ଭୁବନେଶ୍ୱର: ବିଜେଡିରେ ମିଶିଲେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ହଜାରରୁ ଅଧିକ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ଅଂଶୁମାନଙ୍କୁ ବିଜେଡି ନେତୃବୃନ୍ଦ ଉପଢୌକନ ଦେଇ ସ୍ୱାଗତ କରିଛନ୍ତି । ମିଶ୍ରଣ ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେବା ସହ 5T ଓ ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି ଅଂଶୁମାନ ।
ବିଜେଡିରେ ଯୋଗ ଦେବା ପରେ ଅଂଶୁମାନ ମହାନ୍ତି କହିଛନ୍ତି, "ଆଜି ମୋ ପାଇଁ ଗର୍ବର ଦିନ । ବିଜେଡିରେ ଯୋଗ ଦେଇ ବାପାଙ୍କ ପୁରୁଣା ପରିବାରକୁ ଫେରି ଆସିଥିବାରୁ ବହୁତ ଖୁସି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ହିଁ ଏହା ସମ୍ଭବ ହୋଇଛି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂତନ ଓଡ଼ିଶା ଗଠନରେ ନିଜକୁ ସାମିଲ କରି ଗର୍ବ ଅନୁଭବ କରୁଛି । ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ତୃଣମୂଳସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ କାମ କରିବି । ରାଜନଗର, ପଟ୍ଟମୁଣ୍ଡାଇର ବିକାଶ ଧାରାକୁ ଦ୍ୱିଗୁଣିତ କରାଯିବ ।"
ବିଜେଡିର ମିଶ୍ରଣ ପର୍ବରେ ଉପସ୍ଥିତ ରହି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡିଶା ନବୀନ ଓଡିଶା, ରୂପାନ୍ତରଣ ଓଡିଶା ଓ ସମୃଦ୍ଧ ଓଡିଶା ଗଠନରେ ଆକୃଷ୍ଟ ହୋଇ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡ଼ିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜନଗରରେ ଯେଉଁ ଉନ୍ନତି ହୋଇଚାଲିଛି, ଅଂଶୁମାନ ଯୋଗ ଦେବା ପରେ ରାଜନଗରରେ ଉନ୍ନତି ଦ୍ୱିଗୁଣିତ ହେବ । ଅଂଶୁମାନଙ୍କ ପରିବାର ସହ ସମସ୍ତଙ୍କ ପୁରୁଣା ସମ୍ପର୍କ । ମୋ ବାପା ଅଶୋକ ଦାସ, ଅଂଶୁମାନଙ୍କ ବାପା ନଳିନୀ ମହାନ୍ତି ବନ୍ଧୁ ଥିଲେ । ନଳିନୀ ବାବୁଙ୍କର ବିଜୁ ପଟ୍ଟନାୟକଙ୍କ ସହ ସମ୍ପର୍କ ନିବିଡ଼ ଥିଲା । ସେ ୭ ଥର ବିଧାୟକ ଥିଲେ । ବିଜୁ ପରିବାର ପ୍ରତି ସମର୍ପଣ ଓ ଭଲ ପାଇବା ସର୍ବଦା ରହିଆସିଥିଲା । ରାଜନଗର ସବୁବେଳେ ବିଜେଡି ସହ ଅଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯେଉଁମାନେ ତାଙ୍କ ଉପରେ ଆସ୍ଥା ରଖି ଦଳରେ ଯୋଗ ଦେଇଛନ୍ତି ସମସ୍ତଙ୍କ ସମ୍ମାନ ଓ ଆତ୍ମବିଶ୍ୱାସ ସର୍ବଦା ବଜାୟ ରହିବ । ଅଂଶୁମାନ ବିଜେଡିରେ ସାମିଲ ହେବା ପାଇଁ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରିଛନ୍ତି । ତେଣୁ ଏହି ମିଶ୍ରଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।"
ସେପଟେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି, "ଦୁଇ ଦିନ ତଳେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ିଥିଲେ । ଅଂଶୁମାନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ମିଶିବାକୁ କରିଥିବା ଆବେଦନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଅଂଶୁମାନଙ୍କ ସହ ତାଙ୍କର ହଜାରେରୁ ଊର୍ଦ୍ଧ୍ୱ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନଗର କଂଗ୍ରେସର ବିଭିନ୍ନ ପଦବୀରେ ଥିବା ନେତା ଓ ପଞ୍ଚାୟତ ପ୍ରତିନିଧି ଅଛନ୍ତି ।"
କେନ୍ଦ୍ରାପଡ଼ା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଛନ୍ତି, "ଅଂଶୁମାନ ଓ ତାଙ୍କ ସମର୍ଥକ ଦଳରେ ଯୋଗ ଦେବା ପରେ ରାଜନଗର ନିର୍ବାଚନମଣ୍ଡଳୀ ତଥା ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ବିଜେଡି ସଂଗଠନ ମଜବୁତ ହେବ । ଏହା ସହ ବିକାଶ ଧାରା ଆହୁରି ତ୍ୱରାନ୍ୱିତ ହେବ । ଧ୍ରୁବ ଓ ଅଂଶୁମାନ ମିଶି ଏହା କରିବେ । ସମସ୍ତେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବେ ।"
ସେହିପରି ରାଜନଗର ବିଧାୟକ ଧ୍ରୁବଚରଣ ସାହୁ ଅଂଶୁମାନ ଓ ତାଙ୍କ ସମର୍ଥକଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ଧ୍ରୁବ ଚରଣ କହିଛନ୍ତି, "ଆଜି ଗୌରବର ଦିନ । ବିଜୁ ବାବୁଙ୍କ ସ୍ୱପ୍ନ ଓ ରାଜନଗର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ସହ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଓ ବିଜୁ ବାବୁଙ୍କ ସ୍ୱପ୍ନର ରାଜନଗର ଗଠନ ଦିଗରେ ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । କେନ୍ଦ୍ରାପଡ଼ା ବିକାଶକୁ ଏହା ଆହୁରି ତ୍ବରିତ କରିବ ।"
ଏହା ମଧ୍ୟ ପଢ଼ନ୍ତୁ...ବିଜେଡିରେ ଯୋଗଦେଲେ ସନ୍ତୃପ୍ତ ମିଶ୍ର
ସେପଟେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଅତନୁ ସବ୍ୟସାଚୀ ନାୟକ ଦଳରେ ଯୋଗ ଦେଇଥିବା ଅଂଶୁମାନ ମହାନ୍ତି ଓ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିଛନ୍ତି । ଏହି ଯୋଗଦାନ କେନ୍ଦ୍ରାପଡା ଜିଲ୍ଲାରେ ବିଜେଡିର ସଂଗଠନ ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି । ବିଜେଡିର ଏହି ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଉପସ୍ଥିତି ଥିଲେ । ମିଶ୍ରଣ ପର୍ବରେ ରାଜନଗର ବ୍ଲକ କଂଗ୍ରେସ କମିଟି ସଭାପତି ଦେବେନ୍ଦ୍ର ଜେନା, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ କମିଟି ସଭାପତି ନିମାଁଇ ଚରଣ କର, ପଟ୍ଟାମୁଣ୍ଡାଇ ମ୍ୟୁନିସପାଲଟି କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ, ପିସିସି ସଦସ୍ୟ ପ୍ରଦୀପ ପ୍ରଧାନଙ୍କ ସମେତ ହଜାରରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର