ଭୁବନେଶ୍ୱର: ଆମେରିକାରେ ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ଆପତ୍ତି ସତ୍ତ୍ୱେ ମଧ୍ୟ ଇସ୍କନ (ISKCON) ଏହାକୁ ବାତିଲ କରିବା ଦିଗରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନି । ଚଳିତମାସ ୩ ତାରିଖରେ ହେବାକୁ ଥିବା ପ୍ରସ୍ତାବିତ ସ୍ନାନ ଯାତ୍ରା ଆୟୋଜନ ବାତିଲ କରାଯାଇଥିଲେ ସୁଦ୍ଧା ଆସନ୍ତା ୯ ତାରିଖରେ ରଥଯାତ୍ରା ଆୟୋଜନ କରିବା ନେଇ ସେମାନେ ପ୍ରସ୍ତୁତି ଜାରି ରଖିଛନ୍ତି । ମାତ୍ର ଏହାକୁ ଆଦୌ ବରଦାସ୍ତ କରାଯିବନି । ଯଦି ଇସ୍କନ (ISKCON) ଏହି ନିଷ୍ପତ୍ତିରେ ପରିବର୍ତ୍ତନ ନକରେ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ।
ମହାପ୍ରଭୁଙ୍କ ଆଦ୍ୟସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି ଭୁବନେଶ୍ୱରରେ ପ୍ରେସମିଟ୍ କରି ଏହି ପ୍ରସଙ୍ଗ ଓ ବିବାଦୀୟ ଆୟୋଜନ ରୋକିବା ଦିଗରେ ଶ୍ରୀମନ୍ଦିର ପରିଚାଳନା କମିଟି ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ଇସ୍କନ (ISKCON) କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇ ଏହାକୁ ବନ୍ଦ କରିବା ପାଇଁ ସ୍ପଷ୍ଟ ଆପତ୍ତି ଦର୍ଶାଯାଇଛି । ମାତ୍ର ସେମାନେ ଆୟୋଜନ ରୋକିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏବେ ପ୍ରସ୍ତୁତି ଚାଲିଛି । ମାତ୍ର ଏହାକୁ ବରଦାସ୍ତ କରାଯିବନି । ଆବଶ୍ୟକ ପଡିଲେ ଆଇନଗତ ଦିଗ ମଧ୍ୟ ଗ୍ରହଣ କରାଯିବ ବୋଲି ଗଜପତି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ :-ମରାମତି ହେବ ମେଘନାଦ ପାଚେରି, ASIକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହା ମଧ୍ୟ ପଢନ୍ତୁ :- ଇସ୍କନର ଅଦିନିଆ ରଥଯାତ୍ରା; ନିନ୍ଦା କଲେ ଶଙ୍କରାଚାର୍ଯ୍ୟ, ଆଇନ ମନ୍ତ୍ରୀ କହିଲେ ତର୍ଜମା ହେବ |
- ‘ଇସ୍କନ’ ଗଭର୍ଣ୍ଣିଂ କାଉସିଲ ବୈଠକ ପର୍ଯ୍ୟନ୍ତ କରାଯିବା ଅପେକ୍ଷା
ଗଜପତି ଦିବ୍ୟସିଂହ ଦେବ ଆହୁରି ମଧ୍ୟ କହିଛନ୍ତି, ଆସନ୍ତାବର୍ଷ ମାର୍ଚ୍ଚ ମାସରେ ‘ଇସ୍କନ’ର ଗଭର୍ଣ୍ଣିଂ କାଉନସିଲ ବୈଠକ ଅନୁଷ୍ଠିତ ହେବ । ଏହା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡିବ । ଇସ୍କନର ଏହି ସର୍ବୋଚ୍ଚ ପରାଚଳନାଗତ କର୍ତ୍ତୃପକ୍ଷ ନିଷ୍ପତ୍ତିରେ ପରିବର୍ତ୍ତନ କରିବେ ବୋଲି ଆମେ ଆଶା କରିବା । ତଥାପି ଯଦି ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରି ରଥଯାତ୍ରା ଆୟୋଜନ କରନ୍ତି, ତେବେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତି କହିଛନ୍ତି ।
- ଦେଶରେ ବନ୍ଦ କରିଥିଲା ‘ଇସ୍କନ’, କିନ୍ତୁ ବିଦେଶରେ ପାଳନ କରୁଛି:-
ଗଜପତି କହିଛନ୍ତି, ପୂର୍ବରୁ ମଧ୍ୟ ସେମାନେ ଏପରି ଅଦିନିଆ ଆୟୋଜନ କରିଛନ୍ତି । ଏହାକୁ ବିରୋଧ କରାଯାଇଛି । ଭକ୍ତ ସମାଜର ଆପତ୍ତି ପରେ ସମାନେ 2021 ମସିହାରେ ଏକ ସଙ୍କଳ୍ପ ପାରିତ କରିଥିଲେ । ସେଥିରେ ଭରାତ ଭିତରେ ଅଦିନିରେ କୌଣସି ରଥଯାତ୍ରା ଆୟୋଜନ ନକରିବାକୁ ସେମାନେ ସହମତି ପ୍ରକାଶ କରିଥିଲେ । ହେଲେ ବିଦେଶରେ ସେମାନେ ଏପରି ଅଦିନିଆ ଆୟୋଜନ ଜାରି ରଖଛନ୍ତି । ସେମାନେ ପ୍ରଚାର ଯାତ୍ରା ଆୟୋଜନ କରିପାରନ୍ତି, କିନ୍ତୁ ରଥଯାତ୍ରା ଆୟୋଜନ କରିବା କିମ୍ବା ଚତୁର୍ଦ୍ଧାବିଗ୍ରହକୁ ସେଥିରେ ବାହାରକୁ ଆଣିବା ଅନୁଚିତ । ଏହା ଶାସ୍ତ୍ର ସମ୍ମତ ନୁହେଁ । କେବଳ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାର ଚତୁର୍ଦ୍ଧାମୂର୍ତ୍ତି ବାହାରକୁ ଆସିବାର ପରମ୍ପରା ରହିଛି । ମାର୍ଚ୍ଚରେ ବସିବାକୁ ଥିବା ‘ଇସ୍କନ’ର ସର୍ବୋଚ୍ଚ ଗଭର୍ଣ୍ଣିଂ ବଡି ଏହା ଉପରେ ନିଷ୍ପତ୍ତି ନେବ ବୋଲି ଆମର ଆଶା । ଏହି ନିଷ୍ପତ୍ତିକୁ ସାରା ବିଶ୍ୱରେ ଇସ୍କନ ପାଳନ କରିବାକୁ ଆମେ ଦାବି କରୁଛି ।
ଗଜପତି ମହାରାଜ କହିଛନ୍ତି 1967 ମସିହାରୁ ‘ଇସ୍କନ’ ସଂସ୍ଥା ପକ୍ଷରୁ କାଲିଫର୍ନିଆର ସାନ-ଫ୍ରାନ୍ସିକୋ ସହରରେ ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଏନେଇ ବିଭିନ୍ନ ଦେଶରେ ମଧ୍ୟ ସେମାନେ କରୁଛନ୍ତି । ଏନେଇ ଆମେ 1980ରୁ 1990 ମଧ୍ୟରେ ବିରୋଧ କରିଆସିଛୁ ଓ ସେମାନଙ୍କୁ ମଧ୍ୟ ଜଣାଇଛୁ । କେବଳ ବିଦେଶ ନୁହେଁ ଭାରତରେ ମଧ୍ୟ ଲୁଧିଆନାରେ 2007ମସିହା ଅକ୍ଟୋବରରେ ସେମାନେ ଅଦିନିଆ ରଥଯାତ୍ରା କରିଥିଲେ । ପରେ କିଛି ମାସ ପରେ ଦିଲ୍ଲୀରେ ରଥଯାତ୍ରା କଲେ । ଶ୍ରୀମନ୍ଦିର ପ୍ରଶାସନ ବନ୍ଦ କରିବା ପାଇଁ ଅନୁରୋଧ କଲେ ଯେହେତୁ ପରମ୍ପରା ଶାସ୍ତ୍ର ବିରୋଧି ଥିଲା ସେନେଇ ଅନୁରୋଧ କରାଯାଇଥିଲା ।
- ଧର୍ମ ବିରୋଧୀ କାର୍ଯ୍ୟ ପାଇଁ ଚୁପ୍ ରହିବା କଥା ନୁହେଁ:-
ଅଦିନିଆ ରଥଯାତ୍ରାକୁ ବିରୋଧ କରିବା ପାଇଁ ସାରା ବିଶ୍ୱବାସୀଙ୍କୁ ଆହ୍ୱାନ କରିଛନ୍ତି ଗଜପତି ମହାରାଜ । କହିଛନ୍ତି ଏନେଇ ବିରୋଧ କରିବା କଥା । ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରନ୍ତୁ । ଧର୍ମ ବିରୋଧରେ କୋୖଣସି ବିଶେଷ କାର୍ଯ୍ୟ ଏପରି ହେବା କଥା ନୁହେଁ । ଏପରି ସ୍ଥଳେ କୋୖଣସି ଧର୍ମର ବ୍ୟକ୍ତି ଚୁପ୍ ରହିବା କଥା ନୁହେଁ । ଇଦୁଲଫିତର, ଖ୍ରୀଷ୍ଟମାସ ଗୋଟିଏ ସମୟରେ ହେଉଛି । ସାରା ବିଶ୍ୱରେ ରଥଯାତ୍ରା କାହିଁକି ଅନ୍ୟ ସମୟରେ ହେବ ।
- ମାର୍ଚ୍ଚ ମାସ ଯାଏ ମହଲତ
ଏନେଇ ବାରମ୍ବାର ଏପରି ଅଦିନିଆ ରଥଯାତ୍ରା କରି ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାରୁ ତ୍ରୟୋଦଶୀରେ ନକରି ଏପରି ଅନ୍ୟତ୍ର କରିବା ନେଇ ଆମେ ସେମାନଙ୍କୁ ସମୟ ଦେଇଛୁ । ଏନେଇ ମୁମ୍ବାଇରେ ଥିବା ‘ଇସ୍କନ’ର ମୁଖ୍ୟ କାର୍ଯାଳୟକୁ ଯୋଗାଯୋଗ କରାଯାଇଛି । ଏନେଇ ସେମାନଙ୍କର ମାର୍ଚ୍ଚ ମାସରେ ଏକ ଗଭର୍ଣ୍ଣିିଂ କମିଟିର ବାର୍ଷିକ ବୈଠକ ରହିଛି । ତେଣୁ ଆମେ ଅପେକ୍ଷା କରିଛୁ ଯଦି ସେମାନେ ଯେଭଳି ଭାରତ କ୍ଷେତ୍ରରେ ନିଷ୍ପତ୍ତି ନେଇ ପାରୁଛନ୍ତି, ସେହିପରି ଦେଶ ବାହାରେ ମଧ୍ୟ ସଠିକ ସମୟରେ ରଥଯାତ୍ରା ପାଳନ ନିଷ୍ପତ୍ତି ନେବେ ।
- ଗଜପତି ଓ ମନ୍ଦିର ପ୍ରଶାସନ ନିଷ୍ପତ୍ତିକୁ ସମର୍ଥନ କରିବେ ସରକାର: ଆଇନ ମନ୍ତ୍ରୀ
ଗଜପତି ମହାରାଜା ଓ ମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ରାଜ୍ୟ ସରକାର ସମର୍ଥନ କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି,‘‘ ଆମେ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ ହେବାକୁ ଦେବୁନାହିଁ । ଶ୍ରୀ ଜଗନ୍ନାଥଙ୍କର ସ୍ଵତନ୍ତ୍ର ନିତିକାନ୍ତି ଓ ପରମ୍ପରା ରହିଛି । ମାତ୍ର ବିଶ୍ଵର ଭିନ୍ନ ଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଜଗନ୍ନାଥ ପ୍ରେମୀଙ୍କୁ ବାଧୁଛି । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଯେଉଁଭଳି ଭାବରେ ସ୍ନାନଯାତ୍ରାକୁ ‘ଇସ୍କନ’ କର୍ତ୍ତୃପକ୍ଷ ବନ୍ଦ କରିଛନ୍ତି, ସେହିଭଳି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ନେଇ ଆମେ ଆଲୋଚନା କରିବୁ । ନଚେତ ଗଜପତି ମହାରାଜା ଓ ମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ ।’’
ଇଟିଭି ଭାରତ, ଭୁବନେଶ୍ୱର