ବୌଦ୍ଧ: ବୌଦ୍ଧରେ ଜିଲ୍ଲାର ପ୍ରଥମ କ୍ରିକେଟ୍ ଏକାଡେମୀ ଉଦଘାଟିତ । ଏହାଛଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଟଫ୍ କ୍ରିକେଟ ପଡିଆ ନିର୍ମାଣ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଭାସି ଜରିଆରେ ଏହାର ଉଦଘାଟନ କରିଛନ୍ତି । ମଙ୍ଗଳବାର କଟକରେ ଐତିହାସିକ ବାରବାଟୀ ଷ୍ଟାଡିମର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ଏକା ସାଙ୍ଗରେ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 41ଟି କ୍ରିକେଟ୍ ଏକାଡେମୀର ଉଦ୍ଘାଟନ ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟରେ କ୍ରୀଡା ଓ କ୍ରୀଡାବିତ୍ଙ୍କ ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପୂର୍ବରୁ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ତଥା ଖେଳ ପଡ଼ିଆର ଅଭାବ ଯୋଗୁଁ ଅନେକ କୃତି ଖେଳାଳୀ ଏହି କ୍ଷେତ୍ରରେ ଉନ୍ନତି କିମ୍ବା କ୍ୟାରିୟର ଗଠନ କରିପାରୁନଥିଲେ । ହେଲେ ବର୍ତ୍ତମାନ ସମୟରେ ସରକାର ଖେଳ ଓ ଖେଳାଳିଙ୍କ ବିକାଶ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିଛନ୍ତି । ବୌଦ୍ଧ ଭଳି ଛୋଟ ଜିଲ୍ଲାରେ ସନ୍ତରଣ, ଆଥଲେଟ, ଫୁଟବଲ, ହକି, ବ୍ୟାଡମିଣ୍ଟନ, ତୀରନ୍ଦାଜୀ, କ୍ରିକେଟ୍ ଭଳି ଖେଳରେ ଅନେକ କୃତି ଖେଳାଳି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ କଚେରୀ ପଡିଆ ଓ ଜିଲ୍ଲା ଷ୍ଟାଡିୟମକୁ ଛାଡିଦେଲେ କଣ୍ଟାମାଳ, ବାଉଶୁଣୀ, ପୁରୁଣା କଟକ ତଥା ଅନ୍ୟାନ୍ୟ ସ୍ଥାନରେ ଖେଳ ଉପଯୋଗୀ ପଡିଆ ରହିଛି । ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ କଥା ହେଲା ବୌଦ୍ଧ ଜିଲ୍ଲାରେ ଦୀର୍ଘ ଦିନ ହେଲା ଟର୍ଫ ୱିକେଟ ପାଇଁ ଦାବି ହେଉଥିବା ବେଳେ ଆବଶ୍ୟକ ପଡିଆ ଅଭାବରୁ ଏହା ସମ୍ଭବ ହୋଇ ପାରୁନଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ବାରବାଟୀ ଷ୍ଟାଡିୟମ ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ତେବେ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଟର୍ଫ ୱିକେଟ୍ ପାଇଁ ସ୍ଥାନ ଯୋଗାଇ ଦେବାପରେ ସେଠାରେ ଜିଲ୍ଲାର ଏକମାତ୍ର ତଥା ପ୍ରଥମ ଟର୍ଫ ୱିକେଟ୍ ନିର୍ମାଣ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ଜରିଆରେ ଏହି ଉନ୍ନତ ଟର୍ଫ ୱିକେଟର ଉଦଘାଟନ କରିଥିଲେ । ଏହାଛଡା ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ କ୍ରିକେଟ୍ ଏକାଡେମୀ ମଧ୍ୟ ପ୍ରତିଷ୍ଠା କରାଯାଇଥିବାରୁ ଖେଳାଳିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବୌଦ୍ଧ ଏସ୍ପି ରାଜ ପ୍ରସାଦ, ପିଡି ରବି ନାରାୟଣ ତ୍ରିପାଠୀ, ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ନିରଞ୍ଜନ ମେହେର, ସମ୍ପାଦକ ଯୁଗଳ ସାମଲ ତଥା କ୍ରିକେଟ୍ ସଙ୍ଘର ସମସ୍ତ ସଦସ୍ୟ ଓ ଖେଳାଳୀମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହି ଟର୍ଫ ୱିକେଟ୍ ଯୁବ ତଥା ଉଦୀୟମାନ କ୍ରିକେଟ୍ ଖେଳାଳିଙ୍କ ପାଇଁ ବେଶ ସହାୟକ ହେବ ।
ଇଟିଭି ଭାରତ, ବୌଦ୍ଧ