.24) ଅନୁଯାୟୀ ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ଖଲ୍ଲିକୋଟ ଥାନା ମୋହନପୁର ଗ୍ରାମର କାର୍ତ୍ତିକ ପରିଡା (୩୪), ରାମଚନ୍ଦ୍ରପୁର ଗ୍ରାମର କାଳିଆ ଓରଫ କାଳୁ ଚରଣ ପ୍ରଧାନ (୩୦) ଏବଂ ଲଙ୍ଘର ଗ୍ରାମର ସୋନୁ ଓରପ ଶ୍ରୀତମ୍ ପ୍ରଧାନକୁ ଗିରଫ କରିଛି । ଗିରଫ ତିନିଜଣଙ୍କ ମଧ୍ୟରୁ ଦୁଇଜଣ ହତ୍ୟାକାଣ୍ଡରେ ପ୍ରତ୍ୟେକ୍ଷ ଭାବରେ ସମ୍ପୃକ୍ତ ରହିଥିବା ବେଳେ ପୋଲିସ ନିକଟରେ ହୋଇଥିବା ଲିଖିତ ଅଭିଯୋଗରେ ୧୦ ଜଣଙ୍କ ନାମରେ ଲିଖିତ ଅଭିଯୋଗ ରହିଛି । ସେପଟେ ଏହି ରାଜନୈତିକ ହତ୍ୟା ଘଠଣାରେ ପ୍ରତେକ୍ଷ କିମ୍ବା ପରୋକ୍ଷରେ ଯେଉଁମାନଙ୍କର ସମ୍ପୃକ୍ତି ରହିଥିବା ସେମାନଙ୍କୁ ସିଧାସଳଖ ଗିରଫ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ମଧ୍ୟରାତ୍ରିରେ ବିଜେପିର ଦଳୀୟ ପୋଷ୍ଟର ମାରିବାକୁ ନେଇ ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉଭୟ ପକ୍ଷର ସାତଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ପରେ ସ୍ବାସ୍ଥ୍ୟରେ ସୁଧାର ନଆସିବା କାରଣରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।
ହତ୍ୟାର ଶିକାର ହୋଇଥିବା ଯୁବକଜଣକ ହେଲେ ବିଜେପି ନେତା ରାମ ପାହାନଙ୍କ ପୁତ୍ର ଦିଲ୍ଲୀପ ପାହାନ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବିଜେପି କର୍ମୀମାନେ ସ୍ଥାନୀୟ ବିଜେପି ପ୍ରାର୍ଥୀଙ୍କ ନିର୍ବାଚନ ପୋଷ୍ଟର ଲଗାଉଥିବା ବେଳେ ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ ବିଜେପି ପୋଷ୍ଟର ଲଗାଯାଇଥିବାରୁ ସେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହାକି ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିବା ସହ ପରସ୍ପରଙ୍କ ମଧ୍ୟରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣ ପ୍ରତିଆକ୍ରମଣରେ ବିଜେପି ନେତା ରାମ ପାହାନଙ୍କ ଦୁଇ ପୁତ୍ର ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ଦିଲ୍ଲୀପଙ୍କ ଶଳା ବାପୁଜୀ ପାହାନ ଓ ସମ୍ପର୍କୀୟ ଦାଦା ଅଭି ପାହାନ ଗୁରୁତ୍ତର ଆହତ ହୋଇଥିବା ବେଳେ ଅନ୍ୟପଟେ ବିଜେଡି କର୍ମୀ ସୁଦର୍ଶନ ପାହାନ, କାର୍ତ୍ତିକ ପରିଡା, କାଳିଆ ପ୍ରଧାନ ଓ ଏବଂ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର