ଭୁବନେଶ୍ବର: ଚାକିରି ପାଇଁ ରାଜରାସ୍ତାରେ ଗୋଲ୍ଡ ମେଡ଼ାଲିଷ୍ଟ ଅର୍ଚ୍ଚନା । 26 ଦିନ ଧରି ରାସ୍ତାକଡ଼ରେ ଅର୍ଚ୍ଚନା ସଂଘର୍ଷ କରିଆସୁଛନ୍ତି । ସରକାରୀ ଚାକିରି ପାଇଁ ଧାରଣା ଦେଇଛନ୍ତି ଏହି ଗୋଲ୍ଡ ମେଡ଼ାଲିଷ୍ଟ । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବେଳେ ସରକାରୀ ଚାକିରି ପାଇଁ ନୟାନ୍ତ ହେଲେଣି ସେ । ଭୁବନେଶ୍ବରର ପିଏମଜିଠାରେ ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି ଅର୍ଚ୍ଚନା କାନୁନଗୋ ।
ଜାତୀୟ ଟାଏକୋଣ୍ଡୋ ଖେଳାଳି ଡାକ୍ତର ଅର୍ଚ୍ଚନା କାନୁନଗୋ । ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ଡେଭଲପମେଣ୍ଟ ଷ୍ଟଡିଜ ପ୍ରାଧ୍ୟାପକ ପଦବୀ ପାଇଁ ସେ ଚୟନ ହୋଇଥିଲେ କିନ୍ତୁ ନିଯୁକ୍ତି ମିଳିନଥିଲା । ଏହାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏପଟେ ଉଚ୍ଚଶିକ୍ଷା ବିଭାଗ କେବଳ ପ୍ରତିଶ୍ରୁତି ଦେଇ ଚାଲିଥିବା ବେଳେ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ପିଏମଜିରେ ଧାରଣାରେ ବସିବେ ବୋଲି ସେ କହିଛନ୍ତି ।
ଏପଟେ ଅର୍ଚ୍ଚନା ଜାତୀୟ ଟାଏକୋଣ୍ଡୋ ସମେତ କିକ ବସ୍କିଂ ଓ କରାଟେରେ ଜାତୀୟ ସ୍ତରରେ ରେଫରି ଭାବେ ମଧ୍ୟ ଖେଳ ପରିଚାଳନା କରିଛନ୍ତି । ସେ ସାମାଜିକ ବିଜ୍ଞାନରେ ପିଏଚଡି ମଧ୍ୟ ହାସଲ କରିଛନ୍ତି । ତେବେ ୨୦୧୭ ମସିହାରେ ଡେଭଲପମେଣ୍ଟ ଷ୍ଟଡିଜର ୩ ପ୍ରାଧ୍ୟାପକ ପଦବୀ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ଏହି ପଦବୀ ପାଇଁ ଅର୍ଚ୍ଚନା ଆବେଦନ କରିଥିଲେ । ଏହାସହ ସେ ସାକ୍ଷାତକାର ପରୀକ୍ଷା ମଧ୍ୟ ଦେଇଛନ୍ତି । ତେବେ ମେରିଟ ତାଲିକାରେ ଏକ ନମ୍ବରରେ ରହିବା ପରେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିଲା ନାହିଁ । ଶେଷରେ ଅର୍ଚ୍ଚନା ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ...ଏନଏଚ ବାଇପାସ ନିର୍ମାଣ ବିବାଦ, ଜମି ଅଧିଗ୍ରହଣକୁ ମିଳିତ ମଞ୍ଚର ବିରୋଧ
ତେବେ ବାରମ୍ବାର ହାଇକୋର୍ଟ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ହେଁ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସେ । ଅର୍ଚ୍ଚନା ଉଚ୍ଚଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ସମେତ ରାଜ୍ୟପାଳଙ୍କୁ ମଧ୍ୟ ସାକ୍ଷାତ କରି ଏହି ବାବଦରେ ଜଣାଇଛନ୍ତି । ହେଲେ ଏନେଇ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ । ତେବେ ଦୀର୍ଘ ଦିନ ଧରି ଧାରଣାରେ ବସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଲୋଚନା ଲାଇନ ପ୍ରସ୍ତାବ ଆସିଥିଲା । କିନ୍ତୁ ଆଲୋଚନା ପରେ କୌଣସି ପ୍ରକାରର ସହଯୋଗ ମିଳିପାରିଲା ନାହିଁ ବୋଲି କହିଛନ୍ତି ଅର୍ଚ୍ଚନା । ଏପଟେ ଯେଉଁ ଦିନ ପର୍ଯ୍ୟନ୍ତ ନିଷ୍ପତ୍ତି ସଠିକ ଭାବରେ ପ୍ରକାଶ ନକରାଯାଇଛି ସେ ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ଅର୍ଚ୍ଚନା କାନୁନଗୋ ।
ଇଟିଭି ଭାରତ, ଭୁବନେଶ୍ବର