ବୌଦ୍ଧ: ଆଜି ବୌଦ୍ଧ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ସେହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ମହିଳା ମାନଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନିଜ ବିବାହକୁ ନିଜେ ରୋକିଥିବା କାରଣରୁ ଜଣେ ନାବାଳିକାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଛି । ତେବେ ସମାଜରେ ମହିଳାଙ୍କୁ ସମାନ ଅଧିକାର, ପ୍ରତିଟି କ୍ଷେତ୍ରରେ ତା'ର ଯୋଗଦାନ, ନ୍ୟାୟ ପ୍ରଦାନ ଏବଂ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଘରଠୁ ନେଇ ରାସ୍ତା-ଘାଟ, ସ୍କୁଲ୍-କଲେଜ, କର୍ମକ୍ଷେତ୍ର ସବୁ ସ୍ଥାନରେ ନାରୀକୁ ସହଯୋଗ ଓ ସମର୍ଥନ ଜଣାଇବାର ଶିକ୍ଷା ଦେଇଥାଏ ଏହି ଦିବସ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହିଳା ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ପୁରୁଷ ପ୍ରଧାନ ସମାଜରେ ମହିଳା ମାନଙ୍କୁ ସମାନ ଅଧିକାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାବାଳିକାଙ୍କ ବିବାହ ଯୋଗୁଁ ଆଜିର ଦିନରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ବୌଦ୍ଧ ଜିଲ୍ଲାର ୬୯ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଭାବରେ ଘୋଷଣା କରାଯାଇଥିବା ସତ୍ତ୍ୱେ ସାମାଜିକ ଓ ଆର୍ଥିକ ଦୁର୍ବଳତା ଯୋଗୁଁ ଅନେକ ପରିବାର ଆବଶ୍ୟକ ବୟସ ପୂର୍ବରୁ ପୁଅ ଝିଅଙ୍କ ବିବାହ କରି ଦେଉଛନ୍ତି ।
ତେବେ କେତେକ କ୍ଷେତ୍ରରେ ନିଜେ ପାଠ ପଢୁଥିବା ଝିଅ ମାନେ ନିଜ ବିବାହ ରୋକିବାରେ ସକ୍ଷମ ହୋଇ ପାରିଛନ୍ତି । ଏଭଳି ଜଣେ ଯୁବତୀ ଯିଏକି ନିଜେ ନାବାଳିକା ସମୟରେ ନିଜ ବିବାହକୁ ରୋକି ଏକ ଉଦାହରଣ ସୃଷ୍ଟି କରିପାରିଥିଲେ । ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉକ୍ତ ଯୁବତୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବରେ ସମ୍ମାନିତ କରାଯାଇଛି । ଏହାଛଡା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ କେତେକ ମହିଳାଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ନାରୀକୁ ସ୍ନେହ, ଶ୍ରଦ୍ଧା ଓ ସହନଶୀଳତାର 'ଦେବୀ' ବୋଲି ମଣାଯାଏ । ସୃଷ୍ଟି ପାଇଁ ତା'ର ଅବଦାନ ଆଉ ଏକ ସ୍ରଷ୍ଟାଙ୍କ ସହ ସମତୂଲ ! ତା'ର ଅବଦାନକୁ ବନ୍ଦନା ଆଉ ତାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ମାର୍ଚ୍ଚ 8କୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ନାରୀମାନଙ୍କୁ ତାଙ୍କର ଅଧିକାର ସମ୍ପର୍କରେ ସଚେତନ କରିବା ସହ ନାରୀ ସଶସ୍ତ୍ରକରଣ କରିବା ପାଇଁ ଏହା ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଛି ।
- " class="align-text-top noRightClick twitterSection" data="">
ଇଟିଭି ଭାରତ, ବୌଦ୍ଧ