ଭୁବନେଶ୍ବର: ପୁଣି ଭୁବନେଶ୍ବର ବିମାନବନ୍ଦରରୁ ସୁନା ଜବତ । ଚୋରା ଚାଲାଣ ବେଳେ ଜବତ କଲା ସିଟି ଜିଏସଟି (CT GST)। ବିଭିନ୍ନ ନାମାଦାମୀ ଗହଣା ଅଳଙ୍କାର ତିଆରି କନସାଇନମେଣ୍ଟକୁ ଜବତ କରିଛି CT GST । ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଲଜିଷ୍ଟିକ କନସାଇନମେଣ୍ଟ ଜରିଆରେ ଚାଲାଣ ବେଳେ ଏୟାରପୋର୍ଟ କାର୍ଗୋରୁ ଜବତ ହେଲା ବେଆଇନ ୪ କେଜିର ଗହଣା ।
ମେଳ ଖାଇଲାନି ସୁନାର ହିସାବ:
ତେବେ ସୁନା ଚୋରା ଚାଲାଣ ହେଉଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇ ସିଟି ଜିଏସଟି ଟିମ୍ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦର କାର୍ଗୋରେ ଚଢ଼ାଉ କରିଥିଲେ । ସେଠାରେ ସିକ୍ୟୁଏଲ ଲଜିଷ୍ଟିକ ସଂସ୍ଥାର କିଛି କନସାଇନମେଣ୍ଟ ଯାଞ୍ଚ ବେଳେ ୨୦ କେଜି ସୁନା ଠାବ ହୋଇଥିଲା । ହେଲେ ସେଠାରେ ୧୬ କେଜି ସୁନାର ହିସାବ ମିଳିଥିଲା । ହେଲେ ୪ କେଜି ସୁନାର ହିସାବ ମେଳ ଖାଇନଥିଲା । ୫ ଜଣ ସୁନା ଦୋକାନୀଙ୍କ ନାଁରେ ଆସିଥିଲା ସୁନା ଫାର୍ସଲ ପ୍ୟାକେଟ । ଯେଉଁଠି ୨ ଜଣ ସୁନା ଦୋକାନୀ ସେମାନଙ୍କର ବିଲ ଦେଖାଇ ସୁନାର ହିସାବ ନିକାଶ ଦେଖାଇଥିଲେ । ୪ କେଜି ସୁନାର କୌଣସି ବିଲ ବା ହିସାବ ମିଳିନଥିବାରୁ ଏହାକୁ ଜବତ କରିଛି ସିଟି ଜିଏସଟି ।
ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ସୁନା ଚାଲାଣ ପାଇଁ କିଛି ବ୍ୟବସାୟୀ ନୂଆ ବାଟ ଆପଣାଇଛନ୍ତି । ସୁନାକୁ ରିପାୟରି ରିମେକିଂ ଆଳରେ ଏବେ ସୁନା ଚାଲାଣ କରାଯାଉଛି । ଯେଉଁ ସୁନା ଜବତ ହେଉଛି ସେସବୁ ସୁନାକୁ ରିମେକ ଓ ରିପାୟରି ପାଇଁ ପଠାଯାଇଥିବା ଅନେକ ବ୍ୟବସାୟୀ ଦର୍ଶାଉଛନ୍ତି । ଯେଉଁ ଗ୍ରାହାକମାନେ ସୁନା ପୁରୁଣା ହେବା ପରେ ନୂଆ ତିଆରି ପାଇଁ ଚାହୁଁଛନ୍ତି ସେସବୁକୁ ନୂଆ ଡିଜାଇନରେ ତିଆରି ପାଇଁ ଏକ ପୁରୁଣା ବିଲକୁ ଦେଖାଇ ସୁନା ଗୁଡିକ ପୁରୁଣା ଆଉ ଜବଓ୍ବାର୍କ ପାଇଁ ପଠାଯାଉଥିବା ଦର୍ଶାଉଛନ୍ତି । ନୂଆ କିଛି କିଣାଯାଇ ନାହିଁ କି ନୂଆ ଗହଣାର ଜିଏସଟି ଓ ବିଲ ଦେଖାଇବା ଜରୁରୀ ନୁହେଁ ବୋଲି ଆଳ ଦେଖାଉଛନ୍ତି । ଏପରିକି ପୁରୁଣା ସୁନା ରିପାୟରିଂ ପାଇଁ ପଠାଯିବା ସମୟରେ ମଧ୍ୟ ସୁନାର ଓଜନ ଓ ମାନୁଆଲ ଯାହାର ଡେଲିଭେରି ବିଲ ରହିବା ଦରକାର । କିନ୍ତୁ ସେସବୁ କପି କେହି ଦେଖାଇପାରୁନାହାନ୍ତି । ଯାହାକୁ ନେଇ ଛାନଭିନ ଚାଲିଛି ।
ଏନେଇ ଟ୍ୟାକ୍ସ କନ୍ସଲଟାଣ୍ଟ ପ୍ରଶାନ୍ତ ଶତପଥୀ କହିଛନ୍ତି, "ସୁନା ଯେଉଁ ଲଜିଷ୍ଟିକରେ ଆସୁଛି, ଯେଉଁ କମ୍ପାନୀ ଆଣୁଛନ୍ତି ଜିଏସଟିର ଯେଉଁ ପ୍ରୋଭିଜନ ଅଛି ତାକୁ ପୂର୍ଣ୍ଣ କରି ଯଦି ସୁନା ଆଣୁଛନ୍ତି ତାହାଲେ କିଛି ଅସୁବିଧା ନାହିଁ । ଯେଉଁମାନେ ସୁନା ବ୍ୟବସାୟ କରୁଛନ୍ତି, ସେମାନେ ତାଙ୍କ ପ୍ରୋସିଜର ପାର୍ଟ ଠିକ ରଖୁଛନ୍ତି କି ନାହିଁ । ସରକାରଙ୍କ ତହବିଲକୁ ସଠିକ ରାଜସ୍ବ ଯାଉଛି ନା ନାହିଁ । ଟ୍ୟାକ୍ସ ସରକାର ପାଉଛନ୍ତି କି ନାହିଁ, ଏହାର ଯାଞ୍ଚ କରାଯିିବା ଦରକାର ।"
ଏହା ମଧ୍ୟ ପଢ଼ନ୍ତୁ...ETV Bharat Follow UP; ଏୟାରପୋର୍ଟରୁ ପୁଳା ପୁଳା ଗହଣା ଠାବ, ସୁନା ଓ ରୁପା ସହ ହୀରା ଜବତ, ରାଜଧାନୀର ବଡ ବଡ ନାମୀ ଦାମୀ ଦୋକାନକୁ ଯାଇଥାନ୍ତା ସୁନା - diamond ornaments seized |
ସ୍କାନରରେ ଲଜିଷ୍ଟିକ ସଂସ୍ଥା:
ବିଗତ କିଛି ଦିନ ହେବ ଲଜିଷ୍ଟିକ ସଂସ୍ଥା ଜରିଆରେ ସୁନା ଚାଲାଣରେ ଗଳାବାଟ ନଜରକୁ ଆସିବା ପରେ ଏବେ କିଛି ଲଜିଷ୍ଟିକ ସଂସ୍ଥାର କାରବାର ଉପରେ ନଜର ପକାଇଛି ସିଟି ଜିଏସଟି ଟିମ୍ । ସାରା ରାଜ୍ୟର ୧୦୦ରୁ ଊର୍ଦ୍ଧ୍ବ ଲଜିଷ୍ଟିକ ସଂସ୍ଥା ଓ ଭୁବନେଶ୍ୱରରେ ୧୫ରୁ ଊର୍ଦ୍ଧ୍ବ ଲଜିଷ୍ଟିକ ସଂସ୍ଥା ଏବେ ସନ୍ଦେହ ଘେରରେ ରହିଛନ୍ତି । ସେମାନଙ୍କ ନିତିଦିନିଆ ଆସୁଥିବା କୋରିଆର ବା ଲଜିଷ୍ଟିକ କାରବାର ବିଶେଷ କରି ବିମାନ ଯୋଗେ ଆସୁଥିବା ପାର୍ସଲକୁ ନେଇ ସନ୍ଦେହ କରାଯାଉଛି । ଡେଲିଭେରୀ ବିଲ ଆଦି ସମସ୍ତ ପ୍ରକାର ଯାଞ୍ଚ ପ୍ରକ୍ରିୟାକୁ ନେଇ ତନାଘନା ଜୋରସୋର କରାଯାଉଛି । ଇତିମଧ୍ୟରେ ୩ଟି ବଡ଼ ଧରଣର ରେଡ ବେଳେ ସ୍କାନରକୁ ଆସିଥିବା ସଂସ୍ଥା ଗୁଡିକକୁ ପଚରାଉଚରା ସରିଥିବା ବେଳେ ଆଉ କିଛି ସଂସ୍ଥା ଉପରେ ନଜର ରଖିଛି ଟିମ୍ ।
ଏହା ମଧ୍ୟ ପଢ଼ନ୍ତୁ...ETV Bharat Exclusive: ଭୁବନେଶ୍ବର ଏୟାରପୋର୍ଟରୁ 80 କିଲୋ ସୁନା, ଦେଢ କ୍ବିଣ୍ଟାଲ ରୁପା ଜବତ, କେଉଁଠୁ ଆସିଲା ଖୋଳତାଡ ଜାରି ? - Gold seized Bhubaneswar Airport |
ପୂଜା ବଜାର ପାଇଁ ଚାଲାଣ ବଢୁଛି !:
ଆଗକୁ ପୂଜା ଆସୁଛି । ସେନେଇ ଅନେକ ସୁନା ଦୋକାନୀ ପୂଜା ବଜାର ବ୍ୟବସାୟ ପାଇଁ ସୁନା ଉପରେ ଫୋକସ ଦେଇଛନ୍ତି । ପୂଜା ବଜାର ପାଇଁ ରାଜ୍ୟ ବାହାରୁ ସୁନା ଅଳଙ୍କାର ବିମାନ ଯୋଗେ ଏବେ ଭୁବନେଶ୍ୱର ଦେଇ ରାଜ୍ୟକୁ ଆସୁଛି । ତେଣୁ ସୁନା ବେଆଇନ ଭାବେ ଚାଲାଣ ପାଇଁ ଏଭଳି ଲଜିଷ୍ଟିକ ସଂସ୍ଥାର ସାହାର ନେଇଛନ୍ତି ବୋପାରୀ । ଏନେଇ କିଛି ବଡବଡ ଗହଣା ଦୋକାନୀ କିଛି ଅନାମଧେୟ ଦୋକାନ ବା ଜିଏସଟି ନମ୍ବରରେ ଏପରି ସୁନା ଚାଲାଣ କରୁଛନ୍ତି । ସୁନା ବଜାରକୁ ଆସିବା ପରେ ବିକ୍ରି କରିବା ପରେ ମୁନାଫା କମିବା ପାଇଁ ଚକ୍ରାନ୍ତ କରୁଛନ୍ତି ।
ଏହା ମଧ୍ୟପଢ଼ନ୍ତୁ...ଦିଲ୍ଲୀ ବିମାନ ବନ୍ଦରରେ ଶଶି ଥରୁରଙ୍କ ସହଯୋଗୀଙ୍କଠୁ ସୁନା ଜବତ ! ଚନ୍ଦ୍ରଶେଖର କହିଲେ ସୁନା ତସ୍କରଙ୍କ ମେଣ୍ଟ - THAROOR AIDE HELD DELHI AIRPORT |
ଆଗକୁ ହୋଇପାରେ ବଡ଼ ଧରଣର ରେଡ୍:
ତେବେ ଆଗକୁ ବଡ଼ବଡ଼ ଅଳଙ୍କାର ଦୋକାନରେ ହୋଇପାରେ ବଡ଼ ଧରଣର ରେଡ୍ । କିଛି ଗହଣା ଦୋକାନୀ ସୁନା ବେଆଇନ ବାଟରେ ଆଣି ରଖିଛନ୍ତି । ସେନେଇ ଗହଣା ଦୋକାନୀଙ୍କ ଷ୍ଟକ, ପର୍ଚେଜ ଓ ସେଲ ଉପରେ ଏବେ ତନାଘନା ପାଇଁ ବଡ଼ ଧରଣର ଯୋଜନା ଚାଲିଛି । ଯେତିକି ବେଆଇନ ସୁନା ଆଣୁଛନ୍ତି ତାକୁ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ କିପରି ବଜାରରେ ବିକ୍ରି ପୂର୍ବରୁ ତନାଘନା କରାଯିବ ସେନେଇ ତଥ୍ୟ ସଂଗ୍ରହ କରୁଛି ସିଟି ଜିଏସଟି ସ୍କ୍ୱାର୍ଡ । ଏନେଇ ସୂଚନା ଆଧାରରେ ପୂଜା ପୂର୍ବରୁ ଅନେକ ଗହଣା ଦୋକାନରେ ରେଡ ପାଇଁ ଯୋଜନା କରୁଛି ସିଟି ଜିଏସଟି ଟିମ୍ ।
ଇଟିଭି ଭାରତ, ଭୁବନେଶ୍ବର