ଭୁବନେଶ୍ବର: ଓଡ଼ିଶାରେ ‘ବାୟୋ ଏଆଇ ହବ୍’ ସ୍ଥାପନ ପାଇଁ ଯୋଜନା କରିଛି ଭୁବନେଶ୍ଵରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ (ILS) । ଏଥିପାଇଁ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନସ୍ଥ ବାୟୋଟେକ୍ନୋଲଜି ବିଭାଗ ଓ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ପ୍ରସ୍ତାବ ଦେଇଛି ILS । ପ୍ରସ୍ତାବିତ ‘ବାୟୋ ଏଆଇ ହବ୍’ ପାଇଁ ରୋଗୀଙ୍କ ତଥ୍ୟ ଯୋଗାଇ ଦେବାକୁ ଖୁବଶୀଘ୍ର ଓଡ଼ିଶା ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ସହ ବୁଝାମଣାପତ୍ର ସ୍ବାକ୍ଷର କରିବ ILS । ଜୀବ ବିଜ୍ଞାନ ସଂସ୍ଥାନର ପ୍ରସ୍ତାବିତ ‘ବାୟୋ ଏଆଇ ହବ୍’ ହଜାର ହଜାର ରୋଗୀଙ୍କ ତଥ୍ୟକୁ ବିଶ୍ଳେଷଣ କରି ଆଗାମୀ ଦିନରେ ଆସିବାକୁ ରୋଗୀଙ୍କ ଲକ୍ଷଣ ଅନୁସାରେ ଡାକ୍ତରଙ୍କୁ ଉପଯୁକ୍ତ ଚିକିତ୍ସା ପଦ୍ଧତି ସୁପାରିସ କରିବ ବୋଲି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଡଃ ଦେବାଶିଷ ଦାସ ।
- ବାୟୋ ଟେକ୍ନୋଲୋଜି କ୍ଷେତ୍ରରେ ନୂଆ ପ୍ରୟାସ:-
ଆଇଏଲ୍ସ୍ ନିର୍ଦ୍ଦେଶକ ଡଃ ଦେବାଶିଷ ଦାଶ କହିଛନ୍ତି,୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଲାଗି ସାମୁଦ୍ରିକ ଗବେଷଣା ପାଇଁ ଭୂ-ବିଜ୍ଞାନ ମନ୍ତ୍ରଣାଳୟର ସହାୟତାରେ ‘ବିଆରଆଇସି-ଆଇଏଲଏସ’ ଏକ ଗଭୀର ସାଗର ମିଶନ ପ୍ରକଳ୍ପ ଆରମ୍ଭ କରିଛନ୍ତି । ‘ବାୟୋ-ଇଥ୍ରୀ ନୀତି’ର କାର୍ଯ୍ୟକାରିତା ବିଭିନ୍ନ ମନ୍ତ୍ରଣାଳୟର ସହଭାଗିତା ଉପରେ ନିର୍ଭରଶୀଳ । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ସହିତ ସହଭାଗିତାରେ ଗୋଟିଏ ବାୟୋ ମେନ୍ୟୁଫେକ୍ଟରିଂ ବା ଜୈବ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି । ସଂକ୍ରାମକ ଓ ଦୂରାରୋଗ୍ୟ ବ୍ୟାଥା, ରିଜେନେଟେରିଭ୍ ମେଡିସିନ, ଫସଲ ସୁଧାର, ଫସଲ ସୁରକ୍ଷା ଓ ମାଇକ୍ରୋବିୟାଲ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏସବୁ ନୂତନ ପ୍ରୟାସ ଏବଂ ଆଇଏଲଏସର ବର୍ତ୍ତମାନର ଗବେଷଣା ଓ ବିକାଶ କାର୍ଯ୍ୟକଳାପ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ।
- ବାୟୋ ଇ-ଥ୍ରୀ ଆଣିବ କୃଷି କ୍ଷେତ୍ରରେ ପରିବର୍ତ୍ତନ:-
ବୈଜ୍ଞାନିକ ଡକ୍ଟର ସୁମିତା କୁମାରୀ କହିଛନ୍ତି, ‘‘ବାୟୋ ଇ-ଥ୍ରୀ ନୀତି’’ ଜଳବାୟୁ ସହନଶୀଳ କୃଷି ପାଇଁ ବିଶେଷ ସହାୟକ ହୋଇପାରିବ । ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଲାଗି କୃଷି କ୍ଷେତ୍ରରେ ପ୍ରଭାବୀ ପରିବର୍ତ୍ତନ ଆଣିବା ପାଇଁ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସହିତ ଆନ୍ତଃ ମନ୍ତ୍ରଣାଳୟ କାର୍ଯ୍ୟକ୍ରମର ରୂପରେଖ ଉପରେ ଡକ୍ଟର ସୁମିତା ଆଲୋଚନା କରିଛନ୍ତି ।
ଏହା ସହ ବିଆର୍ଆଇସି- ଆଇଏଲ୍ର ବୈଜ୍ଞାନିକ ଡକ୍ଟର ପୁନୀତ ପ୍ରସାଦ କହିଛନ୍ତି,"ସ୍ବାସ୍ଥ୍ୟସେବା, କୃଷି, ଜୈବଶକ୍ତି କ୍ଷେତ୍ରରେ ବିଭିନ୍ନ ସାମାଜିକ ଆବଶ୍ୟକତାକୁ ପୂରଣ କରିବା ଏବଂ ଦୀର୍ଘସ୍ଥାୟୀ ପରିବେଶକୁ ବଜାୟ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ବାତାବରଣରେ ଜଟିଳ ଜୈବ ବିବିଧତାକୁ ବୁଝିବାରେ ମେଟାଜେନୋମିକ୍ସର ଗୁରୁତ୍ବ ଉପରେ ଆଲୋଚନା କରିଛନ୍ତି । ଜୈବ ଅର୍ଥବ୍ୟବସ୍ଥା ପାଇଁ ବାୟୋଇଥୀର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ଭାବେ ବାୟୋ-ଫାର୍ମା, ବାୟୋ-ଏଗ୍ରି, ବାୟୋ ଏଆଇ କ୍ଷେତ୍ରରେ ମେଟାଜେନୋମିକ୍ ଉପାଦାନଗୁଡ଼ିକ କିଭଳି ଯୋଗଦାନ ଦେଇପାରିବ ସେ ବିଷୟରେ ଗୁରୁତ୍ୱ ଦେଇଛନ୍ତି ।
ବାୟୋ ଇ-ଥ୍ରୀ ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୨୪ ଅଗଷ୍ଟ ୨୦୨୪ରେ ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରସ୍ତାବ କ୍ରମେ ‘ବାୟୋ ଇ ଥ୍ରୀ (ଅର୍ଥବ୍ୟବସ୍ଥା, ପରିବେଶ ଓ ରୋଜଗାର ପାଇଁ ଜୈବ ପ୍ରଯୁକ୍ତିବିଦ୍ୟା) ଉଚ୍ଚ ପ୍ରଦର୍ଶନକାରୀ ଜୈବଉତ୍ପାଦନର ପ୍ରୋତ୍ସାହନ ନୀତି’କୁ ମଞ୍ଜୁରୀ ମିଳିଥିଲା ।
ଗବେଷଣା ଓ ବିକାଶ ପାଇଁ ଉଦ୍ଭାବନ ପରିଚାଳିତ ସମର୍ଥନ ସାମିଲ ରହିବ । ଏହା ବାୟୋ ମେନ୍ୟୁଫେକ୍ଚରିଂ ଏବଂ ବାୟୋ-ଏଆଇ କେନ୍ଦ୍ର ତଥା ବାୟୋଫାଉଣ୍ଡ୍ରି ପ୍ରତିଷ୍ଠା କରି ପ୍ରଯୁକ୍ତିବିଦ୍ୟାର ବିକାଶ ଏବଂ ବ୍ୟବସାୟୀକରଣକୁ ତ୍ୱରାନ୍ବିତ କରିବ । ସବୁଜ ବିକାଶର ପୁନଃସୃଷ୍ଟିକାରୀ ଜୈବ ଅର୍ଥ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଏହି ନୀତି ଭାରତର ଦକ୍ଷ କାର୍ଯ୍ୟବଳକୁ ବିସ୍ତାର ସୁବିଧା ପ୍ରଦାନ କରିବ ଏବଂ ବ୍ୟାପକ ରୋଜଗାର ସମ୍ଭାବନା ସୃଷ୍ଟି କରିବ । ଆଧୁନିକ ଜୈବ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରକ୍ରିୟାର ସମନ୍ଵୟ ଜରିଆରେ ଔଷଧ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଉତ୍ପାଦନ କରିବା, କୃଷି ଓ ଖାଦ୍ୟ ସମସ୍ୟାର ସମାଧାନ କରିବା ଏବଂ ଜୈବ ଆଧାରିତ ଉତ୍ପାଦର ନିର୍ମାଣକୁ ପ୍ରୋତ୍ସାହିତ କରିବା ଲାଗି ଉଚ୍ଚପ୍ରଦର୍ଶନକାରୀ ଜୈବ ଉତ୍ପାଦନ ବା ବାୟୋ ମେନ୍ୟୁଫେକ୍ଚରିଂ କ୍ଷମତା ରହିଛି ।
ଜାତୀୟ ପ୍ରାଥମିକତା ଅନୁରୂପ: ବାୟୋ ଇ-ଥ୍ରୀ ନୀତି ରଣନୀତିକ/ବିଷୟଗତ କ୍ଷେତ୍ର ଉପରେ ଧ୍ୟାନ ଦେବା ଆବଶ୍ୟକ।
୧. ଉଚ୍ଚ-ମୂଲ୍ୟ ଆଧାରିତ ଜୈବ-ଆଧାରିତ ରାସାୟନିକ, ବାୟୋପଲିମରସ ଓ ଏଞ୍ଜାଇମସ୍
୨. ସ୍ମାର୍ଟ ପ୍ରୋଟିନ୍ ଓ ଫଙ୍କସନାଲ୍ ଖାଦ୍ୟ
୩. ସଠିକ୍ ବାୟୋଥେରାପି
୪. ଜଳବାୟୁ ସହନଶୀଳ କୃଷି
୫. କାର୍ବନ ସଂଗ୍ରହ ଓ ଏହାର ଉପଯୋଗ ଏବଂ ସାମୁଦ୍ରିକ ଓ
ମହାକାଶ ଗବେଷଣା
ଇଟିଭି ଭାରତ, ଭୁବନେଶ୍ବର