ଭୁବନେଶ୍ବର: ରାଜ୍ୟରେ ଶକ୍ତିହୀନ ହେବାରେ ଲାଗିଛନ୍ତି ଜଙ୍ଗଲର ରାଜା । ମଣିଷ ଶକ୍ତି ଆଗରେ ହାର୍ ମାନୁଛି ବାଘ । ଏକଥା ଆମେ କହୁନୁ ନିକଟରେ ଏକାଧିକ ସ୍ଥାନରୁ କଲରାପତରିଆ ବାଘଙ୍କ ମୃତ୍ୟୁ ଖବର ସାମ୍ନାକୁ । ଯାହା ଏହି ଏହି କଥାକୁ ପ୍ରତିପାଦିତ କରୁଛି । ଯେପରିକି ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ ନୂଆଁଡିହି ବିଟର କଣ୍ଠିମାଳ ଗ୍ରାମ ନିକଟସ୍ଥ ରେଙ୍ଗାଳି ଜଳ ଭଣ୍ଡାରରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ନୟାଗଡର ଏକ ସ୍ଥାନରେ ତାର ଫାଶରେ ପଡି କଲରାପତରିଆ ବାଘର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ହାତୀ ଯେଉଁ ଭଳି ଭାବରେ ମୃତ୍ୟୁବରଣ କରୁଛନ୍ତି, ସେହିଭଳି କଲରାପତରିଆ ବାଘ ବଂଶ ଉପରେ ମଧ୍ୟ ଦୁର୍ବଳ ହେବାରେ ଲାଗିଛି । ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।
କଲରାପତରିଆ ବାଘ ସୁରକ୍ଷା ନେଇ ଚିନ୍ତାରେ ବନ ବିଭାଗ:
ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, ‘କଲରାପତରିଆ ବାଘ ସୁରକ୍ଷା ନେଇ ଚିନ୍ତାରେ ବନ ବିଭାଗ । ଆଗକୁ ବନ୍ୟପ୍ରାଣୀ ମୃତ୍ୟୁ ରୋକିବାକୁ ହେବ ମିଳିତ ପ୍ରୟାସ । ନୟାଗଡ଼ ବାଘ ମୁଣ୍ଡକଟା ମାମଲାରେ ଦୁଇ ଜଣ ଗିରଫ ହୋଇଛନ୍ତି । ବାରହା ଶିକାର ପାଇଁ ବିଛାଯାଇଥିବା ତାରରେ ପଡ଼ି କଲରାପତରିଆର ମୃତ୍ୟୁ ହୋଇଛି । ଜଣେ ନିଜ ଦୋଷ ସ୍ଵୀକାର କରିଛି ।’ ତେବେ ରେଙ୍ଗାଲି ଡ୍ୟାମରେ ବାଘ ମୃତଦେହ ମିଳିବା ପ୍ରସଙ୍ଗରେ ମଧ୍ୟ ବନ୍ୟପ୍ରାଣୀ ପିସିସିଏଫଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ବାଘ ମୃତ୍ୟୁର କାରଣ । ପ୍ରାଥମିକ ତଦନ୍ତ ବେଳେ ବାଘ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ବାଘ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଉଭୟ ମାମଲାରେ ବନ୍ୟପ୍ରାଣୀ ପିସିସିଏଫ କାର୍ଯ୍ୟାଳୟରୁ JTF ଯାଇ ଘଟଣାର ତଦନ୍ତ କରୁଛି ।’
କେଉଁଠି କେବେ କଲରାପତରିଆ ବାଘର ମୃତ୍ୟୁ ଘଟିଛି:
ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ଆହୁରି କହିଛନ୍ତି, ‘ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ନୂଆଡିହି କଣ୍ଠିମାଳ ଗ୍ରାମ ନିକଟସ୍ଥ ରେଙ୍ଗାଳି ଜଳଭଣ୍ଡାରରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା । ଏହି କଲରାପତରିଆର ବାଘର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। ଯାହା ଫଳରେ ଦେବଗଡ଼ ଡିଏଫ୍ଓ, ରିଆମାଳ ରେଞ୍ଜର୍ ଓ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ବାଘର କିପରି ମୃତ୍ୟୁ ହେଲା, କେଉଁ ଆଡ଼ୁ ଭାସିଆସିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ଭାବରେ ରହିଛି ।’
ଫାଶରେ କଲରାପତରିଆ ବାଘର ଜୀବନ:
ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, ‘ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନାଞ୍ଚଳ ଅନ୍ତର୍ଗତ ସାପୁଆ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ଘଟଣାକୁ ନେଇ ବନ ବିଭାଗ ତନାଘନା ଆରମ୍ଭ କରିଛି । ବିଦ୍ୟୁତ୍ ତାର ବିଛାଯାଇ ବାଘ ଶିକାର କରାଯାଇଥିବା ବନବିଭାଗ କହିଥିବା ବେଳେ ଘଟଣାରେ ସଂପୃକ୍ତି ସନ୍ଦେହରେ ଜଣଙ୍କୁ ଅଟକ ରଖାଯିଥିଲା ଉକ୍ତ ବ୍ୟକ୍ତି ଜଣଙ୍କ ସମସ୍ତ କଥା ବନ ବିଭାଗ ସମ୍ମୁଖରେ ମାନିଯାଇଥିଲା । ବର୍ତ୍ତମାନ ସମୟରେ ଅନ୍ୟ ଜଣଙ୍କୁ ଖୋଜା ଚାଲିଛି ।’
୫ ମାସରେ ମରିଛନ୍ତି ୫ କଲରାପତରିଆ ବାଘ:
ଗତ ୫ ମାସରେ ଓଡିଶା ଜଙ୍ଗଲରେ କଲରାପତରିଆ ବାଘ ମଧ୍ୟ ମରିଛନ୍ତି ୫ଟି । ବାଘ ମାରିବା ପାଇଁ ୧୪ ଜଣଙ୍କୁ ଗିରଫ କରାଯାଇଛି । ଏପଟେ ହାତୀ ମୃତ୍ୟୁକୁ ନେଇ ଆସିଛି ସାଙ୍ଘାତିକ ତଥ୍ୟ ଗତ ୫ ମାସରେ ମରିଛନ୍ତି 40 ଗଜରାଜ ।
ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା:
NTCA ରିପୋର୍ଟ ଅନୁସାରେ ୨୦୨୨ ମସିହାରେ ଥିଲେ ୫୬୮ କଲରାପତରିଆ ବାଘ । ୨୦୧୮ ମସିହାରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ । ତେବେ ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଥିଲା ବନବିଭାଗ । ତେବେ ରାଜ୍ୟରେ ମୋଟ୍ ୬୯୬ କଲରାପତରିଆ ବାଘ ଥିବା ଜଣାପଡିଥିଲା ।
କେଉଁ ଜଙ୍ଗଲରେ କେତେ କଲରାପତରଆ ବାଘ:
ରାଜ୍ୟରେ ୪୭ଟି ଡିଭିଜନରେ କଲରାପତରିଆ ବାଘ ରହିଛନ୍ତି । ତେବେ ମୟୂରଭଞ୍ଜ ଏବଂ କେନ୍ଦୁଝର ଡିଭିଜନରେ ପାଖାପାଖି ୨୦୦ରୁ ଅଧିକ କଲରାପତରିଆ ବାଘ ଚିହ୍ନଟ କରାଯାଇଥିବାବେଳେ ଅନୁଗୋଳର ସାତକୋଶିଆ, ଦକ୍ଷିଣରେ ମହାନଦୀ ବନଖଣ୍ଡ, ଆଠ ମଲ୍ଲିକ, ବୌଦ୍ଧ, ନୟାଗଡ଼ ବନଖଣ୍ଡରେ ପାଖାପାଖି ୧୫୦ କଲରାପତରିଆ ବାଘ ଚିହ୍ନଟ କରାଯାଇଛି । ସେହିପରି ଦେବ୍ରିଗଡ ନିକଟରେ ୫୦ରୁ ଅଧିକ ବାଘ ଚିହ୍ନଟ କରାଯାଇଥିବାବେଳେ ୫୦ରୁ ଅଧିକ ରେଢ଼ାଖୋଲ ସମ୍ବଲପୁର ଆଦି ସ୍ଥାନରେ ଚିହ୍ନଟ ହୋଇଛି । ୫୦ରୁ ଅଧିକ ଖଇରିଆ ସୁନାବେଢ଼ା ଆଦି ସ୍ଥାନରେ ମଧ୍ୟ ଚିହ୍ନଟ ହୋଇଛି କଲରାପତରିଆ ବାଘ । ସେହିପରି ୨୦ରୁ ଅଧିକ ଢେଙ୍କାନାଳ କପିଳାଶ ଆଦି ଆଖାପାଖ ସ୍ଥାନ ଗୁଡିକରେ କଲରାପତରିଆ ବାଘ ଚିହ୍ନଟ କରାଯାଇଛି ।
ରାଜ୍ୟରେ ଅତିବେଶୀରେ କେତେ ମାତ୍ରାରେ ରହିପାରିବେ କଲରାପତରିଆ ବାଘ:
ରାଜ୍ୟରେ ଯଦି ଜଙ୍ଗଲ ଠିକ ଭାବରେ ରହିବ ତେବେ ପାଖାପାଖି ୭୦୦ରୁ ୮୦୦ କଲରାପତରିଆ ବାଘ ରହିପାରିବେ । ଶିମିଳିପାଳ ଅଞ୍ଚଳରେ କଲରାପତରିଆ ବାଘ ବଢିବା ବହୁତ୍ କମ ଅଟେ । ଏପଟେ ସାତକୋଶିଆ ବାଘ ଛାଡ଼ିବାର ଯୋଜନା ରହିଛି । ଏହି କାର୍ଯ୍ୟ ଖୁବଶୀଘ୍ର କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର