କୋରାପୁଟ: ଆଧୁନିକ ଜୀବନ ଶୈଳୀ ପାଇଁ ହେଉଁ ଅଥବା ଶିଳ୍ପ ପ୍ରତିଷ୍ଠାନ ପାଇଁ ବାଜି ଲାଗୁଛି ନିରୀହ ଗଛର ଜୀବନ । ଅନ୍ୟପଟେ ଅବିତାର ଭାବେ ଗଛକଟା ହେବା ଫଳରେ ଦେଖାଦେଇଛି ପ୍ରଚଣ୍ଡ ରୌଦ୍ରତାପ ଓ ଜଳବାୟୁରେ ଅହେତୁକ ପରିବର୍ତ୍ତନ । ଯାହାର କୁପରିଣାମ ଭୋଗୁଛି ସାରା ବିଶ୍ବ । ଏହିକ୍ରମରେ ସବୁଜ ସୁନ୍ଦର ପ୍ରକୃତିର ଅନନ୍ୟ ଅବଦାନ ଥିବା କୋରାପୁଟରେ ମଧ୍ୟ ଆରମ୍ଭ ହୋଇଛି ବୃକ୍ଷ ଛେଦନର ନୃଶଂସତା । ଯାହାକୁ ନେଇ ଚିନ୍ତାରେ ବୁଦ୍ଧିଜୀବୀ ଓ ପରିବେଶବିତ୍ ।
ମୃତ୍ତିକା ସଂରକ୍ଷଣ ଓ ମୃତ୍ତିକାର ସ୍ବାସ୍ଥ୍ୟ ବୃଦ୍ଧି କରିବା ମାଧ୍ୟମରେ ମରୁଭୂମି ଭଳି ପରିସ୍ଥିତିରୁ ମୁକ୍ତି କରିବା ସହ ଦୁର୍ଭିକ୍ଷ ଭଳି ପରିସ୍ଥିତିକୁ ଟାଳିବା ଆବଶ୍ୟକ ବୋଲି ଆରସିସିଏଫ ପ୍ରସନ୍ନ କୁମାର ବେହେରା ମତ ରଖିଛନ୍ତି । ବଣ ଜଙ୍ଗଲକୁ ନଷ୍ଟ କରି ଚାଷ କରିବା ଦ୍ବାରା ମୃତ୍ତିକା ସଂରକ୍ଷଣ କରିବା କ୍ଷେତ୍ରରେ ବାଧକ ସାଜିଥାଏ ବୋଲି ସେ ସୂଚନା ଦେଇଥିବା ବେଳେ କୋରାପୁଟ ଅଞ୍ଚଳରେ ବର୍ଷ ବର୍ଷ ଧରି ବୃକ୍ଷ ରୋପଣ କରାଯାଉଥିଲେ ହେଁ ଆହୁରି ଅଧିକ ପରିମାଣର ବୃକ୍ଷ ରୋପଣ କରାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।
କୋରାପୁଟ ନିକଟ ଜାତୀୟ ରାଜପଥ କଡରେ ଓ ବଣ ଜଙ୍ଗଲରେ ବ୍ୟାପକ ଭାବେ କଟାଯାଉଥିବା ବହୁ ପୁରାତନ ବୃକ୍ଷ ଗୁଡିକୁ ସଡକ ପ୍ରଶସ୍ତ କରିବା ପାଇଁ ଓ ଅନ୍ୟାନ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ କାଟିଦିଆଯିବା ବନ ବିଭାଗ ଓ ଜାତୀୟ ରାଜପଥ ବିଭାଗର ପରିବେଶ ସୁରକ୍ଷା ପ୍ରତି ଥିବା ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବୈଦିକ କାଳରୁ ଭାରତ ଓ ଜୈବ ବିବିଧତା ପରସ୍ପର ସହ ଜଡ଼ିତ। ପ୍ରାଚୀନ କାଳରେ ଆମର ଜୈବ ବିବିଧତା ବ୍ୟବସ୍ଥାକୁ ଅତି ଶୃଙ୍ଖଳିତ ଭାବେ ସଂରକ୍ଷଣ କରାଯାଉଥିବା ବେଳେ ଆମେ ଆମର ପାରମ୍ପରିକ ପ୍ରଥା ଅନୁସରଣ କରୁନାହୁଁ ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜୈବ ବିବିଧତା ବିଭାଗର ପ୍ରଫେସର ଶରତ କୁମାର ପାଲିତା ମତ ପ୍ରକାଶ କରିଛନ୍ତି । ଆମ ସମାଜ ସବୁବେଳେ ସଂସ୍କୃତି ଓ ପରିବେଶର ମିଶ୍ରଣ । ଇକୋସିଷ୍ଟମ ପ୍ରତି ଆମର ଧାରଣା ଚମତ୍କାର ଥିଲା, ଏବେ ଆମ ପରମ୍ପରାକୁ ପୁନରୁଦ୍ଧାର କରିବାର ସମୟ ଆସିଛି । ଆମକୁ ଇକୋସିଷ୍ଟମ ଏବଂ ଜୈବ ବିବିଧତା ସଂରକ୍ଷଣର ପାରମ୍ପରିକ ଢାଞ୍ଚାକୁ ପୁନରୁଦ୍ଧାର କରିବାକୁ ହେବ ଏବଂ 'ନିଜେ ବଞ୍ଚିବା ଏବଂ ଅନ୍ୟକୁ ବଞ୍ଚିବାକୁ ଦେବା' ପ୍ରାଚୀନ ଆଦର୍ଶକୁ ଅନୁସରଣ କରିବାକୁ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ବୃକ୍ଷ ରୋପଣ କରିବା ଦ୍ବାରା କୋରାପୁଟ ଭଳି ଅଞ୍ଚଳ ମରୁଭୂମି ହେବାରୁ ରକ୍ଷା ପାଇଯିବ ବୋଲି ସେ ମତ ରଖିଛନ୍ତି ।
ଅପରପକ୍ଷରେ ବୃକ୍ଷ କଟା ଯିବା ସହିତ ନୀଳଗିରି ଓ ଆକାଶିଆ ଭଳି ଜଳକୁ ଶୋଷି ନେଉଥିବା ବିଦେଶୀ ବୃକ୍ଷ ରୋପଣକୁ ଅଗ୍ରାଧିକାର ଦିଆଯିବା ଏହି ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ର ଏକ ମୁଖ୍ୟ କାରଣ ବୋଲି ପରିବେଶବିତ ମିହିର ଜେନା ମତ ରଖିଛନ୍ତି । ତେବେ କୋରାପୁଟ ଅଞ୍ଚଳରେ ବାୟୁମଣ୍ଡଳର ତାପମାତ୍ରା ଵୃଦ୍ଧି ପାଇଥିଲେ ମଧ୍ୟ ଏହି ଗ୍ରୀଷ୍ମଋତୁରେ ମଧ୍ୟ କଫି ବଗିଚାରେ କଫି ଗଛ ଝାଉଁଳି ପଡି ନଥିବା ରାଜୁଗୁଡା ସ୍ଥିତ ସପ୍ତଗିରି କଫି ବଗିଚାର ଉଦ୍ୟୋଗୀ ସୁଶାନ୍ତ ପଣ୍ଡା ଜଣାଇଛନ୍ତି । ତାଙ୍କ କଫି ବଗିଚାରେ କଫି ଗଛ ସାଙ୍ଗକୁ 500ରୁ ଊର୍ଦ୍ଧ୍ବ ଢ଼ିମିରି ଗଛ ଲଗାଇଥିବା ଯୋଗୁଁ ଭୂମିର ଆର୍ଦ୍ରତା ସଠିକ ଭାବେ ନିୟନ୍ତ୍ରଣ ହୋଇପାରିଥିବା ସେ ସୂଚନା ଦେଇଛନ୍ତି । ସ୍ଥାନୀୟ ପାରମ୍ପରିକ ବୃକ୍ଷ ରୋପଣ ଦ୍ବାରା ଭବିଷ୍ୟତର ଜଳ ସଂକଟକୁ ରୋକାଯାଇପାରିବ ବୋଲି ସେ ମତ ରଖିଛନ୍ତି ।
ଇଟିଭି ଭାରତ, କୋରାପୁଟ