ଭୁବନେଶ୍ବର: ଗୃହରେ ଉଠିଲା ଆନ୍ତଃ ରାଜ୍ୟ ସୀମା ବିବାଦ ପ୍ରସଙ୍ଗ । ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ସହିତ ଓଡ଼ିଶାର ୧୪ଟି ଜିଲ୍ଲାର ସୀମା ଲାଗି ରହିଛି । ସେପଟେ କୋଟିଆ ପ୍ରସଙ୍ଗରେ ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
କେଉଁଠି ରହିଛି ସୀମା ବିବାଦ?
ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜରେ ରହିଛି ବିବାଦ । ବିଶେଷ କରି ପଟାଙ୍ଗୀ ତହସିଲର 21 ଟି ଗ୍ରାମ ପୁଞ୍ଜକୁ ନେଇ ଆନ୍ଧ୍ରପ୍ରଦେଶ ସହିତ 1968 ମସିହାରୁ ସୀମା ବିବାଦ ରହି ଆସିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା । 2006 ମାର୍ଚ୍ଚ 30ରେ ଦିଆଯାଇଥିବା ଆଦେଶ ମାଧ୍ୟମରେ ଉକ୍ତ କେସକୁ ଖାରଜ କରିବା ସହିତ ଏ ମାମଲା ଆଲୋଚନା ମାଧ୍ୟମରେ ଫଇସଲା ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଉଭୟ ପକ୍ଷଙ୍କୁ ଆଦେଶ ହୋଇଥିଲା।
14 ଜିଲ୍ଲା ଗୁଡିକ ହେଲା:
- ବାଲେଶ୍ବର
- ଗଞ୍ଜାମ
- ଗଜପତି
- ରାୟଗଡା
- କୋରାପୁଟ
- ମାଲକାନଗିରି
- ନବରଙ୍ଗପୁର
- କଳାହାଣ୍ଡି
- ନୂଆପଡା
- ବରଗଡ
- ଝାରସୁଗୁଡା
- ସୁନ୍ଦରଗଡ
- କେନ୍ଦୁଝର
- ମୟୂରଭଞ୍ଜ
ସୀମା ବିବାଦକୁ ନେଇ ସରକାରଙ୍କ ତଥ୍ୟ:
"କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ବାଦ୍ ଦେଲେ ରାଜ୍ୟରେ ପ୍ରାୟତଃ ବଡ ଧରଣର ସୀମା ବିବାଦ ନାହିଁ । କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ 108 କୋଟି 53 ଲକ୍ଷ 12 ହଜାର 339 ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରତି ଗ୍ରାମକୁ ରାସ୍ତା, ବିଦ୍ୟାଳୟ ଗୃହ, ଆବାସିକ ଶ୍ରେଣୀ ଗୃହ, ଅଙ୍ଗନୱାଡି ଗୃହ, ମିଶନଶକ୍ତି ଗୃହ, 10 ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବଜାର ପିଣ୍ଡି, ପୋଲିସ ଥାନା ନିର୍ମାଣ କରିବା ସଙ୍ଗେ ସଙ୍ଗେ ବିଦ୍ୟୁତ ସଂଯୋଗ ଓ ମୋବାଇଲ ଟାୱାର ସ୍ଥାପନ ସହ ଲୋକମାନଙ୍କ ପାଇଁ ଜୀବିକାର ମଧ୍ୟ ବ୍ୟବସ୍ଥା କରାଯାଇଛି । ସମସ୍ତ ବିଦ୍ୟାଳୟରେ ଓଡ଼ିଆରେ କଥାବାର୍ତ୍ତା କରୁଛନ୍ତି ଏବଂ ପ୍ରତିବର୍ଷ କୋଟିଆରେ ରଥାଯାତ୍ରା ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି" ବୋଲି ବିଧାନସଭାରେ ତଥ୍ୟ ରଖିଲେ ରାଜ୍ୟ ସରକାର।
ବିଧାନସଭାରେ ବିଜେଡ଼ି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଲିଖିତ ଉତ୍ତର । ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଶ୍ନ କରିଥିଲେ, "ଆନ୍ତଃ ରାଜ୍ୟ ସୀମା ବିବାଦର ସମାଧାନ ଓ ଅନ୍ୟ ରାଜ୍ୟର ଅନୁପ୍ରବେଶକୁ ରୋକିବା ପାଇଁ ସରକାର କ'ଣ ପଦକ୍ଷେପ ନେଉଛନ୍ତି ? ବର୍ତ୍ତମାନ କେଉଁ କେଉଁ ସୀମାନ୍ତ ରାଜ୍ୟ ସହ କେତୋଟି ବିବାଦ ଅଛି ଓ କେଉଁ ସ୍ତରରେ ଅଛି ,ମନ୍ତ୍ରୀ ସ୍ପଷ୍ଟ କରିବେ କି?" ଯାହାର ଲିଖିତ ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।
ଏହା ବି ପଢନ୍ତୁ...ତୁଟୁନି ଆନ୍ଧ୍ର ମୋହ, ଉଭୟ ଆନ୍ଧ୍ର-ଓଡିଶାରେ ଭୋଟ ଦେଲେ କୋଟିଆବାସୀ - KOTIA VOTERS CAST VOTES
ଏହା ବି ପଢନ୍ତୁ...ବିଧାନସଭାରେ ପାଣି ପ୍ରସଙ୍ଗ: ତାରାଙ୍କ ପରିସ୍ରା ଉପାଖ୍ୟାନ, ବଦ୍ରି ଦେଲେ ବିସ୍ଫୋରକ ବୟାନ
ଶୂନ୍ୟକାଳରେ କୋଟିଆ ପ୍ରସଙ୍ଗ:
ସେପଟେ ଶୂନ୍ୟକାଳରେ ଉଠିଲା କୋଟିଆ ପ୍ରସଙ୍ଗ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନପତି କହିଛନ୍ତି, "କୋଟିଆ ବିବାଦ ଲଢିବା ପାଇଁ ଓଡିଶା ସରକାର ଓକିଲ ନିଯୁକ୍ତି କରୁନାହିଁ । 2006ରେ ଆନ୍ଧ୍ର ସପକ୍ଷରେ ସୁପ୍ରିମକୋର୍ଟରୁ ଏକ ପାଖିଆ ନିଷ୍ପତ୍ତି ଗଲା ଭଳି ଅନୁରୂପ ଏଥର ବି ଏହି ଆଶଙ୍କା ସୃଷ୍ଟି ହେଲାଣି । କୋଟିଆ, ଦେଓମାଳି ଆସି ଆନ୍ଧ୍ର ପ୍ରହସନ ଜାରି ରଖିଥିବା ବେଳେ ଏବେ ଓଡିଶା ଚୁପ୍ ଅଛି । 62 ଟି ପେପରର ତଥ୍ୟ ଦିଆଯାଇଥିଲା । ପୂର୍ବରୁ ଦିଆଯାଇଥିବା ଓକିଲଙ୍କ ମୃତ୍ୟୁ ପରେ ସୁପ୍ରିମକୋର୍ଟରେ ଆଉ ଓକିଲ ଦିଆଯାଇନାହିଁ । ଏବେ ଆନ୍ଧ୍ର ବାରମ୍ବାର ଦେଓମାଳି ଆସି ପିଲାଙ୍କୁ ପାଠ ପଢାଇ, ଇଲେକ୍ଟ୍ରି ଦେଇ ଡ୍ରାମା କରୁଛନ୍ତି । ଆନ୍ଧ୍ର କୋଟିଆରେ ନିର୍ବାଚନ କଲାବେଳେ 12 ପ୍ରତିଶତ ଭୋଟିଂ ହେଲା, ହେଲେ ଆମର 78 ପ୍ରତିଶତ ଭୋଟିଂ ହୋଇଛି । ଲୋକ ଆମ ସାଙ୍ଗରେ ଅଛନ୍ତି । ଆଇନ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି କୋଟିଆକୁ ବଞ୍ଚାଇବା ପାଇଁ ଓକିଲ ଦିଅନ୍ତୁ।"
ଇଟିଭି ଭାରତ, ଭୁବନେଶ୍ବର