ଭୁବନେଶ୍ବର: ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣର ବଡ ଖୁଲାସା । ଭୁବନେଶ୍ୱରରୁ ଧରାପଡିଲେ ଝାଡ଼ଖଣ୍ଡର ୩ ନିଶାମାଫିଆ । ପୋଲିସକୁ ଚକମା ଦେଉଥିବା ଗଞ୍ଜେଇ ବେପାରୀ ଗିରଫଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅପରାଧୀମାନେ ଗାଡ଼ିରେ ପ୍ରେସ ଲେଖି ନମ୍ବର ପ୍ଲେଟ ବଦଳାଇ ଭାଇଜାଗରୁ ଭୁବନେଶ୍ବର ଦେଇ କଲିକତା ଚାଲାଣବେଳେ ୩ କ୍ବିଣ୍ଟାଲ ଗଞ୍ଜେଇ ସହ ଧରାପଡିଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।
ପୋଲିସର ସୂଚନା ମୁତାବକ, ଏମାନେ ହେଉଛନ୍ତି ପେଶାଦାର ନିଶା ମାଫିଆ । ହାଇପ୍ରୋଫାଇଲ ଗଞ୍ଜେଇ କାରବାର କରିବା ସେମାନେ ବ୍ୟବହାର ଦାମୀ ଗାଡି଼ ବ୍ୟବହାର କରୁଥିଲେ । ଏଣ୍ଡେଭୋର ଭଳି ଦାମୀ ଗାଡି ଜରିଆରେ ଗଞ୍ଜେଇ ଗାଡି଼କୁ ଏସକର୍ଟ ବି ଦେଉଥିଲେ । ପଛରେ ଆଉ ଏକ କାର ଯୋଗେ ଗଞ୍ଜେଇ ଭର୍ତ୍ତି କରି ବିଭିନ୍ନ ରାଜ୍ୟ ଦେଇ ରାଜ୍ୟ ପାର୍ ହେଉଥିଲେ । ଏପରିକି ପୋଲିସ ସନ୍ଦେହରୁ ବର୍ତ୍ତିବାକୁ ସେମାନେ ପ୍ରେସ ଲେଖାଥିବା ଷ୍ଟିକର ବ୍ୟବହାର କରୁଥିଲେ । ଏପରିକି ଗାଡି଼ରେ ରଖିଥିଲେ ଭିନ୍ନ ଭିନ୍ନ ଗାଡିର ନମ୍ବର ପ୍ଲେଟ୍ । ଯାହାକୁ ଲଗାଇ ଘୋଟିଏ ପରେ ଗୋଟିଏ ରାଜ୍ୟ ପାର ହେଉଥିଲେ । ତେବେ ମାଲକାନଗିରିରୁ ଗଞ୍ଜେଇ ଆଣି କାକିନାଡା ଦେଇ ଭାଇଜାଗ ଯାଇଥିଲେ । ପରେ ଭାଇଜାଗରୁ ବ୍ରହ୍ମପୁର ଦେଇ ଭୁବନେଶ୍ବର ଓ ସେଠାରୁ ଝାଡ଼ଖଣ୍ଡ ଚାଲାଣବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଆଉ ତା'ପରେ ପୋଲିସ ପିଛା କରି ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି ।"
ଏହି ଅପରେସନ ସମ୍ପର୍କରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ଗଞ୍ଜେଇ ଚାଲାଣକାରୀ ନମ୍ବର ବଦଳାଉଥିବାବେଳେ ସେମାନଙ୍କୁ ଚିହ୍ନିବା ଥିଲା ମୁସ୍କିଲ । ହେଲେ ଗଞ୍ଜେଇ ଚାଲାଣକାରୀଙ୍କ ଗାଡି଼ର କମ୍ପ୍ରେସର ଖରାପ ଯୋଗୁଁ ବାଟରେ ଅଧିକ ବେଗରେ ସାଉଣ୍ଡ କରୁଥିବାରୁ ଚିହ୍ନିବା ସହଜ ହେଲା । ପିତାପଲ୍ଲିରୁ ପାହାଳ ପର୍ଯ୍ୟନ୍ତ ଗାଡିକୁ ପିଛା କରିବା ସହ ଖସିବାକୁ ଚେଷ୍ଟାବେଳେ ପୋଲିସ ସେମାନଙ୍କୁ ଧରିଥିଲା । ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ । ଏନେଇ ୨ଟି ଦାମୀ ଗାଡି ଜବତ କରାଯାଇଛି । ସେମାନେ ଗାଡିର ସିଟ୍ ଓ ପଛରେ ଥିବା ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଭର୍ତ୍ତି କରି ଆଣୁଥିଲେ । ୩ଟି ରାଜ୍ୟ ଅତିକ୍ରମ କରିଥିବାରୁ ଏଥିପାଇଁ ପ୍ରାଇଭେଟ ନମ୍ବର ଓ ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍ ବ୍ୟବହାର କରି ଖସିଯାଉଥିଲେ ।"
ଏହା ମଧ୍ୟ ପଢନ୍ତୁ...ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ଚାଲିଥିଲା ଗଞ୍ଜେଇ ଚାଲାଣ, ମୟୂରଭଞ୍ଜରେ ମାଡି ବସିଲା ପୋଲିସ
ଗିରଫ ଅଭିଯୁକ୍ତମାନେ ହେଲେ ରବି ଶଙ୍କର ଦାସ, ରାଜେଶ କିଶୋର ଦାସ, ଲଭ କିଶୋର ପ୍ରସାଦ ସହଦେବ । ସେମାନଙ୍କ ଘର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୁମି ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ରବି ଶଙ୍କର ଦାସ ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀ । ତାଙ୍କର ଅନେକ ଦାମୀ ଗାଡି ରହିଛି । ଏପରିକି ସେ ପୂର୍ବରୁ ଝାଡଖଣ୍ଡ ପୋଲିସ ହାତରେ ଗିରଫ ହୋଇଥିଲା । ଗଞ୍ଜେଇ ଓ ନିଶାକାରବାର ନେଇ ପୋଲିସ କଡା ଅଭିଯାନ ଜାରି ରଖିଥିବା ପୋଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର