ପାରଳାଖେମୁଣ୍ଡି: ଲୋପ ପାଇବାକୁ ବସିଲାଣି ରକ୍ତ ଚନ୍ଦନ ଗଛ । ଦିନ ଥିଲା ରକ୍ତ ଚନ୍ଦନ ଗଛରେ ଭରପୁର ହୋଇ ରହିଥିଲା ଗଜପତି ଜିଲ୍ଲା । ଏତେ ମାତ୍ରାରେ ଗଛ ରହିଥିଲା ଯେ ଏହା ଏସିଆ ମହାଦେଶର ଏକ ମାତ୍ର ସ୍ଥାନ ବୋଲି କୁହାଯାଉଥିଲା । ହେଲେ ବର୍ତ୍ତମାନ ଏହା ପ୍ରାୟ ଲୁପ୍ତ ହେବାକୁ ଲାଗିଲାଣି । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦ୍ବାରା ଗୋଷାଣୀ ବ୍ଳକର ଲାବଣ୍ୟଗଡ ଏବଂ ଗୁମ୍ମା ବ୍ଲକର ନାମନଗଡ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଏହି ରକ୍ତ ଚନ୍ଦନ ଜଙ୍ଗଲ । ଏବେ କିନ୍ତୁ ଚନ୍ଦନ ଗଛ ଖୋଜିଲେ ବି ମିଳିବା କଷ୍ଟକର । କାରଣ ସବୁ ଗଛକୁ ମାଫିଆମାନେ ଲୁଟି ନେଇଛନ୍ତି । ବର୍ତ୍ତମାନ ଯେଉଁ କେତୋଟି ଗଛ ରହିଛି ତାହା ଉପରେ ମଧ୍ୟ ଚନ୍ଦନ ଦସ୍ୟୁଙ୍କ ଲୋଲୁପ ଦୃଷ୍ଟି ରହିଛି । ସେହି ଗଛ ଗୁଡ଼ିକୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।
ରକ୍ତ ଚନ୍ଦନ ଜଙ୍ଗଲ ସୃଷ୍ଟି କରିଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି:
ଗତ କିଛି ବର୍ଷ ହେଲା ଚନ୍ଦନ ଦସ୍ୟୁଙ୍କ ନଜର ପଡିଛି ଗଜପତିର ଏହି ରକ୍ତ ଚନ୍ଦନ ଜଙ୍ଗଲ ଉପରେ । ଔଷଧୀୟ ଗୁଣରେ ଭରପୁର ଥିବା ଏହି ଗଛକୁ ଆଣି ଏଠାରେ ଜଙ୍ଗଲ ସୃଷ୍ଟି କରିବାରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତେବେ ସମୟ କ୍ରମେ ଏହା ବନ ବିଭାଗ ଅଧିନକୁ ଆସିଲା । ଏବେ ଏହା ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ମହେନ୍ଦ୍ରଗିରି ଏବଂ ଦେବଗିରି ବନାଅଞ୍ଚଳ ଅଧିନରେ ରହିଛି । ଏହି ଗଛର ଚାହିଦା ଜଣାପଡିବା ପରେ ମାଫିଆମାନେ ଏହି ଜଙ୍ଗଲ ସଫା କରିବା ଆରମ୍ଭ କରିଛନ୍ତି ।
ସଫା ହେଉଛି ରକ୍ତ ଚନ୍ଦନ ଜଙ୍ଗଲ !
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦ୍ବାରା ରୋପଣ କରାଯାଇଥିବା 12 ହଜାର ଗଛ ମଧ୍ୟରୁ 2018 ମସିହା ଅକ୍ଟୋବର ମାସ ସୁଦ୍ଧା ଅର୍ଥାତ୍ ତିତିଲି ବାତ୍ୟା ବେଳକୁ ମାତ୍ର 1384 ଟି ଗଛ ରହିଥିଲା । ତିତିଲି ବାତ୍ୟାରେ 1237ଟି ଗଛ ପଡିଯାଇଥିଲା । ଯାହାର କାଠ ବନ ବିଭାଗକୁ ଦୁଇଟି ଦଫାରେ ପ୍ରଦାନ କରାଯାଇଛି ଏବଂ 130ଟି ଗଛ ରହିଛି ବୋଲି ପାରଳାଖେମୁଣ୍ଡି ତତ୍କାଳୀନ ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଥିଲେ । ହେଲେ ସେ ଦେଇଥିବା ହିସାବ ଅନୁସାରେ ଦେଖିଲେ 47ଟି ଗଛର କୌଣସି ପତ୍ତା ମିଳୁନାହିଁ । ଯାହାର ଉତ୍ତର କାହାରି ପାଖରେ ନାହିଁ ।
କେବେ ଲାଗିଥିଲା ରକ୍ତ ଚନ୍ଦନ ଗଛ ?
ସ୍ବତନ୍ତ୍ର ଓଡିଶା ଗଠନର ମୁଖ୍ୟ ବିନ୍ଧାଣୀ ତଥା ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି 1913 ମସିହାରେ ପାରଳା ରାଜ ସିଂହାସନ ଆରୋହଣ କରିଥିଲେ । ଏହାପରେ ନିଜ ରାଜ୍ୟରେ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟ ଆରମ୍ଭ କରିଥିଲେ । ତତ୍କାଳୀନ ମାଡ୍ରାସ୍ ପ୍ରେସିଡେନ୍ସିରେ ମହାରାଜାଙ୍କ ସ୍ବତନ୍ତ୍ର ଖାତିର ରହିଥିବାରୁ ସେ ବିଭିନ୍ନ ସ୍ଥାନରୁ ରକ୍ତ ଚନ୍ଦନ ଗଛ ସଂଗ୍ରହ କରି ପାରଳାଖେମୁଣ୍ଡି ନିକଟରେ ଜଙ୍ଗଲ ସୃଷ୍ଟି କରିଥିଲେ । ଯଦିଓ ସେ କେତେ ଗଛ ଲଗାଇଥିଲେ ତାହାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, ତଥାପି ପ୍ରାୟ 12ହଜାର ଗଛ ଲଗାଇ ବଣ ସୃଷ୍ଟି କରିଥିଲେ । ଏପରିକି ଏହାର ସୁରକ୍ଷା ମଧ୍ୟ ସେ ନିଜେ ତଦାରଖ କରୁଥିଲେ ।
କେବେ ଠାରୁ ଆରମ୍ଭ ହେଲା ଚନ୍ଦନ ଗଛ ତସ୍କରୀ:
ବିଶେଷ କରି ଦେଶ ସ୍ବାଧୀନତା ପରେ ଏହି ଜଙ୍ଗଲ ସରକାରଙ୍କ ଅଧିନକୁ ଯାଇଥିଲା । ଢେର କିଛି ବର୍ଷ ଏହି ଗଛର ଆବଶ୍ୟକତା ସମ୍ପର୍କରେ ଲୋକେ ଜାଣିନଥିଲେ । ତେଣୁ କୌଣସି କ୍ଷତି ହୋଇନଥିଲା । 1990 ବେଳକୁ ରକ୍ତ ଚନ୍ଦନର ଗୁଣ ସମ୍ପର୍କରେ ଲୋକେ ସଚେତନ ହେବା ପରେ ତସ୍କରୀ ଆରମ୍ଭ ହୋଇଥିଲା । 1991 ଯାଏଁ ମଧ୍ୟ ଏଠାରେ ଭରପୁର ରକ୍ତ ଚନ୍ଦନ ଗଛ ରହିଥିଲା । ଏହାପର ଠାରୁ 2021 ମସିହା ଅର୍ଥାତ୍ ପ୍ରାୟ 30ବର୍ଷ ମଧ୍ୟରେ ଏହି ଜଙ୍ଗଲ ଶ୍ରୀହୀନ ହୋଇଥିବା କୁହାଯାଉଛି ।
ଚୋରା ଚାଲାଣ ସମୟରେ କେତେ କାଠ ଜବତ ହୋଇଛି ?
ତେବେ ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ,''1991 ମସିହା ଠାରୁ 2021 ଜୁନ୍ ଶେଷ ପର୍ଯ୍ୟନ୍ତ ବନ ବିଭାଗ ରକ୍ତ ଚନ୍ଦନ ଚାରା ଚାଲାଣ ସମୟରେ ଧରପଗଡ କରି 217ଟି ମାମଲା କରିଥିବା ବେଳେ 2616.317 ଘନଫୁଟ କାଠକୁ ଜବତ କରିଛି । ଯାହାର ଓଜନ ପ୍ରାୟ 66345.636 କିଲୋ ବା 66.345 ମେଟ୍ରିକ ଟନ୍ । ଏତେ ପରିମାଣର କାଠ ବର୍ତ୍ତମାନ ନାରାୟଣପୁର ରେଞ୍ଜ ଅଫିସର ବାହାରେ ଓ ମାଲଖାନାରେ ଖତ ଖାଉଥିଲେ ମଧ୍ୟ ଏହାକୁ ବିକ୍ରି କରିବା ଏବଂ ଆୟ ଟଙ୍କାରେ ନୂଆ ବଣ ସୃଷ୍ଟି କରିବା ଦିଗରେ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ରକ୍ତ ଚନ୍ଦନ ଭଳି ଏହି ମୂଲ୍ୟବାନ ଗଛର ସୁରକ୍ଷା ଏବଂ ନୂତନ ବନ ସୃଷ୍ଟି କରିବା ଦିଗରେ ବନ ବିଭାଗର ଆନ୍ତରିକତା ନଥିବାରୁ ଏଭଳି ହେଉଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।
ଏମିତି କହିଲେ ପାରଳାଖେମୁଣ୍ଡି ଡିଏଫଓ:
ଏନେଇ ଡିଏଫଓ ଏସ ଆନନ୍ଦ କହିଛନ୍ତି," ବର୍ତ୍ତମାନ ସମଗ୍ର ଜିଲ୍ଲାରେ 1003ଟି ରକ୍ତ ଚନ୍ଦନ ଗଛ ରହିଛି । ଗୋଟିଏ ବର୍ଷ ତଳେ ଆମେ ସବୁ ଗଛକୁ ମାର୍କିଂ କରିଥିଲୁ । ବନ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ଯେତେବେଳେ ପାଟ୍ରୋଲିଂ ଯିବେ । ସେହି ସମୟରେ ଗୋଟିଏ ଗୋଟିଏ ଗଛ ସାମ୍ନାରେ ଫଟୋ ଉଠାଇ ଗ୍ରୁପରେ ପଠାଇବେ । ରକ୍ତ ଚନ୍ଦନ ଗଛକୁ ଆମେ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଛୁ । ଏବେ ଗଛ କାଟିବାର କୌଣସି ଅଭିଯୋଗ ଆମ ପାଖକୁ ଆସିନାହିଁ ।"
ନୂତନ ରକ୍ତ ଚନ୍ଦନ ଜଙ୍ଗଲ ସୃଷ୍ଟି ପାଇଁ ଦାବି:
ଦକ୍ଷିଣ ଏସିଆର ଏହି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କୋଟି କୋଟି ଟଙ୍କାର ଦୁର୍ଲଭ ଗଛ ରହିଥିବା ବେଳେ ସୁରକ୍ଷା ଦେବା ପାଇଁ ସରକାରୀ ସ୍ତରରେ ମଧ୍ୟ ଆଜି ଯାଏଁ କୌଣସି ସ୍ବତନ୍ତ୍ର ଯୋଜନା ହୋଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଯାହାର ସୁଯୋଗ ନେଇ ଚନ୍ଦନ ତସ୍କରୀମାନେ ଏହାକୁ ଲୁଟି ନେଇଛନ୍ତି । ଏପରିକି ବିଦେଶକୁ ଚାଲାଣ କରି କୋଟି କୋଟି ଟଙ୍କା ଆୟ ମଧ୍ୟ କରିଛନ୍ତି । ତେବେ ବଳକା ଥିବା ଗଛକୁ ସୁରକ୍ଷା ଦେବା ଏବଂ ନୂତନ ରକ୍ତ ଚନ୍ଦନ ଜଙ୍ଗଲ ସୃଷ୍ଟି ପାଇଁ ଦାବି ହୋଇଛି ।
ଇଟିଭି ଭାରତ, ଗଜପତି