ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ଥାନା ଅଞ୍ଚଳରେ ଏକ ହୋଟେଲ ରୁମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ନିଜକୁ ଅବସରପ୍ରାପ୍ତ ସେନା କର୍ମଚାରୀ ପରିଚୟ ଦେଇ 2 ବର୍ଷ ହେଲା ସେହି ହୋଟେଲକୁ ପ୍ରତି 4 ମାସରେ ଥରେ ଆସୁଥିବା ନେଇ ହୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ପୋଲିସ ହୋଟେଲରେ ପହଞ୍ଚି ମୃତକଙ୍କ ସମ୍ପର୍କୀୟକୁ ଖବର ଦେବା ସହ ତଦନ୍ତ ଜାରି ରଖିଛି । ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।
ସୂଚନା ଅନୁଯାୟୀ, ସୋମବାର ଅପରାହ୍ମ ସମୟରେ ଭୁବନେଶ୍ୱରର କ୍ୟାପିଟାଲ ଥାନା ଅଞ୍ଚଳରେ ଏକ ହୋଟେଲ ରୁମରେ ଜଣେ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ପଡିରହିଥିବା ନେଇ କ୍ୟାପିଟାଲ ଥାନାକୁ ଖବର ଆସିଥିଲା । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ହୋଟେଲରେ ରୁମରେ ବ୍ୟକ୍ତି ଜଣଙ୍କ ବେକରେ ଏକ ବେଡସିଟ ଗୁଡା ହୋଇଥିବା ବେଳେ ଖଟ ପାଖରେ ଆଣ୍ଠେଇ ବସିଥିବାର ଦେଖିବାକୁ ପାଇଥିଲା ପୋଲିସ । ହାତରେ ମୋବାଇଲ ଫୋନ ମଧ୍ୟ ରହିଥିଲା । ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ପୋଲିସ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା ।
ମୃତକ ଜଣକ ରାଜସ୍ଥାନର କ୍ଷେତ୍ରୀର ମିହିର ସି ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ସେ ଗତ 2ରୁ 3 ବର୍ଷ ହେଲା ସେହି ହୋଟେଲକୁ ପ୍ରତି 4ରୁ 5 ମାସ ବ୍ୟବଧାନରେ ଆସୁଥିବା ନେଇ ହୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆଉ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ସେନା ଅଧିକାରୀମାନଙ୍କ ଯୋଗାଯୋଗରେ ରହି ଏଠାକୁ ଆସୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି ।
ଏହାମଧ୍ୟ ପଢନ୍ତୁ... ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ମୃତକଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେମାନେ ଆସିବା ପରେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇ ପଠାଯିବ ବୋଲି ପୋଲିସ କହିଛି । ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରି କେହି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ପୋଲିସ ସନ୍ଦେହ କରୁଛି । ହୋଟେଲ ରୁମର କବାଟ ମଧ୍ୟ ଖୋଲା ରହିଥିବା ବେଳେ କେହି ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି । ତେବେ ଫରେନସିକ ଟିମର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।
ହୋଟେଲରୁ ଏଭଳି ମୃତଦେହ ଉଦ୍ଧାର ଘଟଣା ନୂଆ ନୁହେଁ । ଏହାପୂର୍ବରୁ ଷ୍ଟେସନ ସ୍କୋୟାର ଅଞ୍ଚଳରେ ଠିକ ଏହିପରି ଢଙ୍ଗରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ଘଟଣାର ତଦନ୍ତ କରି ବହୁ ଦିନ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ । ସେହିପରି ମଞ୍ଚେଶ୍ବର ଠାରେ ଏକ ହୋଟେଲରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ସେହି ଘଟଣାର ଏବେବି ରହସ୍ୟ ହୋଇରହିଛି ।
ଇଟିଭି ଭାରତ, ଭୁବନେଶ୍ୱର