ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛି ଭାରତୀୟ ହକି ଦଳ । ଭାରତୀୟ ହକି ଖେଳାଳିମାନେ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିବା ସହ ଧନ୍ୟବାଦ ଜଣାଇଛନ୍ତି । ଓଡିଶାର ସହଯୋଗ ଯୋଗୁଁ ଭାରତୀୟ ହକି ହୃତ ଗୌରବ ଫେରିପାଇଛି ବୋଲି ଖେଳାଳି କହିଛନ୍ତି । ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦେଶର ଗୌରବକୁ ଆହୁରି ଉଚ୍ଚକୁ ନେବା ପାଇଁ ଖେଳାଳିଙ୍କୁ ନବୀନ ପରାମର୍ଶ ଦେଇଛନ୍ତି । ଆଗାମୀ ଅଲମ୍ପିକରେ ଦଳ ପାଖରୁ ସୁନା ପଦକ ଆଶା ରଖିଛନ୍ତି ନବୀନ ।
- ଦିଲୀପ ତିର୍କୀଙ୍କ ନେତୃତ୍ୱରେ ଭେଟିଲା ଦଳ:-
ନବୀନ ନିବାସରେ ଅଲିମ୍ପିକ ବିଜୟୀ ଭାରତୀୟ ହକି ଦଳ । ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳ ଆଜି ନବୀନ ନିବାସ ଯାଇଛନ୍ତି । ‘ହକି ଇଣ୍ଡିଆ’ ସଭାପତି ଦିଲୀପ ତିର୍କୀଙ୍କ ନେତୃତ୍ୱରେ ଖେଳାଳି ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ଖେଳାଳିଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ଆଗାମୀ ଦିନରେ ଦେଶର ଗୌରବକୁ ଆହୁରି ଉଚ୍ଚାକୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳି ମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଗାମୀ ଅଲମ୍ପିକରେ ଭାରତୀୟ ହକି ଦଳଠୁ ସୁନା ପଦକ ଆଶା ରଖିଛନ୍ତି ବୋଲି ନବୀନ କହିଛନ୍ତି ।
କଣ ଦେଇ ସମ୍ବୋଧିତ କଲେ ନବୀନ:-
ବିରୋଧୀ ଦଳ ନେତା ଖେଳାଳୀମାନଙ୍କୁ ଉପାୟନ ଓ ରୁପା ତାରାକସିର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଖେଳାଳି ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ନବୀନଙ୍କୁ ପ୍ରଦାନ କରିଛନ୍ତି । ସମ୍ବର୍ଦ୍ଧନାର ଉତ୍ତର ଦେଇ ଖେଳାଳି ମାନେ କହିଛନ୍ତି, ଭାରତୀୟ ହକି ଦଳ ସବୁବେଳେ ଓଡିଶା ତଥା ଓଡିଶାବାସୀଙ୍କ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ ।
ନବୀନଙ୍କୁ ଧନ୍ୟବାଦ ଦେଲେ ଖେଳାଳି:-
ଯେତେବେଳେ ହକି ପାଇଁ କେହି ପ୍ରୟୋଜକ ଆଗେଇ ଆସି ନଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ଓଡିଶା ଭାରତୀୟ ହକି ଦଳର ପ୍ରଯୋଜକ ଦାୟିତ୍ୱ ନେଇଥିଲା । ଯାହାର ଫଳଶୃତି ସ୍ୱରୂପ ଆଜି ଅଲମ୍ପିକରେ ଭାରତୀୟ ହକି ଦଳ ଲଗାତାର ଦୁଇ ଥର ପଦକ ଜିତିବାରେ ସଫଳ ହୋଇ ପାରିଛି । ଓଡିଶା ବାସୀଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରି ପାଇଛି । ତେଣୁ ନବୀନଙ୍କୁ ଖେଳାଳି ଧନ୍ୟବାଦ ଜଣାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର