କେନ୍ଦ୍ରାପଡା: 'କାର୍ଯ୍ୟଳୟରେ ଦୁର୍ନୀତି କରିବାକୁ ଅଧିନସ୍ଥ କର୍ମଚାରୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ । କାମ ଆଳରେ ମାନସିକ ନିର୍ଯାତନା ଭଳି ସଙ୍ଗୀନ ଆରୋପ । ଏପରିକି ତାଙ୍କ ନିର୍ଯାତନା ଏତେ ଅସହ୍ୟ ହେଲା ଯେ, ଗର୍ଭବତୀ ମହିଳା କନିଷ୍ଠ କିରାଣୀ ମାନସିକ ଆଘାତ ପାଇ ଅଫିସ ମଧ୍ୟରେ ଚେତା ହରାଇପଡିଥିବା ଅଭିଯୋଗ ହୋଇଛି । ଚେତାଶୂନ୍ୟ ଅବସ୍ଥାରେ ସେ ପଡିଥିବା ବେଳେ ତାଙ୍କୁ ହସ୍ପିଟାଲ ମଧ୍ୟ ନେବାକୁ କୌଣସି ବ୍ୟବସ୍ଥା କରିନଥିଲେ ଉପରୀସ୍ଥ ଅଧିକାରୀ । ପରେ ଯେତେବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା, ଡାକ୍ତର ତାଙ୍କ ୭ ମାସର ଗର୍ଭସ୍ଥ ଶିଶୁକୁ ମୃତ ଘୋଷଣା କରିଥିଲେ ।' ଏହି ପୂରା ଘଟଣାକ୍ରମ ବେଶ ନାଟକୀୟ ଲାଗୁଥିଲେ ମଧ୍ୟ ଡେରାବିଶ ବ୍ଲକର ଶିଶୁ ବିକାଶ ଯୋଜନା ଅଧିକାରୀ (CDPO)ଙ୍କ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଜଣେ କନିଷ୍ଠ ମହିଳା କିରାଣୀ ।
ଡେରାବିଶ ସିଡିପିଓ ଅପସାରିତ:
ନିର୍ଯାତନା ଅଭିଯୋଗ ଘଟଣାରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ । 'କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅଧୀନସ୍ଥ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସ୍ନେହଲତା ସାହୁଙ୍କ ଅବହେଳା ପାଇଁ ତାଙ୍କୁ ବ୍ଲକ ଅଫିସରୁ ଅପସାରଣ କରାଯାଇଛି । ଘଟଣାର ନିରପେକ୍ଷ ତଦନ୍ତ ହୋଇ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିରପେକ୍ଷ ଏବଂ ତ୍ୱରିତ ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।' ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।
CDPO ସ୍ନେହଲତା ସାହୁଙ୍କ ଅବହେଳା ପାଇଁ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହେବା ଘଟଣାରେ ଆଜି ଜିଲ୍ଲାପାଳଙ୍କ ସହ କଥା ହେଲି। ଘଟଣାର ପୂଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଲି।
— Pravati Parida (@PravatiPOdisha) October 29, 2024
ରିପୋର୍ଟ ଆସିଲେ କାର୍ଯ୍ଯାନୁଷ୍ଠାନ:
ସେହିପରି କେନ୍ଦ୍ରାପଡା ଡେରାବିଶିରେ ସିଡିପିଓଙ୍କ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭତୀ ପରିଡ଼ା କହିଛନ୍ତି, "ଡେରାବିଶ ଘଟଣା ନଜରକୁ ଆସିବା ପରେ ମୁଁ ଜିଲ୍ଲାପାଳଙ୍କ ସହ କଥା ହୋଇଛି । ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲି । ତଦନ୍ତକୁ ନିରପେକ୍ଷ କରିବା ପାଇଁ ସିଡ଼ିପିଓଙ୍କୁ ସେଠାରୁ ହଟାଯାଇଛି । ତଦନ୍ତ ନିରପେକ୍ଷ ହେବ । ରିପୋର୍ଟ ଆସିଲେ ଯିଏ ଦୋଷୀ ସେ ଦଣ୍ଡ ପାଇବ ।"
ଭାଇରାଲ ହେଉଛି ଭିଡିଓ
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ଜଣେ ମହିଳା କିରାଣୀ CDPO ସ୍ନେହଲତା ସାହୁଙ୍କ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ କରିବା ପରେ ପୂରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି । ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ଓ ପରିବାର ସଦସ୍ୟଙ୍କ ସହ CDPOଙ୍କ ଯୁକ୍ତିତର୍କର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ମାତ୍ର ଏହି ଅଭିଯୋଗକୁ ‘ସିଡିପିଓ’ ଖଣ୍ଡନ କରିଛନ୍ତି । ଏହାକୁ ନେଇ ପ୍ରଶାସନ ଆକ୍ସନମୋଡକୁ ଆସିଛି । ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା ପରେ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି ।
କଣ ଥିଲା ପୂରା ଘଟଣା :-
ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର CDPO ସ୍ନେହଲତା ସାହୁ 7 ମାସର ଗର୍ଭବତୀ ଥିବା ତାଙ୍କର ଜଣେ କନିଷ୍ଠ ମହିଳା କିରାଣୀଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା । ଅଫିସରେ କାମ କରିବା ବେଳେ ବିଭିନ୍ନ କାରଣରୁ CDPO ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ଗତକାଲି ସିଡିପିଓଙ୍କ ବ୍ୟବହାରରେ ମାନସିକ ଆଘାତ ପାଇ ମହିଳା କିରାଣୀ ଜଣକ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲ ନେବା ପାଇଁ ସିଡିପିଓ କୌଣସି ବ୍ୟବସ୍ଥା ମଧ୍ୟ କରିନଥିଲେ । ପରେ ତାଙ୍କ ପରିବାର ସଦସ୍ୟ ବ୍ଲକ ଅଫିସରେ ପହଞ୍ଚିବା ପରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରିବାର ସଦସ୍ୟଙ୍କ ସହ ସିଡିପିଓ ମଧ୍ୟ ଦୁର୍ବ୍ୟବହାର କରିବା ସହ ମାଡ ମାରିବାକୁ ଉଦ୍ୟତ ହୋଇଥିବା ଅଭିଯୋଗ ହୋଇଛି । ହସ୍ପିଟାଲରେ ଡାକ୍ତର ତାଙ୍କ ଗର୍ଭସ୍ଥ ଶିଶୁକୁ ମୃତ ଘୋଷଣା କରିବା ପରେ ପୀଡିତା କିରାଣୀ ଏବେ ମାନସିକ ଭାବେ ଭାଙ୍ଗି ପଡିଛନ୍ତି ।
ଅଭିଯୋଗକୁ ‘ସିଡିପିଓ’ଙ୍କ ଖଣ୍ଡନ, କହିଲେ ଏଡିଟ୍ ଭିଡିଓ
![ଅସହ୍ୟ ହେଲା CDPOଙ୍କ ନିର୍ଯାତନା, ଆଖି ବୁଜିଲା ମହିଳା କିରାଣୀଙ୍କ ଗର୍ଭସ୍ଥ ଶିଶୁ ! ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳଅସହ୍ୟ ହେଲା CDPOଙ୍କ ନିର୍ଯାତନା, ଆଖି ବୁଜିଲା ମହିଳା କିରାଣୀଙ୍କ ଗର୍ଭସ୍ଥ ଶିଶୁ ! ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ](https://etvbharatimages.akamaized.net/etvbharat/prod-images/30-10-2024/od-kpr-01-clerkdistyrbed-kdp-7204459_29102024203946_2910f_1730214586_386.jpg)
ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି ‘ସିଡିପିଓ’ ସ୍ନେହଲତା ସାହୁ । ପୀଡିତା ଅଫିସରେ ବେହୋସ ହୋଇ ପଡିଥିବା ସମ୍ପର୍କରେ କୌଣସି କଥା ସେ ଜାଣନ୍ତି ନାହିଁ । ଅଫିସରେ ସମ୍ପୃକ୍ତ ମହିଳା କିରାଣୀଙ୍କ କୌଣସି ଚିତ୍କାର ସେ ଶୁଣିନାହାନ୍ତି ବୋଲି କହିଛନ୍ତି । ସେହିପରି ଭାଇରାଲ ହେଉଥିବା ଭିଡିଓ ବାହାରେ ଏଡିଟ୍ କରାଯାଇ ଭାଇରାଲ କରାଯାଉଛି ବୋଲି ସେ କହିଛନ୍ତି । ସେହିପରି କାର୍ଯ୍ୟାଳୟରେ ବାରମ୍ବାର କାମରେ ଚାପ ପକାଇବା ଓ ନିର୍ଯାତନା ଦେବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ କହିଛନ୍ତି, ‘ସିଡିପିଓ’ ଅମାନବୀୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ହେବ ।
ଘଟଣାର ମୁଖ୍ୟାଂଶ
• ଡେରାବିଶ ବ୍ଲକରେ କନିଷ୍ଠ ମହିଳା କିରାଣୀଙ୍କୁ ‘CDPO’ଙ୍କ ନିର୍ଯାତନା ଅଭିଯୋଗ
• ସାତ ମାସର ଗର୍ଭବତୀ କର୍ମଚାରୀଙ୍କ ଗର୍ଭସ୍ଥ ଶିଶୁ ମୃତ
• CDPO କହିଲେ ଭିଡିଓ ଏଡିଟ୍ ହୋଇଛି
• ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ
- ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ କରୁଛନ୍ତି ତଦନ୍ତ
ଇଟିଭି ଭାରତ, କେନ୍ଦ୍ରାପଡା