ଭୁବନେଶ୍ୱର: ମହିଳା ବିରୋଧୀ ଅପରାଧକୁ ନେଇ ପୂର୍ବତନ ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ, ଯାହାକି ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଆଇନ ସହ ସାଧାରଣ ଲୋକଙ୍କୁ ଯୋଡିବା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତାର ଉପରେ ଜାଗୃତୀକରଣ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୂର୍ବତନ ରାଜ୍ୟ ସୂଚନା ଆୟୁକ୍ତ ଜଗଦାନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକ୍ରମ:
ଲୋକସେବା ଭବନ ସ୍ଥିତ କନଭେନସନ ହଲ ଠାରେ ଆଇନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଯାଇଛି । ଭାରତୀୟ ନ୍ୟାୟ ସଂହିତା ବା BNS ଜାଗୃତିକରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଏବଂ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "NCRB ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମହିଳା ବିରୋଧି ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ ରହିଛି । ୨୪ ବର୍ଷ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଯାହାଙ୍କ ପାଖରେ ଗୃହ ବିଭାଗ ଥିଲା । ସେ ଏହି କଥାକୁ ଜାଣି ପାରୁନଥିଲେ । କିନ୍ତୁ ସବୁଠି ମହିଳା ସଶକ୍ତିକରଣ ଓ ମହିଳାଙ୍କ ସମ୍ମାନ କଥା କହୁଥିଲେ । ବର୍ତ୍ତମାନ କିନ୍ତୁ ମହିଳାଙ୍କ ସୁରକ୍ଷାକୁ କିଭଳି ତ୍ୱରିତ ପ୍ରକ୍ରିୟାରେ ବୃଦ୍ଧି କରାଯିବ ଆମ ସରକାର ଗୁରୁତର ସହ ବିଚାରକୁ ନେଉଛୁ ।"
ଏହା ବି ପଢନ୍ତୁ...ଯାତ୍ରାରେ ଅଶ୍ଳୀଳତା, ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଦାବିପତ୍ର ଦେଲା ଯାତ୍ରା କମିଟି ମହାସଂଘ
ଏହା ବି ପଢନ୍ତୁ...ବିନା ଠୁମକାରେ ଚାଲିବ ଡ୍ୟାନ୍ସ ବାର, ନାଚି ପାରିବେନି ବାରଗାର୍ଲ
ଏହା ବି ପଢନ୍ତୁ...ମୋ ବସ ଦୁର୍ଘଟଣା ପରେ ଆକ୍ସନ ମୋଡରେ ସରକାର, 40ରୁ ଟପିବନି ସ୍ପିଡ
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ପୂର୍ବରୁ ବିଧାନସଭାରେ ଏ ସମ୍ବନ୍ଧରେ କହିଥିଲି । ଜିଲ୍ଲାପାଳ ଏବଂ ଏସପି ମାନଙ୍କୁ ମଧ୍ୟ ଏକଥା କହିଥିଲି ଯେ ମହିଳା ବିରୋଧୀ ଅପରାଧ ଜଡିତ ସବୁ ମାମଲାକୁ ବିଚାର କରି ଦଣ୍ଡ ବିଧାନ ପାଇଁ ନିର୍ଦ୍ଦେଶ ଦେଇଥିଲି । ଏହାସହ ମହିଳା ସୁରକ୍ଷା ଓ ନ୍ୟାୟ ଦେବା କ୍ଷେତ୍ରରେ Extra Ordinary ପଦକ୍ଷେପ ନେବାକୁ ହେବ ଏପରିକି ଆବଶ୍ୟକ ହେଲେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରି କରିବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।"
'ଆଇନକୁ ସମସ୍ତଙ୍କର ବୁଝିବାର ଅଛି'
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ଦେଶର ଆଇନକୁ ଆମ ସମସ୍ତଙ୍କର ବୁଝିବାର ଅଛି । ଲୋକାଭିମୁଖୀ ଓ ସରଳୀକରଣ କରି ତୃଣମୂଳ ସ୍ତରରେ ପହଞ୍ଚାଇବାର ଅଛି । ଏହି କାର୍ଯ୍ୟକ୍ରମରେ ସରକାରଙ୍କ ଲକ୍ଷ୍ୟ 'ଜଷ୍ଟିସ ଆଟ ଡୋର ଷ୍ଟେପ' ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ହେବ । ବର୍ତ୍ତମାନ ୬ ଟି ଗ୍ରାମ୍ୟ ନ୍ୟାୟଳାୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି । ଆଗାମୀ ଦିନରେ ସବୁ ବ୍ଲକରେ ଖୋଲିବାର ବ୍ୟବସ୍ଥା ରହିଛି । କାରଣ ଗ୍ରାମ୍ୟ ନ୍ୟାୟଳୟ ଖୋଲିଲେ ମାମଲା ସଂଖ୍ୟା କମିବ । ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହାଦ୍ୱାରା ସାଧାରଣ ଲୋକଟିଏ ତ୍ୱରିତ ନ୍ୟାୟ ପାଇ ପାରିବ।
'ଡଷ୍ଟବିନକୁ ଯିବ ଅଦରକାରୀ ଆଇନ'
ଅନ୍ୟପଟେ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଉଭୟ କହିଛନ୍ତି, "ଡଷ୍ଟବିନକୁ ଯିବ ଅଦରକାରୀ ଆଇନ। ରାଜ୍ୟରେ ଅଦରକାରୀ ଆଇନକୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବଶୀଘ୍ର ସେହି ଆଇନ ଗୁଡିକୁ ଅଳିଆ ଗଦାକୁ ପକା ହେବ ବୋଲି । ରାଜ୍ୟ ସରକାର ରିଭିଜନ କମିଶନ କରି ଏହି ବ୍ୟବସ୍ଥା କରିବେ । ଯେଉଁ ଅପ୍ରାସଙ୍ଗିକତା ଏବଂ ଅଦରକାରୀ ଆଇନ ରହିଛି ତାର ପରିବର୍ତ୍ତନ ଆବଶ୍ୟକ ଅଛି ଆଉ ଆଗକୁ ଏହା ସମ୍ପୂ୍ର୍ଣ୍ଣ ହଟିବ ।"
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ସୂଚନା ଆୟୁକ୍ତ ଜଗଦାନନ୍ଦ କହିଛନ୍ତି ଯେ, ନ୍ୟାୟ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି । ତେଣୁ ସବୁ ଶ୍ରେଣୀର ସବୁ ବର୍ଗର ଲୋକ କିଭଳି ବୁଝିପାରିବେ ଓ ତାର ବ୍ୟବହାର କରିପାରିବେ ସେଥିପ୍ରତି ସରକାର ଆଇନକୁ ସହଜ କରିବାର ଆବଶ୍ୟକତ ରହିଛି । ତଳସ୍ତରର ଲୋକଟି ଆଇନକୁ କିଭଳି ବୁଝିପାରିବ ସେଥିପ୍ରତି ସରକାର ଯତ୍ନବାନ ହେବା ସହ ଆଦିବାସୀ ଲୋକମାନଙ୍କ ପାଖରେ କିଭଳି ପହଞ୍ଚିପାରିବ ସେ ଦିଗରେ ସରକାର କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର