ଭୁବନେଶ୍ବର: ଓଡ଼ିଶା ଗଞ୍ଜେଇ ଚାଲାଣକାରୀଙ୍କ ମୁମ୍ବାଇ ଲିଙ୍କ୍ । ଜେଲରେ ଥିବା ସାଥୀଙ୍କୁ ଭେଟିବାକୁ ଆସି ଧରାପଡ଼ିଛି ଅଭିଯୁକ୍ତ । ଝାରପଡ଼ା ଜେଲ୍ ସାମ୍ନାରୁ ଧରାପଡିଛି ଗଞ୍ଜେଇ ବେପାରୀ । ଦୀର୍ଘ ଦିନ ଧରି ଫେରାର ଥିବା କୁଖ୍ୟାତ ଗଞ୍ଜେଇ ମାଫିଆ ରାହୁଲ ସେଠୀକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ଗିରଫ ପରେ ଅଭିଯୁକ୍ତ ନିକଟରୁ ଜବତ ହୋଇଛି ଏକ କାର ଓ ମୋବାଇଲ ଫୋନ । ଯେଉଁଠୁ ମିଳିଛି ମୁମ୍ବାଇ ଲିଙ୍କ୍ । କମିଶନରେଟ ପୋଲିସର ସୂଚନା ମୁତାବକ, ଗତ ୧୧ ଫେବ୍ରୁଆରୀରେ ପ୍ରେସ ଲେଖା ଥିବା କାର୍ ଯୋଗେ ମାଲକାନଗିରିରୁ ଝାଡ଼ଖଣ୍ଡ ଗଞ୍ଜେଇ ଚାଲାଣବେଳେ ଧରାପଡିଥିଲେ ୩ ଜଣ ଗଞ୍ଜେଇ ବେପାରୀ । ହେଲେ ସେହି ଘଟଣାର ମାଷ୍ଟରମାଇଣ୍ଡ ଥିଲା ରାହୁଲ ସେଠୀ ।
ରାହୁଲ ମୟୂରଭଞ୍ଜ ବାଙ୍ଗିରିପୋଷୀ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ସେ ନିଜର ସହଯୋଗୀକୁ ଝାରପଡ଼ା ଜେଲରେ ଦେଖା କରିବାକୁ ଆସିଥିବାବେଳେ ତାକୁ ଜେଲ ସାମ୍ନାରୁ ଗିରଫ କରାଯାଇଥିଲା । ପରେ ତା ନିକଟରୁ ଏକ କାର ସହ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ଯେଉଁଥିରୁ ତା'ର ଗଞ୍ଜେଇ କାରବାର ନେଟୱାର୍କ ବିଷୟରେ ଜାଣିବାକୁ ପାଇଛି ପୋଲିସ । ଦିଲ୍ଲୀ, ମୁମ୍ବାଇ ଓ ଝାଡ଼ଖଣ୍ଡ ଲିଙ୍କ୍ ଭଳି ବାହାର ରାଜ୍ୟ ସହ ଅଭିଯୁକ୍ତର ଲିଙ୍କ ରହିଛି । ତେବେ ଚିତ୍ରକୋଣ୍ଡାରୁ ଗଞ୍ଜେଇ ଆଣି ସେ ବାହାର ରାଜ୍ୟକୁ ପଠାଉଥିଲା । ଏପରିକି କେତେକ ସହଯୋଗୀଙ୍କ ମାଧ୍ୟମରେ ବସ, କାର ଓ ଟ୍ରେନ ଯୋଗେ ମଧ୍ୟ ସପ୍ଲାଏ କରାଯାଉଥିଲା । ଏପରିକି ରାହୁଲର ମୋବାଇଲରୁ ଦିଲ୍ଲୀ ଓ ମୁମ୍ବାଇର କିଛି ବେପାରୀ ମଧ୍ୟ ଯୋଗାଯୋଗରେ ଥିବା ଜାଣିବାକୁ ପାଇଛି ପୋଲିସ । କିଛି କୋଡ ଓ୍ବାର୍ଡରେ ଏବେବି ଅର୍ଡର ପାଇଁ କଲ୍ ଆସୁଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି ।
ଏହା ବି ପଢନ୍ତୁ...ଖାକିରେ ଦାଗ: ପୋଲିସ ହାତରେ ହାତକଡ଼ି ପକାଇଲା ପୋଲିସ - Ganja Seized In Boudh
ରାହୁଲର ଶିକ୍ଷାଗତ ଯୋଗ୍ୟତା ଦଶମ ଫେଲ୍ ହୋଇଥିବାବେଳେ ସେ ବିଳାସମୟ ଜୀବନ ବିତାଉଥିଲା । ନୂଆ ନୂଆ ଟ୍ରେଣ୍ଡରେ ଗଞ୍ଜେଇ ସପ୍ଲାଏ କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲା । ବିମାନ ଯୋଗେ ରାଜ୍ୟ ବାହାରକୁ ଯାତ୍ରା କରିବା ସହ ବିଳାସମୟ ହୋଟେଲରେ ରାତ୍ରିଯାପନ କରୁଥିଲା । NCB ଓ STF ରାଡାରରେ ରାହୁଲ ସେଠୀ ଧରାପଡ଼ିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ଏସଟିଏଫ ମଧ୍ୟ ରାହୁଲର ହାଇପ୍ରୋଫାଇଲ ଲିଙ୍କ ନେଇ ଖୋଳତାଡ କରୁଛନ୍ତି । ସେମାନେ ଖୁବଶୀଘ୍ର ରାହୁଲକୁ ପଚରାଉଚରା କରିପାରନ୍ତି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ଗତ ଫେବ୍ରୁଆରୀ ୧୧ ତାରିଖରେ ରବି ଶଙ୍କର ଦାସ, ରାଜେଶ କିଶୋର ଦାସ, ଲଭ କିଶୋର ପ୍ରସାଦ ଓ ସହଦେବ ୩ କ୍ବିଣ୍ଟାଲ ଗଞ୍ଜେଇ ସହ ଧରା ପଡିଥିଲେ । ରବି ଶଙ୍କର ଦାସ ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀ ଓ ତାର ଅନେକ ଦାମୀ ଗାଡି ରହିଥିବାବେଳେ ତା ସହିତ ମିଶି ରାହୁଲ ଏପରି କାରବାର ଚଳାଇଥିବା ଜଣାପଡିଛି । ରବି ଶଙ୍କର ମଧ୍ୟ ପୂର୍ବରୁ ଝାଡ଼ଖଣ୍ଡ ପୋଲିସ ହାତରେ ଗିରଫ ହୋଇଥିଲା।
ଇଟିଭି ଭାରତ, ଭୁବନେଶ୍ବର