ଭୁବନେଶ୍ବର: ଗଣତନ୍ତ୍ର ଦିବସ ପାଇଁ ଆଜି ଦିଲ୍ଲୀରୁ ପଲ୍ଲୀରୁ ଉତ୍ସବ ମୁଖର । ତ୍ରିରଙ୍ଗାମୟ ହୋଇଛି ସାରା ଦେଶ । ଏହି କ୍ରମରେ ରାଜଧାନୀ ଭୁବନେଶ୍ବର ସ୍ଥିତ ମହାତ୍ମା ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଗାନ୍ଧୀମାର୍ଗରେ ଫର୍ଫର୍ ହୋଇ ଉଡୁଛି ତ୍ରିରଙ୍ଗା । ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଆଇପିଏସ ଅଧିକାରୀ ଏ.ବି.ଶିଳ୍ପୀ ଏଥର ପରେଡର ନେତୃତ୍ବ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସାମିଲ ହୋଇଛନ୍ତି ।
ଏଥର ପରେଡରେ ମୋଟ ୬୪ କଣ୍ଟିଜେଣ୍ଟ ସାମିଲ ହୋଇଛନ୍ତି । ଆଇଟିବିପି, ସିଆରପିଏଫ, ବିଏସଏଫ, ଅଗ୍ନିଶମ, ଓଡ୍ରାଫ, ଓଡ଼ିଶା ହୋମଗାର୍ଡ, ଆରପିଏଫ, ସୈନିକ ସ୍କୁଲ ପୋଲିସ ବ୍ୟାଣ୍ଡ ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପ୍ରଭୃତି ପରେଡରେ ଭାଗ ନେଇଛନ୍ତି । ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଗାନ୍ଧୀମାର୍ଗରେ ଆୟୋଜିତ ରଙ୍ଗାରଙ୍ଗା ପରେଡରେ ୧୨ଟି ପ୍ରଜ୍ଞାପନ ମେଢ଼ ସହ ୫୦ଟି ଦଳ ସାମିଲ ହୋଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ହୋଇଛି । ସେହିପରି ମହର୍ଷିର ଡେୟାର ଡେଭିଲ ବାଇକ ଶୋ' କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ସାଜିଛି । ୩୫ ବାଳକ ଓ ୩୦ ବାଳିକା ଏହି ଡେଭିଲ ଶୋ' ପ୍ରଦର୍ଶନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: କଂଗ୍ରେସ ଭବନରେ ଗଣତନ୍ତ୍ର ଦିବସ ପାଳିତ; ସମ୍ବିଧାନ ହେଉଛି ଭାରତବର୍ଷର ଆତ୍ମା
ଏହା ମଧ୍ୟ ପଢନ୍ତୁ: ଆଜି ୭୫ତମ ସାଧାରଣତନ୍ତ୍ର ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ
ଏହି ପରେଡରେ ରାଜ୍ୟର ବିଭିନ୍ନ କଳାକାରଙ୍କ ଦ୍ବାରା ନୃତ୍ୟ ମଧ୍ୟ ପରିବେଷଣ ହୋଇଛି । କୋରାପୁଟ ବୈପାରୀଗୁଡା ଜନଜାତି ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗଞ୍ଜାମର ଯୋଡି ଶଙ୍ଖ ମହୁରୀ, ଢେମସା, ରଣପା ନୃତ୍ୟ ପରିବେଷଣ କରାଯାଇଛି । ବିଶେଷକରି ଏଥର ଆକର୍ଷଣ ସାଜିଛି ପୁରୀର ଲୋକକଳା ସାହିଯାତ । ଏହି ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ ଗାନ୍ଧୀମାର୍ଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୩୦ ପ୍ଲାଟୁନ ଫୋର୍ସ ସହ ମୋଟ ୨୦୦ ପୋଲିସ ଅଧିକାରୀ ମୁତୟନ ହୋଇଥିଲେ । ଡିସିପିଙ୍କ ନେତୃତ୍ବରେ ୬ ଜଣ ଅତିରିକ୍ତ ଡିସିପି, ୧୪ ଏସିପି ଓ ୨୮ ଜଣ ଆଇଆଇସି ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର